ଯୋଗୀଙ୍କ ନିଷ୍ପତ୍ତି : ଉତ୍ତର ପ୍ରଦେଶରେ ବୁଲା ଗୋରୁ ରହିବେ ଜେଲରେ

Wednesday, January 16, 2019

 (ବେତାର ବ୍ୟୁରୋ) ଉତ୍ତର ପ୍ରଦେଶରେ ଗୋହତ୍ୟା ଆଇନ ଯୋଗୀ ସରକାର ଆସିବା ପରଠାରୁ କଡାକଡି ଭାବେ ଲାଗୁ ହେବା ପରେ ସେଠାରେ ରାସ୍ତାରେ ବୁଲା ଗୋରୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁ ଚାଷୀମାନେ  ଗୋରୁମାନଙ୍କୁ ବିକ୍ରି କରୁଥିଲେ ସେମାନେ ଗୋରୁ ବିକ୍ରି ନ ହେଇ ପାରିବାରୁ ସେଗୁଡିକ ରାସ୍ତାକୁ ଛାଡି ଦେଉଛନ୍ତି , ଫଳରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହିତ ଦୁର୍ଘଟଣା ମଧ୍ୟ ହେଉଛି ।

 

ଏହାର ଉପାୟ ପାଇଁ ଯୋଗୀ ସରକାର ସେଠାରେ ପଶୁପାଳନ ଗୃହ ନିର୍ମାଣ କରିବାକୁ ଯୋଜନା କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଇ ପାରି ନାହିଁ । ଏଣେ ରାସ୍ତାରେ ବୁଲାଗୋରୁ ସମସ୍ୟା ବଢିଥିବାରୁ ସେମାନଙ୍କର ଥଇଥାନ ପାଇଁ ନିଷ୍ପତ୍ତି ନିଆଯାଇଛି ଯେ, ଏଣିକି ବୁଲାଗୋରୁ ଗୁଡିକ ରାଜ୍ୟର ଜେଲ ମାନଙ୍କରେ ଥିବା  ଖାଲି ପଡିଆମାନଙ୍କରେ ରହିବେ ।

 

ଏହି ବ୍ୟବସ୍ଥା ଅନୁସାରେ ଉତ୍ତର ପ୍ରଦେଶର ବିଭିନ୍ନ ଜେଲରେ ଥିବା ଖାଲି ପଡିଆ ଅଞ୍ଚଳରେ ପ୍ରାଚୀର ନିର୍ମାଣ କରାଯିବ ଓ ସେଗୁଡିକ ଗୌସେବା କେନ୍ଦ୍ର କୁହାଯିବ ।

 

କଏଦୀ କରିବେ ସେବା 

ରାଜ୍ୟର କମିଶନରଙ୍କ ତରଫରୁ ଏ ସଙ୍କ୍ରାନ୍ତରେ ସମସ୍ତ  ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖା ଯାଇ ଖାଲି ପଡିଥିବା ପଡିଆ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ମଗା ଯାଇଛି  ଓ ଯେଉଁଠି ପଡିଆ ସହିତ ପ୍ରାଚୀରର ବ୍ୟବସ୍ଥା ଅଛି ସେଠାରେ ବୁଲାଗୋରୁଙ୍କୁ ଜାନୁଆରୀ 31 ତାରିଖ ସୁଦ୍ଧା ରଖିବାର ନିର୍ଦ୍ଦେଶ ଦିଆଯାଇଛି ।

 ଏହି ବ୍ୟବସ୍ଥାରେ ଜେଲର କଏଦୀ ମାନେ ଗୋସେବା କରିବେ ଓ ଏହା ବାବଦକୁ ସେମାନଙ୍କୁ ମାସିକ ପାରିଶ୍ରମିକ ମଧ୍ୟ ମିଳିବ । ଏହି କେନ୍ଦ୍ରରୁ ହେଉଥିବା ଦୁଗ୍ଧ ଉତ୍ପାଦନ ଜେଲରେ ବ୍ୟବହୃତ ହେବ । ତେବେ ଗୋରୁଙ୍କ ନିମନ୍ତେ ଚାରା ବନ୍ଦୋବସ୍ତ ଜେଲ ମାନଙ୍କୁ ନିଜେ କରିବାକୁ ପଡିବ ଓ ସେମାନେ ଏଥିପାଇଁ ସ୍ଥାନୀୟ ଜନ ପ୍ରତିନିଧିମାନଙ୍କୁ ଅନୁରୋଧ କରିପାରିବେ ବୋଲି ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।    

ବୁଲା ଗୋରୁଙ୍କ ଥଇଥାନ ବିଷୟରେ ଉଚିତ ପଦକ୍ଷେପ ଜାନୁୟାରୀ 10 ତାରିଖ ସୁଦ୍ଧା ନେବାକୁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଜାରି ହେଇଥିଲା । ତେବେ ସେଭଳି କିଛି ପଦକ୍ଷେପ ନିଆ ନ ଯିବାରୁ ଯୋଗୀ ସରକାର ଗୋରୁ ଗୁଡିକୁ ଜେଲରେ ରଖିବାର ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ଆଗରୁ ଗୋରୁ ମାନଙ୍କ ଯତ୍ନ ନିମନ୍ତେ ରାଜ୍ୟ ସରକାର ପଶୁକଲ୍ୟାଣ ସେସ୍ ଲାଗୁ କରିବାର ନିଷ୍ପତ୍ତି ନେଇସାରିଛନ୍ତି ।

 

ଜେଲରେ ଗୋସେବା କେନ୍ଦ୍ର ଖୋଲିବାର ଯୋଜନା ଉତ୍ତର ପ୍ରଦେଶରେ ପୂର୍ବରୁ ଥରେ କାର୍ଯ୍ୟକାରୀ ହେଇସାରିଛି । ଲକ୍ଷ୍ନୌ ସ୍ଥିତ ଏକ ଜେଲରେ ଏହିପରି ଏକ କେନ୍ଦ୍ର  ସଫଳ ହେବାରୁ ତାହାକୁ ଡାଏରୀ ଫାର୍ମ ଭାବେ ବିକଶିତ କରାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon