ଆଇସିସି ୱାନ-ଡେ ରାଙ୍କିଙ୍ଗରେ ଭାରତ 2ୟ

Monday, February 4, 2019

(ବେତାର ବ୍ୟୁରୋ) ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ICC) ତରଫରୁ ସୋମବାର ଦିନିକିଆ କ୍ରିକେଟର ରାଙ୍କିଙ୍ଗ ପ୍ରକାଶ ପାଇଛି। ଏହି ତାଲିକାରେ ଭାରତୀୟ ଦଳ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛି। ଏହାସହିତ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ଓ ଫାଷ୍ଟ ବୋଲର ଜସପ୍ରୀତ ବୁମରାହ ଶ୍ରେଷ୍ଠ ବୋଲର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି।

 

ଆଇସିସି ତରଫରୁ କୁହାଯାଇଛି ଯେ, ଭାରତ ଓ ନ୍ୟୁଜିଲାଣ୍ଡ  ମଧ୍ୟରେ ଖେଲାଯାଇଥିବା ଦିନିକିଆ ସିରିଜ ଜିତିବା ପରେ ଭାରତୀୟ ଦଳ ପାଖରେ ବର୍ତ୍ତମାନ 122 ପଏଣ୍ଟ ରହିଛି ଓ ଏହାସହିତ ତାଲିକାରେ ଇଂଲଣ୍ଡ ପରେ ଦ୍ଵିତୀୟ ସ୍ଥାନରେ ରହିଛି। ଇଂଲଣ୍ଡ ପାଖରେ ବର୍ତ୍ତମାନ 126 ପଏଣ୍ଟ ରହିଛି। ଏହି ତାଲିକାରେ 111 ପଏଣ୍ଟ ସହିତ ତୃତୀୟ ସ୍ଥାନରେ ସାଉଥ ଆଫ୍ରିକା ରହିଛି। ଭାରତ ଠାରୁ ସିରିଜ ହାରିବା ପରେ ନ୍ୟୁଜିଲାଣ୍ଡ ଏହି ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛି।

 

ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ତେବେ ଗତ ମାସରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କ ରାଙ୍କିଙ୍ଗ ଏହି ତାଲିକାରେ ଉପରକୁ ଉଠିଛି। ଏହି ସିରିଜରେ ମହେନ୍ଦ୍ର ସିଂ ଧୋନିଙ୍କୁ ଶ୍ରେଷ୍ଠ ଖେଳାଳୀ ରୂପେ ମଧ୍ୟ ବଛାଯାଇଥିଲା। ଅଷ୍ଟ୍ରେଲିଆ ବିରୁଦ୍ଧରେ ସେ ତିନୋଟି ମ୍ୟାଚରେ ଲଗାତାର ଅର୍ଦ୍ଧଶତକ ହାସଲ କରିଥିଲେ ଓ ଏହା ଫଳରେ ସେ ତାଲିକାରେ  17ତମ ସ୍ଥାନରେ ପହଞ୍ଚି ପାରିଛନ୍ତି।

ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତାଲିକାରେ ଦ୍ଵିତୀୟ ସ୍ଥାନରେ ଭାରତୀୟ ଓପନର ରୋହିତ ଶର୍ମା, ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର ରସ ଟୟଲର, ଚତୁର୍ଥ ସ୍ଥାନରେ ଇଂଲଣ୍ଡର ଜୋ ରୁଟ ଓ ପଞ୍ଚମ ସ୍ଥାନରେ ପାକିସ୍ଥାନର ବାବର ଆଜମ ନିଜ ସ୍ଥାନ ପୂର୍ବପରି ବଜାୟ ରଖିଛନ୍ତି।

 

ସେହିପରି ଶ୍ରେଷ୍ଠ ବୋଲର ତାଲିକାରେ ଭାରତୀୟ ଫାଷ୍ଟ ବୋଲର ଜସପ୍ରୀତ ବୁମରାହ ନିଜ ସ୍ଥାନ ବଜାୟ ରଖିଛନ୍ତି। ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଲଗାତର ଭାବରେ ଉତ୍କୃଷ୍ଟ ପ୍ରଦର୍ଶନ କରି ତାଲିକାରେ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି ଓ ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛନ୍ତି। କିନ୍ତୁ ଭାରତର ଅନ୍ୟତମ ବୋଲର କୁଳଦୀପ ଯାଦବ ତାଲିକାରେ ଗୋଟିଏ ସ୍ଥାନ ତଳକୁ ଖସି ଯାଇଛନ୍ତି ଓ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛନ୍ତି।

ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଲାଯାଇଥିବା ଦିନିକିଆ ସିରିଜରେ ଘାତକ ବୋଲିଂ କରିଥିବା ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟ ଶ୍ରେଷ୍ଠ ବୋଲର ତାଲିକାରେ ସାତଟି ସ୍ଥାନ ଉପରକୁ ଉଠିଛନ୍ତି ଓ ତୃତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହି ସିରିଜରେ ସେ ମୋଟ 12ଟି ୱିକେଟ ନେଇଥିଲେ। 4-1ରେ ସିରିଜ ଜିତିଥିବା ଭାରତୀୟ ଦଳକୁ ସିରିଜର ଚତୁର୍ଥ ମ୍ୟାଚରେ ନିଜ ବୋଲିଂ ସାହାଯ୍ୟରେ ଧରାଶାୟୀ କରିଦେଇଥିଲେ। ଶ୍ରେଷ୍ଠ ବୋଲର ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଫଗାନିସ୍ଥାନର ବୋଲର ରାଶିଦ ଖାନ ନିଜ ସ୍ଥାନ ବଜାୟ ରଖିଛନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon