ଅଷ୍ଟ୍ରେଲିଆରେ 4ର୍ଥ ଟେଷ୍ଟ: ଦୃଷ୍ଟି ଆକର୍ଷଣ କରୁଛି କୋହଲିଙ୍କ ପିଙ୍କ୍ ଗ୍ଲୋଭ, ବ୍ୟାଟ ଗ୍ରୀପ

Thursday, January 3, 2019

(ବେତାର ବ୍ୟୁରୋ) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ସିଡନୀ ଗ୍ରାଉଣ୍ଡରେ ଖେଳାଯାଉଛି। ଏହା 2019ବର୍ଷର ପ୍ରଥମ ଟେଷ୍ଟ ମ୍ୟାଚ ଅଟେ। ସିଡନୀରେ ଗୁରୁବାରରୁ ଆରମ୍ଭ ହୋଇଥିବା ଏହି ଟେଷ୍ଟ ମ୍ୟାଚକୁ ‘ପିଙ୍କ୍ ଟେଷ୍ଟ ମ୍ୟାଚ’ ବୋଲି ମଧ୍ୟ କୁହାଯାଉଛି। ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଏହି ‘ପିଙ୍କ୍ ଟେଷ୍ଟ ମ୍ୟାଚ’କୁ ସମର୍ଥନ କରୁଥିବାର ଦେଖିବାକୁ ମିଳିଥିଲା।

 

ଚତୁର୍ଥ ଟେଷ୍ଟ ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରୁଥିବା ଭାରତୀୟ ଦଳର ଦ୍ଵିତୀୟ ୱିକେଟ ପଡିବା ପରେ ଅଧିନାୟକ ବିରାଟ କୋହଲି ଗ୍ରାଉଣ୍ଡକୁ ଆସିଥିଲେ। ବିରାଟ କୋହଲି ଏହି ‘ପିଙ୍କ୍ ଟେଷ୍ଟ ମ୍ୟାଚ’ର ସମର୍ଥନରେ ଏପରି କିଛି କରିଥିଲେ ଯାହାକି ଅଷ୍ଟ୍ରେଲିୟଙ୍କର ମନ ଜିତି ପାରିଥିଲା। ବିରାଟ କୋହଲିଙ୍କର ବ୍ୟାଟର ଗ୍ରିପ, ଷ୍ଟିକର ଓ ହାତର ଗ୍ଲୋବ୍ସ ଗୋଲାପି ରଙ୍ଗର ଥିଲା। ସାଧାରଣତଃ ବିରାଟଙ୍କ ବ୍ୟାଟର ଷ୍ଟିକର ଲାଲ ରଙ୍ଗ ଓ ଗ୍ରିପ ଧଳା ରଙ୍ଗର ହୋଇଥାଏ। ‘ପିଙ୍କ୍ ଟେଷ୍ଟ ମ୍ୟାଚ’କୁ ସମର୍ଥନ କରିବା ପାଇଁ ସେ ଏପରି କରିଥିଲେ।

 

ବିସିସିଆଇ ତରଫରୁ ବିରାଟ କୋହଲିଙ୍କ ଏକ ଫଟୋ ଟ୍ଵିଟରରେ ପୋଷ୍ଟ କରାଯାଇଥିଲା ଓ ଲେଖାଯାଇଥିଲା ଯେ, ଏହି ଅବସରରେ ବିରାଟ କୋହଲି ଗୋଲାପି ହୋଇଯାଇଛନ୍ତି। ଏହାସହିତ କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ୱେବସାଇଟ cricket.com.au ତରଫରୁ ଟ୍ଵିଟ କରାଯାଇ ଲେଖାଯାଇଥିଲା ଯେ, ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ‘ପିଙ୍କ୍ ଟେଷ୍ଟ ମ୍ୟାଚ’ ଓ ଗ୍ଲେନ ମ୍ୟାକଗ୍ରାଥଙ୍କ ସଂସ୍ଥାର ସମର୍ଥନ କରିଛନ୍ତି।

‘ପିଙ୍କ୍ ଟେଷ୍ଟ ମ୍ୟାଚ’ କଣ

ନୂଆବର୍ଷରେ ସିଡନୀରେ ଖେଳାଯାଉଥିବା ପ୍ରଥମ ମ୍ୟାଚକୁ ‘ପିଙ୍କ୍ ଟେଷ୍ଟ ମ୍ୟାଚ’ କୁହାଯାଇଥାଏ। ଅଷ୍ଟ୍ରେଲିଆର ପୂର୍ବତନ ଫାଷ୍ଟବୋଲର ଗ୍ଲେନ ମ୍ୟାକଗ୍ରାଥଙ୍କ ସଂସ୍ଥା ଗ୍ଲେନ ମ୍ୟାକଗ୍ରାଥ ଫାଉଣ୍ଡେଶନକୁ ସମର୍ଥନ କରିବା ପାଇଁ ଏପରି କରାଯାଇଥାଏ। 

 

ଏହି ସଂସ୍ଥା ଲୋକମାନଙ୍କୁ ସ୍ତନ କର୍କଟ ପ୍ରତି ସଚେତନ କରିଥାଏ ଓ ଏହି ରୋଗ ବିଷୟରେ ଲୋକଙ୍କୁ ଶିକ୍ଷା ଦେଇଥାଏ। ଏହି ଫାଉଣ୍ଡେଶନ ପାଇଁ ସିଡନୀ ଟେଷ୍ଟ ଗ୍ରାଉଣ୍ଡକୁ ନୂଆବର୍ଷରେ ହେଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ପାଇଁ ଗୋଲାପି ରଙ୍ଗରେ ସଜାଯାଇଥାଏ। ଏହି ମ୍ୟାଚରୁ ଜମା ରାଶିକୁ ଗ୍ଲେନ ମୈକଗ୍ରୋଙ୍କ ଫାଉଣ୍ଡେଶନକୁ ଦିଆଯାଇଥାଏ।

 

ଗ୍ଲେନ ମ୍ୟାକଗ୍ରାଥଙ୍କ ପତ୍ନୀ ଜୈନ ମ୍ୟାକଗ୍ରାଥଙ୍କ ମୃତ୍ୟୁ ଏହି ସ୍ତନ କର୍କଟ ରୋଗରେ ହୋଇଥିଲା। ଏହା ପରଠାରୁ ସେ ଏହି ଅଭିଯାନ ଚଳାଉଛନ୍ତି। 

ଏହି ମ୍ୟାଚ ସମୟରେ ୱିକେଟ ଷ୍ଟମ୍ଫ ଠାରୁ ଆରମ୍ଭ କରି ଷ୍ଟାଡିୟମର ଅଧିକାଂଶ ଜିନିଷ ଗୋଲାପି ରଙ୍ଗରେ ରଙ୍ଗୀନ କରାଯାଏ। ଖେଳାଳୀମାନେ ମଧ୍ୟ ଏହାକୁ ସମର୍ଥନ କରିଥାନ୍ତି।

 

ସିଡନୀରେ ପ୍ରଥମ ‘ପିଙ୍କ୍ ଟେଷ୍ଟ ମ୍ୟାଚ’ 2009 ମସିହାରେ ଖେଳାଯାଇଥିଲା। ଏହି ମ୍ୟାଚଟି ଅଷ୍ଟ୍ରେଲିଆ ଓ ସାଉଥଆଫ୍ରିକା ମଧ୍ୟରେ ଖେଳାଯାଇଥିଲା।ଏହାପରେ ଏହି ପ୍ରଥା ଚାଲୁଅଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଏହି ଚତୁର୍ଥ ଟେଷ୍ଟ ମ୍ୟାଚଟି 11ତମ ‘ପିଙ୍କ୍ ଟେଷ୍ଟ ମ୍ୟାଚ’ ଅଟେ।     

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon