ଶ୍ରୀମନ୍ଦିରରେ ଅବଢ଼ା ଦର ତାଲିକା : ଛିଡୁନି ଦର କଷାକଷି

Tuesday, January 29, 2019

(ବେତାର ବ୍ୟୁରୋ) ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ସୁଲଭ ଦରରେ ମହାପ୍ରସାଦ ଯୋଗାଇଦେବାପାଇଁ ମନ୍ଦିର ପରିସରରେ ରେଟ ଚାର୍ଟ ବା ଦର ତାଲିକା ଲଗାଇବାକୁ ଗତ ମାସରେ ପ୍ରଶାସନ କରିଥିବା ନିଷ୍ପତ୍ତି ଏ ଯାଏଁ କାର୍ଯ୍ୟକାରୀ ହେଇପାରିନାହିଁ। ଏହାର ମୂଳ କାରଣ ହେଉଛି ଅବଢ଼ା ଦର କୁ ନେଇ ମନ୍ଦିର ପ୍ରଶାସନ ଓ ସୁଆର ନିଯୋଗ ଭିତରେ ଥିବା ମତଭେଦ।

 

ଦର ତାଲିକା ସଂକ୍ରାନ୍ତରେ ପ୍ରାୟତଃ ତିନି ଚାରିଥର ବୈଠକ ବସିଥିଲେ ମଧ୍ୟ ଏ ନେଇ କୌଣସି ସମାଧାନ ଆଜି ପର୍ଯ୍ୟନ୍ତ ବହାରିପାରୁନାହିଁ। 

 

ମଙ୍ଗଳବାର ଦିନ ସକାଳେ ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ବୈଠକରେ ମହାପ୍ରସାଦ ଦର ନିର୍ଦ୍ଧାରଣ ହୋଇଥିଲା। ଆନନ୍ଦ ବଜାର ସଂସ୍କାରକୁ ନେଇ ବସିଥିବା ବୈଠକରେ ମହାପ୍ରସାଦ ଓ ଅବଢ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ନିଯୋଗର ବୈଠକରେ ଆଲୋଚନା ପରେ ମହାପ୍ରସାଦର ଦର ନିର୍ଦ୍ଧାରଣ କରାଯାଇଥିଲା। ତେବେ ଏହି ଦର ମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥିବା ଦର ତାଲିକା ଠାରୁ ଭିନ୍ନ ଅଟେ। 

 

ବଜାରରେ ଡାଲି,ଚାଉଳ ଓ ପରିବା ଦର ବର୍ଷସାରା କମ ବେଶୀ ହେଉଥିବାରୁ ଏକ ସ୍ଥିର ଦର ତାଲିକା ସୁଆର ମାନଙ୍କ କ୍ଷତି କରିବ ବୋଲି ସୁଆର ସେବକମାନେ ମତ ରଖିଛନ୍ତି। ତେଣୁ ଏ ନେଇ ଏକ ନିର୍ଦ୍ଦିଷ୍ଟ ସୂତ୍ର ବାହାର କରିବାକୁ ସେମାନେ ମନ୍ଦିର ପ୍ରଶାସନକୁ ଅବଗତ କରାଇଛନ୍ତି।

 

ତେବେ ମଙ୍ଗଳବାର ଅପରାହ୍ନରେ ପୁରୀ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ। ତେବେ ଦର ତାଲିକା ପାଇଁ ସୁଆର ସେବକଙ୍କ ସହିତ ଆଲୋଚନା ଜାରି ରହିବ ଓ ପ୍ରାୟତଃ ମାସେ ଭିତରେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ପ୍ରକାଶ ପାଇବ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।

 

ଶ୍ରୀମନ୍ଦିରର ଆନନ୍ଦବଜାରରେ ଅବଢାଦର ଲାଗୁହେବ ବୋଲି ଅନେକ ଦିନରୁ ଖବର ଶୁଣିବାକୁ ମିଳୁଛି। ଗତବର୍ଷ ଡିସେମ୍ବର ମାସରେ ମହାପ୍ରସାଦ ଦର ନିର୍ଦ୍ଧାରଣ ପାଇଁ ପରୀକ୍ଷାମୂଳକ ଭାବେ ମହାପ୍ରସାଦ ରନ୍ଧାଯାଇଥିଲା। ସୁଆର, ନିଯୋଗଙ୍କ ସହିତ ଆଲୋଚନା ପରେ ଏହି ଦର ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଇଥିଲା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାଲକ୍ଷ୍ମୀ ଭଣ୍ଡାରରୁ ସାମଗ୍ରୀ ଯୋଗାଇ ଦିଅଯାଇଥିଲା। ମହାପ୍ରସାଦ ପ୍ରସ୍ତୁତି ପାଇଁ କେଉଁ ସାମଗ୍ରୀ କେତେ ପରିମାଣର ଆବଶ୍ୟକ ତାହାର ମଧ୍ୟ ଏକ ତାଲିକା କରଯାଇଥିଲା। 

 

ଏହିସବୁ ସାମଗ୍ରୀ ପାଇଁ କେତେ ଖର୍ଚ୍ଚ ହେଉଛି ଓ ପାଳିଆ, ପୋଛିଆ ସୁପକାର ସେବାୟତଙ୍କ ପାଉଣାକୁ ମଧ୍ୟ ବିଚାରକୁ ନିଆଯାଇଛି। ଏହି ସମସ୍ତ ଖର୍ଚ୍ଚକୁ ଆକଳନ କରି ଦର ଆକଳନ କରାଯିବ। ମହାପ୍ରସାଦ ଦର ଲାଗୁ ହେବା ପରେ ଏହାପରେ ଭକ୍ତମାନେ ଆନନ୍ଦବଜାରରୁ ସୁଲଭ ମୂଲ୍ୟରେ ଅବଢା ପାଇପାରିବେ।

 

ନୀତି ବିଳମ୍ବ ହେଲେ ପାଳି ଯିବ

ମନ୍ଦିର ପ୍ରଶାସନର ଅନ୍ୟ ଏକ ନିଷ୍ପତ୍ତି କ୍ରମେ ମହାପ୍ରଭୁଙ୍କ ସେବା ଓ ନୀତିକାନ୍ତିରେ ବିଳମ୍ବ ହେଲେ ଏଣିକି ସେବକମାନଙ୍କ ପାଳି ବାତିଲ ହେବ। ତେବେ ପ୍ରଥମ ଦୁଇଥର ସେମାନଙ୍କ ବ୍ୟବହାରକୁ କ୍ଷମା ଦିଆଯିବ, ମାତ୍ର ତୃତୀୟଥର ବିଲମ୍ଭ ହେଲେ ସମ୍ପୃକ୍ତ ସେବକଙ୍କ  ଶାଢ଼ୀ ବନ୍ଧା ଓ ଅନ୍ୟାନ୍ୟ ନୀତି ପାଳି ବାତିଲ କରିଦିଆଯିବା ବୋଲି ନିଷ୍ପତ୍ତି ନିଆଯାଇଛି।

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon