କଲିକତାର ଗଚ୍ଛିତ କଏନ ଗଦା ହେଉଛି ଭୁବନେଶ୍ଵରରେ : କାରଣ କ'ଣ ?

Wednesday, January 16, 2019

(ବେତାର ବ୍ୟୁରୋ) ମଙ୍ଗଳବାର ଦିନ ଓଡିଶାର ଜିଏସଟି ବିଭାଗ କର୍ମଚାରୀମାନେ ବିଶେଷ ସୂତ୍ରରୁ ଖବର ପାଇ କଲିକତାରୁ ଭୁବନେଶ୍ୱର ଆସୁଥିବା ଏକ ବସରେ ଚଢାଉ କରିଥିଲେ ଓ ସେଥିରୁ 20 ବସ୍ତା କଏନ ଜବତ କରିଥିଲେ।  ଜବତ ବସର ଡ୍ରାଇଭରଙ୍କ କହିବା ଅନୁସାରେ, ପ୍ରତି ୨ରୁ ୪ ଦିନରେ ଥରେ ସେ ଏମିତି ବସରେ କଏନ ଆସିଥାଏ ।

 

ତେବେ ଏତେ ପରିମାଣର କଏନ କିଏ ଓ କେଉଁ ଉଦ୍ଦେଶ୍ୟରେ ପଶ୍ଚିମ ବଙ୍ଗରୁ ଓଡ଼ିଶାକୁ ପଠାଉଛି ତାହାର ନିର୍ଦ୍ଦିଷ୍ଟ ଉତ୍ତର ସରକାରୀ ଅଧିକାରୀଙ୍କ ପାଖରେ ନାହିଁ । ଏତେ ଟଙ୍କା କେଉଁଠାରୁ ଆସିଲା ସେ ବିଷୟରେ ଯାଞ୍ଚକରି ରିପୋର୍ଟ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖି ଅନୁରୋଧ କରିଛି ଓଡିଶାର ଜିଏସଟି ବିଭାଗ ।  

 

ଶସ୍ତା ହେଉଛି କଏନ

ତେବେ ଏହାର ଅସଲ କାରଣ ହେଉଛି ପଶ୍ଚିମବଙ୍ଗରେ  ବିଶେଷ କରି କଲିକତା ବଜାରରେ କଏନର ଯୋଗାଣ ଅଧିକ ଥିବା ଓ ବ୍ୟାଙ୍କ ଏଗୁଡ଼ିକୁ ନେବାକୁ ଅମଙ୍ଗ ଥିବା । ପ୍ରାୟ ଛଅରୁ ଆଠମାସ ହେବ କଲିକତାରେ ବିଭିନ୍ନ ବ୍ୟାଙ୍କ ଗୁଡିକରେ କଏନ ରଖିବା ଭଣ୍ଡାର ଭର୍ତ୍ତି ଥିବା କାରଣ ଦର୍ଶାଇ ସେମାନେ  ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନକୁ ମୁଦ୍ରା ଗୁଡିକୁ ଗଚ୍ଛିତ କରିବା ସମ୍ଭବପର ନୁହେଁ ବୋଲି ସରକାରୀ ଭାବେ ନ ହେଲେ ମଧ୍ୟ ଲୁଚାଛାପାରେ ମନା କରି ଦେଉଛନ୍ତି ।

 

ଏଣେ ନିଜ ଗୋଦାମରେ ମୁଦ୍ରା ଗୁଡିକୁ ରଖିବାପାଇଁ ଜାଗା ନ ଥିବାରୁ ବ୍ୟବସାୟ ପ୍ରତିଷ୍ଠାନଗୁଡିକ କୋଲକାତାର ଖୁଚୁରା ମୁଦ୍ରା ବ୍ୟାପାରୀଙ୍କୁ ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

 

ବାଣିଜ୍ୟ-ବ୍ୟବସାୟ ସମ୍ପର୍କିତ ଖବର ପ୍ରକାଶ କରୁଥିବା ମିଣ୍ଟ  ସମ୍ବାଦପତ୍ର ମୁତାବକ ଏକ ଟଙ୍କିଆ କଏନକୁ 25% ଶସ୍ତାରେ ଓ 2 ଟଙ୍କିଆ ଏବଂ 5 ଟଙ୍କିଆ କଏନକୁ 20% ଶସ୍ତାରେ ବ୍ୟବସାୟୀମାନେ ସେଠାକାର ଖୁଚୁରା ମୁଦ୍ରା ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ଅର୍ଥାତ ଏକ ଟଙ୍କିଆ କଏନ 75 ପଇସାରେ, ଦୁଇ ଟଙ୍କିଆ କଏନ 1.60ରେ ଓ 5ଟଙ୍କିଆ କଏନକୁ 4 ଟଙ୍କା ହିସାବରେ ରେ ବିକ୍ରି କରିଦେଉଛନ୍ତି ।  ଏହି ଖୁଚୁରା ମୁଦ୍ରା  ବ୍ୟବସାୟୀମାନେ କଲିକତାରୁ ଏ ସମସ୍ତ କଏନ ବିହାର , ଓଡିଶା ଆଦି ସ୍ଥାନକୁ ବସ ଯୋଗେ ପଠାଇଦେଉଛନ୍ତି ।

ବରମୁଣ୍ଡା ପେଣ୍ଠସ୍ଥଳ

ଓଡିଶାରେ ପ୍ରତିଦିନ ଶହ ଶହ ବସ ବିଭିନ୍ନ ରାଜ୍ୟକୁ ଯାତାୟତ କରୁଛି । ହେଲେ କେଉଁ ଗାଡ଼ିରେ କି କି ଜିନିଷ ସବୁ ଚାଲାଣ ହେଉଛି ତା’ର ଠିକ୍‌ ଭାବେ ଯାଞ୍ଚ କରାଯାଉନାହିଁ । କିଛି ପରିମାଣରେ ଟ୍ରକ୍‌ ଗୁଡ଼ିକୁ ଯାଞ୍ଚ କରାଯାଉଥିଲେ ମଧ୍ୟ ବସ୍ ଗୁଡ଼ିକୁ ନଜର ଅନ୍ଦାଜ କରାଯାଉଛି । ଫଳରେ ଏହାର ମଉକା ନେଉଛନ୍ତି ବେଆଇନ୍‌ ମୁଦ୍ରା ଚାଲାଣକାରୀ ବ୍ୟବସାୟୀ ।

 

ଭୁବନେଶ୍ବର ସ୍ଥିତ ବରମୁଣ୍ଡା ବସ ଷ୍ଟାଣ୍ଡରେ ଏହିପରି କଏନ ବସ୍ତା ବସର ଛାତ ଉପରେ ଓ ଲଗେଜ ରଖିବା ସ୍ଥାନରେ ଭର୍ତ୍ତି ହେଇ ଆସିବା ପରେ ସେଠାକୁ ବିଭିନ୍ନ ବ୍ୟବସାୟୀ ମାନେ ଆସି ନିଜ ନିଜ ଅଞ୍ଚଳର ଚାହିଦା ମୁତାବକ କଏନ ବସ୍ତା ନେଇଥାନ୍ତି । ତେବେ ଏହାର ଦର କଲିକତାରେ ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସ୍ଥାନ ଅଭାବରୁ ବିକ୍ରି କରୁଥିବା ଦର ଠାରୁ ଅଧିକ ହେଇଥାଏ । ଅର୍ଥାତ 1 ଟଙ୍କିଆ କଏନର ମୂଲ୍ୟ 80 ବା 90 ପଇସା ଧାର୍ଯ୍ୟ ହେଇଥାଏ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon