ସେବାୟତ-ପୋଲିସ ବିବାଦ : ଅପରାହ୍ନରେ ଆରମ୍ଭ ହେଲା ଜଗନ୍ନାଥଙ୍କ ନୀତି

Friday, December 28, 2018

(ବେତାର ବ୍ୟୁରୋ) ପୁରୀ ଶ୍ରୀମନ୍ଦିରରେ ସେବାୟତ ଓ ପୋଲିସର ମୁହାଁମୁହିଁ ଘଟଣା ଯୋଗୁଁ ଶୁକ୍ରବାର ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଥିଲା। ଏହା ସହିତ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ଜଗନ୍ନାଥଙ୍କ ଦର୍ଶନ ନପାଇ ନିରାଶ ହୋଇଥିଲେ।ଦିନ ତମାମ ଅନେକ ପ୍ରୟାସ ପରେ ଏହାର ସମାଧାନ ହୋଇପାରିନଥିଲା। ତେବେ ଅପରାହ୍ନରେ  ପ୍ରାୟ 5ଟା ବେଳକୁ ସେବାୟତମାନେ ନିଜ ନିଜ ମଧ୍ୟରେ ଆଲୋଚନା କରି ଜଗନ୍ନାଥଙ୍କ ନୀତି ଆରମ୍ଭ କରିଛନ୍ତି। 

 

ଶୁକ୍ରବାର ଦିନ ସାରା ଶ୍ରୀମନ୍ଦିରରେ ନୀତି ବନ୍ଦ ଯୋଗୁଁ ମହାପ୍ରଭୁ ଉପବାସରେ ରହିଥିଲେ ଓ ସକାଳ ନୀତି ହେଇପାରି ନ thila। ଅଚଳାବସ୍ଥା ଦୂର ପାଇଁ ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଥିଲା । ଏହାପରେ ପୁରୀ ଜିଲ୍ଲାପାଳ ଓ ଏସପି ସମସ୍ୟାର ସମାଧାନ ପାଇଁ ସେବାୟତଙ୍କ ସହ ଆଲୋଚନା କରିବାକୁ ମନ୍ଦିର ଭିତରକୁ ଯାଇଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନଥିଲା ।

 

ଯାତ୍ରୀଙ୍କପାଇଁ ଗଣ୍ଡଗୋଳ

ଅଭିଯୋଗ ଅନୁସାରେ, ପୁରୀ ସିଂହଦ୍ୱାର ନିକଟରେ ଜଣେ ସେବାୟତଙ୍କୁ ଜଣେ ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିଥିଲେ। ଦୁଇ ଜଣ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବାକୁ ନେଇ ସେବାୟତ ଓ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏହା ସହ କିଛି ପୋଲିସ କର୍ମଚାରୀ ମିଶି ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

 

ତେବେ ସେବାୟତଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗକୁ ପୁଲିସ କର୍ମଚାରୀ ଅସ୍ୱୀକାର କରିଥିଲେ। ସିସିଟିଭି ଫୁଟେଜ ଦେଖି ଘଟଣାର ତଦନ୍ତ କରାଯିବ ବୋଲି ସିଂହଦ୍ୱାର ଥାନା ଆଇଆଇସି କହିଥିଲେ। କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦିଆଯିବା ସତ୍ତ୍ୱେ ସେବାୟତ ଜିଦରେ ଅଟଳ ରହିଥିଲେ। ଯାହାଫଳରେ ଗୁରୁବାର ଏପରି ଅଚଳାବସ୍ଥା ଲାଗି ରହିଥିଲା। ବଡ଼ଦେଉଳ ଖୋଲୁ ନଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଥିଲା।

 

ସରକାରୀ ହସ୍ତକ୍ଷେପ

ଏହି ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ-“ମହାପ୍ରଭୁଙ୍କ ସେବାପୂଜାଠାରୁ ଆଉ କୌଣସି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଲୋଚନା କରାଯାଇ ଯେ କୌଣସି ବିବାଦର ସମାଧାନ ସମ୍ଭବ। କିନ୍ତୁ ତା’ ପାଇଁ ଠାକୁରଙ୍କୁ ଅପୂଜା ଓ ଉପାସ ରଖିବା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ତେଣୁ ମୁଁ ସବୁ ପକ୍ଷଙ୍କୁ ଅନୁରୋଧ କରିବି, ମହାପ୍ରଭୁଙ୍କ ନୀତିକାନ୍ତି ତୁରନ୍ତ ଆରମ୍ଭ କରନ୍ତୁ। ଶ୍ରୀମନ୍ଦିରର ମହାନ ପରମ୍ପରାରେ କଳଙ୍କ ନ ଲାଗୁ। ଅଗଣିତ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ କରା ନଯାଉ। ଆବଶ୍ୟକ ପଡ଼ିଲେ ଶୀର୍ଷ ସ୍ତରରେ ସରକାର ଏହି ବ୍ୟତିକ୍ରମରେ ହସ୍ତକ୍ଷେପ କରନ୍ତୁ।”

 

ଅନ୍ୟପଟରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି-“ଏମିତି ହେବା କଥା ନୁହେଁ। ଯାହା ହୋଇଛି ଦୁଃଖର କଥା। ସବୁ ଜଗନ୍ନାଥଙ୍କ ଇଚ୍ଛାରେ ହେଉଛି। ଯାହା ହେଉଛି ସବୁ ଜଗନ୍ନାଥ କରୁଛନ୍ତି। ସେବାୟତଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷର ଏ ଫଳ। ସ୍ଥାନୀୟ ବିଧାୟକ ଚାହିଁଲେ ବିବାଦର ସମାଧାନ ହୋଇଯିବ।”

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon