
(ବେତାର ବ୍ୟୁରୋ) ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ଅନେକ ସମୟରେ ନିଜ ଦଳକୁ ଅନେକ ବାର ଦ୍ଵିତୀୟ ଇନିଙ୍ଗ୍ସରେ ବ୍ୟାଟିଂ କରି ଜିତାଇଛନ୍ତି । ଅନ୍ୟ ଅର୍ଥରେ ଭାରତୀୟ ଦଳ ଯେତେବେଳେ ଦ୍ଵିତୀୟ ଇନିଙ୍ଗ୍ସରେ ବ୍ୟାଟିଙ୍ଗ କରୁଥାଏ ଓ ଏହି ଦୁଇ ଖେଳାଳୀ ବ୍ୟାଟିଙ୍ଗ କରୁଥାନ୍ତି ସେତେବେଳ ଯାଏଁ ଭରସା ଥାଏ ଯେ, ଭାରତ ମ୍ୟାଚ ଜିତିଯିବ। ଏହି ଦୁଇ ଖେଳାଳୀଙ୍କୁସେଥିପାଇଁ ଇଂରାଜୀରେ (chase master) ‘ଚେଜ ମାଷ୍ଟର’ ବୋଲି କୁହାଯାଇଥାଏ। କିନ୍ତୁ ଏହି ଦୁଇ ଖେଳାଳୀଙ୍କୁ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲି ରାଜପଛରେ ପକାଇ ଦେଇଛନ୍ତି।
ପଛରେ ବ୍ୟାଟିଙ୍ଗ କରି ଦଳକୁ ଜିତାଇବାରେ ମହିଳା କ୍ରିକେଟର ମିତାଲି ରାଜଙ୍କ ହାରାହାରି ରନରେଟ ୧୧୧.୨୯ ହୋଇଯାଇଛି। ଅନ୍ୟପଟେ ମହେନ୍ଦ୍ର ସିଂ ଧୋନିଙ୍କ ହାରାହାରି ରନରେଟ ୧୦୩.୦୭ ରହିଥିବା ବେଳେ ବିରାଟ କୋହଲିଙ୍କ ହାରାହାରି ରନରେଟ ୯୬.୨୩ ରହିଛି। ଏଥିରୁ ଜଣାପଡୁଛି ପଛରେ ବ୍ୟାଟିଙ୍ଗ କରି ଦଳକୁ ଜିତାଇବାରେ ମିତାଲି ରାଜ ଏହି ଦୁଇ ଖେଳାଳୀଙ୍କୁ ପଛରେ ପକାଇ ଦେଇଛନ୍ତି।
ଭାରତୀୟ ମହିଳା କ୍ରିକେଟ ଦଳ ଓ ନ୍ୟୁଜିଲାଣ୍ଡର ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତୀୟ ଦଳ ୮ୱିକେଟରେ ବିଜୟ ହାସଲ କରି ସିରିଜକୁ ୨-୦ରେ ଜିତିଯାଇଛି। ଏହି ବିଜୟ ପଛରେ ମିତାଲି ରାଜଙ୍କ ମୁଖ୍ୟ ଭୂମିକା ରହିଥିଲା। ମିତାଲି ରାଜ ୧୧୧ଟି ବଲରେ ୬୩ରନ ସଂଗ୍ରହ କରି ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ମିତାଲିଙ୍କର ଏହି ଧୀର ବ୍ୟାଟିଙ୍ଗ ପାଇଁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା ଜଣେ ଟ୍ଵିଟର ବ୍ୟବହାରକାରୀ ମିତାଲି ରାଜଙ୍କ ବ୍ୟାଟିଙ୍ଗକୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଧୋନି ଖେଳିଥିବା ଧୀର ବ୍ୟାଟିଙ୍ଗକୁ ତୁଳନା କରି ଲେଖିଛନ୍ତି ଯେ, “ମିତାଲି ରାଜ ଧୋନିଙ୍କ ଠାରୁ ମଧ୍ୟ ଧୀର ଖେଳୁଛନ୍ତି, ତେଣୁ ସେ ଅବସର ନେଇ ଯୁବା ଖେଳାଳୀଙ୍କୁ ସୁଯୋଗ ଦେବା ଉଚିତ।“
ଅନ୍ୟଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, “ମିତାଲି ରାଜ ୧୦୨ବଲରେ ଅର୍ଦ୍ଧଶତକ ହାସଲ କଲେ। ଧୋନିଙ୍କ ରେକର୍ଡ ନିରାପଦ ରହିଛି।“
ସମାଲୋଚନା କରାଯିବା ପରେ ବର୍ତ୍ତମାନ ସେ ରନ ଚେଜ୍ କରି ଦଳକୁ ଜିତାଇବାରେ ଏପରି ଏକ ରେକର୍ଡ ସୃଷ୍ଟି କରିଛନ୍ତି ଯେ, ଏହାଆଗରେ ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଫିକା ପଡିଯାଇଛି। ମିତାଲି ରାଜ ଏହି ଦ୍ଵିତୀୟ ଦିନିକିଆ ମ୍ୟାଚରେ ଧୀର ବ୍ୟାଟିଙ୍ଗ କରିବା ସହିତ ଶେଷରେ ଛକାମାରି ଦଳକୁ ଜିତାଇଥିଲେ। ଏହାପରେ ଦର୍ଶକମାନେ ତାଙ୍କୁ ମହିଳା ଦଳର ‘ଧୋନି’ ବୋଲି ମଧ୍ୟ କହିଥିଲେ।