ବର୍ଷେ ମୋବାଇଲ ବ୍ୟବହାର ନକଲେ ଜିତିପାରିବେ 71ଲକ୍ଷ ଟଙ୍କା

Saturday, December 15, 2018

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ଛୋଟପିଲା ଠାରୁ  ଆରମ୍ଭ କରି ବୃଦ୍ଧ ଲୋକମାନେ ସମସ୍ତେ ମୋବାଇଲର ବ୍ୟବହାର କରୁଛନ୍ତି। ମୋବାଇଲ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ସ୍ମାର୍ଟଫୋନକୁ ବ୍ୟବହାର କରିବା ଲୋକଙ୍କର ଏମିତି ଅଭ୍ୟାସ ହୋଇଗଲାଣି ଯେ, ଅଳ୍ପ ସମୟ ପାଇଁ ମଧ୍ୟ ଲୋକମାନେ ଏହାକୁ ବ୍ୟବହାର କରିବା ବନ୍ଦ କରିନଥାନ୍ତି। ଏପରି ସମୟରେ ଯଦି ଆପଣ ଗୋଟିଏ ବର୍ଷ ପାଇଁ ମୋବାଇଲ ବ୍ୟବହାର ବନ୍ଦ କରିପାରିବେ ତେବେ ଆପଣଙ୍କ ପାଇଁ ଏକ ବହୁତ ଭଲ ଅଫର ରହିଛି।

 

କୋକା-କୋଲାର ମାଲିକାନା ଥିବା ବ୍ରାଣ୍ଡ ଭିଟାମିନୱାଟର ତରଫରୁ ଏକ ପ୍ରତିଯୋଗୀତା ଘୋଷଣା କରାଯାଇଛି। ଏହାର ନାମ ରହିଛି ‘ସ୍କ୍ରୋଲ ଫ୍ରୀ ଫର ଏ ଇୟର’। ଯଦି କୌଣସି ବ୍ୟକ୍ତି ଏକବର୍ଷ ପାଇଁ ମୋବାଇଲ ବ୍ୟବହାର କରିବା ବନ୍ଦକରିଦିଅନ୍ତି ତେବେ 100,000 ଡଲାର ଅର୍ଥାତ ପ୍ରାୟ 71ଲକ୍ଷ ଟଙ୍କା ଜିତିପାରିବେ।

 

ଏହି ପ୍ରତିଯୋଗୀତାରେ ଭାଗ ନେଲେ ଆପଣଙ୍କୁ ଏକବର୍ଷ ପାଇଁ ମୋବାଇଲ ବ୍ୟବହାର ବନ୍ଦ କରିବାକୁ ପଡିବ।

ପୁରଷ୍କାର ଜିତିବା ଆଗରୁ ବ୍ୟକ୍ତିଙ୍କର ‘ଲାଇ ଡିଟେକ୍ଟର ମେଶିନ’ ସାହାଯ୍ୟରେ ପରୀକ୍ଷା କରାଯିବ। ଯଦି ଆପଣ କୌଣସି ନିୟମ ଉଲ୍ଲଂଘନ୍ନ କରିଥିବେ ତେବେ ଏହି ପରୀକ୍ଷା ଦ୍ଵାରା ଜଣାପଡିଯିବ। ଏହି ପ୍ରତିଯୋଗୀତାରେ ଚୟନ କରାଯାଇଥିବା ପ୍ରତିଯୋଗୀଙ୍କୁ ଏକବର୍ଷର ସେଲ୍ୟୁଲାର ପ୍ଳାନ ସହିତ 1996 ମସିହା ସମୟର ଏକ ସେଲ୍ୟୁଲାର ଟେଲିଫୋନ ଦିଆଯିବ।

ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆବେଦନ କରିବାକୁ ଇନଷ୍ଟାଗ୍ରାମ କିମ୍ବା ଟ୍ଵିଟରରେ #nophoneforayear କିମ୍ବା #contest ସର୍ଚ୍ଚ କରି ପାରିବେ। ଆବେଦନ କରିବା ପରେ ଭିଟାମିନୱାଟର କମ୍ପାନୀ ଜାଣିପାରିବ ଯେ, ଆପଣ ଏହି ପ୍ରତିଯୋଗୀତା ପାଇଁ ଆଗ୍ରହୀ ଅଛନ୍ତି। ତେବେ ସ୍ମାର୍ଟଫୋନର ବ୍ୟବହାର କାହିଁକି ବନ୍ଦ କରିବାକୁ ଚାହୁଁଛନ୍ତି ଓ ଖାଲି ସମୟରେ ଆପଣ କଣ କରିବେ ଏହା ମଧ୍ୟ ଆପଣଙ୍କୁ କହିବାକୁ ପଡିବ।

 

ଆସନ୍ତା ଜାନୁୟାରୀ ମାସ 8ତାରିଖ 2019 ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ। ବଛା ଯାଇଥିବା ପ୍ରତିଯୋଗୀମାନଙ୍କୁ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସମ୍ପର୍କ କରାଯିବ। ଏହାବ୍ୟତୀତ ଆପଣଙ୍କୁ ଏକ ଚୁକ୍ତି ସ୍ଵାକ୍ଷର କରିବାକୁ ପଡିବ। ଆପଣ ଏକ ବର୍ଷ ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରିବେ ନାହିଁ ବୋଲି ଏହି ଚୁକ୍ତିପତ୍ରରେ ଉଲ୍ଲେଖ ରହିବ।

 

ତେବେ ଏହି ସମୟ ମଧ୍ୟରେ ଆପଣଙ୍କୁ ଲାପଟପ ଓ ଡେକ୍ସଟପର ବ୍ୟବହାର କରିବାକୁ ଅନୁମତି ମିଳିବ। ଯଦି ଆପଣ ଟଚସ୍କ୍ରିନ ସ୍ମାର୍ଟଫୋନକୁ ଛଅମାସ ପର୍ଯ୍ୟନ୍ତ ବ୍ୟବହାର ନକରିବେ ତେବେ ମଧ୍ୟ ଏହି ପୁରସ୍କାର ପାଇପାରିବେ।    

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon