ଛୁଟିରେ ଘରେ କରନ୍ତୁ ରଣବୀର ବ୍ରାରଙ୍କ ପ୍ରସ୍ତୁତ ମେଥି ଚିକେନ

Tuesday, December 25, 2018

 

(ବେତାର ବ୍ୟୁରୋ) ଛୁଟିଦିନରେ ସାଙ୍ଗସାଥୀ ଓ ପରିବାର ସହିତ ହସଖୁସିରେ କଟାଇବା ପାଇଁ ଆପଣ ବାହାରକୁ ବୁଲିବାକୁ ଯାଉଥିବେ। ବାହାରେ ବୁଲିବା ସମୟରେ ରେଷ୍ଟୁରାଣ୍ଟ ଓ ହୋଟେଲରୁ ଭଲ ଭଲ ସୁସ୍ଵାଦୁ ଖାଦ୍ୟ ମଧ୍ୟ ଖାଉଥିବେ। ରେଷ୍ଟୁରାଣ୍ଟ ଓ ହୋଟେଲରୁ ଖାଉଥିବା ଏହି ଖାଦ୍ୟ ପାଇଁ ବହୁ ମୂଲ୍ୟ ମଧ୍ୟ ଦେବାକୁ ପଡିଥାଏ। ବେଳେ ବେଳେ ବାହାରୁ ଖାଦ୍ୟ ସବୁ ଖାଇ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ। ତେଣୁ ସବୁବେଳେ ଘରେ ନିଜ ହାତରେ ଖାଦ୍ୟ ରାନ୍ଧି ଖାଇବା ଆବଶ୍ୟକ।

 

ଆମିଷ ଖାଦ୍ୟ ଗୁଡିକ ମଧ୍ୟରେ ଚିକେନ ଅଧିକାଂଶ ଲୋକଙ୍କର ପ୍ରିୟା ହୋଇଥାଏ। ତେଣୁ ଛୁଟିଦିନକୁ ଆହୁରି ଭଲରେ କାଟିବା ପାଇଁ ଘରେ ନିଜ ହାତରେ ଚିକେନ ପ୍ରସ୍ତୁତ କରି ଖାଆନ୍ତୁ। ଚିକେନ ସହିତ ମେଥିପତ୍ର ପକାଇ ରାନ୍ଧିବା ଦ୍ଵାରା ଏହାର ସ୍ଵାଦ ମଧ୍ୟ ଦ୍ଵିଗୁଣିତ ହୋଇଯାଇଥାଏ। ଏହା ଖୁବ କମ ସମୟରେ ମଧ୍ୟ ପ୍ରସ୍ତୁତ ହୋଇଯାଇଥାଏ। ଖ୍ୟାତନାମା ସେଫ ରଣବୀର ବ୍ରାର ବଡ଼ଦିନ ଛୁଟି ଉପଲକ୍ଷେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହିପରି ଏକ ସୁସ୍ୱାଦୁ ଚିକେନ୍ ବ୍ୟଞ୍ଜନ ବିଷୟରେ ଲେଖିଥିଲେ। ମେଥି ଚିକେନ ପାଇଁ କେଉଁ ସାମଗ୍ରୀ ଆବଶ୍ୟକ ଓ କିପରି ପ୍ରସ୍ତୁତ କରିବେ ଆସନ୍ତୁ ଜାଣିବା

 

ସାମଗ୍ରୀ

ମେଥି ଚିକେନ ପ୍ରସ୍ତୁତ କରିବା ପାଇଁ ଚିକେନ, ମେଥିପତ୍ର, ଦହି, ଟମଟୋ, ପିଆଜ, ଅଦାରସୁଣ ପେଷ୍ଟ, ତେଜପତ୍ର, ତେଲ, ଛୋଟ ଖଣ୍ଡେ ଡାଲଚିନି, ଲବଙ୍ଗ, ଜୀରା, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା ଗୁଣ୍ଡ, ସ୍ଵାଦ ଅନୁଯାୟୀ ଲୁଣ ଆବଶ୍ୟକ।

 

ପ୍ରସ୍ତୁତି ପ୍ରଣାଳୀ

ମେଥି ଚିକେନକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚିକେନକୁ ଭଲ ଭାବରେ ଧୋଇ ରଖନ୍ତୁ। ଏହାପରେ ଏକ ପ୍ୟାନକୁ ଗରମ କରି ଏଥିରେ ଏକ ଚାମଚ ତେଲ ଗରମ କରନ୍ତୁ। ତେଲ ଅଳ୍ପ ଗରମ ହୋଇଯିବା ପରେ ଏଥିରେ ଗୋଟିଏ ତେଜପତ୍ର, ଖଣ୍ଡେ ଡାଲଚିନି ଓ ଦୁଇଟି ଲବଙ୍ଗ ପକାନ୍ତୁ। ଏହାସହିତ ଅଳ୍ପ ଜୀରା ମଧ୍ୟ ପକାନ୍ତୁ। ଏହାପରେ କାଟି ରଖିଥିବା ପିଆଜକୁ ଏଥିରେ ପକାନ୍ତୁ। ପିଆଜ ଅଳ୍ପ ଭାଜି ହୋଇଯିବା ପରେ ଏଥିରେ ଅଦାରସୁଣରେ ପେଷ୍ଟ ପକାନ୍ତୁ। ଭଲ ଭାବରେ ଗୋଳାଇ ଦିଅନ୍ତୁ ଓ ଏହାପରେ କଟା ଟମାଟୋକୁ ଏଥିରେ ପକାନ୍ତୁ।

ଟମାଟୋ ଟିକେ ଭାଜି ହୋଇଯିବା ପରେ ଏଥିରେ ଚିକେନ ପକାନ୍ତୁ। ଚିକେନକୁ ଭଲ ଭାବରେ ଗୋଳେଇବା ପରେ ଏଥିରେ ସ୍ଵାଦ ଅନୁଯାୟୀ ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାନ୍ତୁ। ଅଳ୍ପ ସମୟ ପରେ ଆଗରୁ ଭଲ ଭାବରେ ଫେଣ୍ଟି ରଖିଥିବା ଦହିକୁ ଏଥିରେ ପକାନ୍ତୁ। ଅଳ୍ପ ସମୟ ଫୁଟିବା ପରେ ସ୍ଵାଦ ଅନୁଯାୟୀ  ଲୁଣ ପକାଇ ପ୍ୟାନକୁ ଘୋଡାଇ ଦିଅନ୍ତୁ। 5-6ମିନିଟ ପରେ ଘୋଡଣି କାଢି ଏଥିରେ ଗରମ ମସଲା ପକାନ୍ତୁ ଓ କଟାଯାଇଥିବା ମେଥି ପତ୍ରକୁ ପକାଇ ଗୋଳାନ୍ତୁ। ଏହାପରେ 2ମିନିଟ ପାଇଁ ଘୋଡଣି ଦେଇ ସିଝାନ୍ତୁ ଓ ତାପରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ଫୁଟାନ୍ତୁ।

 

ତରକାରୀ ଭଲ ଭାବରେ ଫୁଟିଯିବା ପରେ କଟା ପିଆଜ ଓ ଧନିଆ ପତ୍ରରେ ସଜାଇ ପରଷନ୍ତୁ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon