କପିଳ ଦେବଙ୍କ ଏହି ରେକର୍ଡ ଭାଙ୍ଗିଲେ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ

Friday, February 15, 2019

(ବେତାର ବ୍ୟୁରୋ) ସାଉଥ ଆଫ୍ରିକା କ୍ରିକେଟ ଦଳର ପ୍ରମୁଖ ଫାଷ୍ଟ ବୋଲର ଡେଲ ଷ୍ଟେନ ଗୁରୁବାର ଦିନ ଶ୍ରୀଲଙ୍କା ବିରୁଦ୍ଧରେ ଖେଳୁଥିବାର ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଏକ ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧି ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ୱିକେଟ ନେବାରେ ସେ ଭାରତର ପୂର୍ବତନ ଖେଳାଳୀ କପିଳ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି ଓ ଏହି ତାଲିକାରେ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।

 

ସାଉଥ ଆଫ୍ରିକା ପାଇଁ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ୱିକେଟ ନେଇଥିବା ଡେଲ ଷ୍ଟେନ ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ 437ଟି ୱିକେଟ ନେଇଛନ୍ତି। ଏହି ତାଲିକାରେ ସେ ଇଂଲଣ୍ଡର ଖେଳାଳୀ ଷ୍ଟୁଆର୍ଟ ବ୍ରଡ ସହିତ ସମାନ ସ୍ଥାନରେ ଅଛନ୍ତି। ନିଜ କ୍ୟାରିୟରର 92ତମ ଟେଷ୍ଟ ମ୍ୟାଚ ଖେଳୁଥିବା ଡେଲ ଷ୍ଟେନ ଶ୍ରୀଲଙ୍କା ବିରୁଦ୍ଧରେ ଏହି ପ୍ରଥମ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାର ଖେଳାଳୀ ଓଷାଦା ଫର୍ଣ୍ଣାଡୋଙ୍କୁ ଆଉଟ କରିବା ମାତ୍ରେ ଏହି ଉପଲବ୍ଧି ହାସଲ କରିଛନ୍ତି।  

 

ଏହି ତାଲିକାରେ ସବୁଠାରୁ ଶୀର୍ଷରେ ରହିଛନ୍ତି ଶ୍ରୀଲଙ୍କାର ପୂର୍ବତନ ଖେଳାଳୀ ମୁଥୈୟା ମୂରଲୀଧର। ସେ ନିଜ କ୍ୟାରିୟରରେ ମୋଟ 133ଟି ଟେଷ୍ଟ ମ୍ୟାଚ ଖେଳି 800ଟି ୱିକେଟ ନେଇଛନ୍ତି। ତାଲିକାରେ ଦ୍ଵିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଶେନ ୱର୍ଣ୍ଣ (708ୱିକେଟ), ତୃତୀୟ ସ୍ଥାନରେ ଭାରତର ଅନିଲ କୁମ୍ବଲେ (619ୱିକେଟ), ଚତୁର୍ଥ ସ୍ଥାନରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ (575ୱିକେଟ), ପଞ୍ଚମ ସ୍ଥାନରେ ଅଷ୍ଟ୍ରେଲିଆର ଗ୍ଲେନ ମୈକ୍ରୋ (563ୱିକେଟ), ଷଷ୍ଠ ସ୍ଥାନରେ ୱେଷ୍ଟଇଣ୍ଡିଜର କର୍ଟନୀ ବାଲ୍ସ(519 ୱିକେଟ) ଓ ସପ୍ତମ ସ୍ଥାନରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ (437 ୱିକେଟ) ରହିଛନ୍ତି।

ନିଜର ଏହି ପ୍ରଦର୍ଶନ ପରେ icc-cricket.com କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ, “ପ୍ରାୟ ଦୁଇବର୍ଷ ନଖେଳିବା ପରେ ଯେତେବେଳେ ମୁଁ ପୁଣି ଥରେ ଖେଳିବାକୁ ସୁଯୋଗ ପାଇଲି ସେତେବେଳେ ମତେ ବହୁତ ଭଲ ଲାଗିଲା। ମତେ ଲାଗୁଛି ଏହା ମୋର କ୍ୟାରିୟରର ଆରମ୍ଭ ଅଟେ। ଯେତେବେଳେ ମୁଁ ଦଶ ଓଭର ସ୍ପେଲ ପାଇଁ ବୋଲିଙ୍ଗ କରେ ସେତେବେଳେ ଯେପରି ବୋଲିଙ୍ଗ କରେ, ମୁଁ ତାହାର ଆନନ୍ଦ ନିଏ।“ 2016 ମସିହାର ଶେଷ ଭାଗରୁ 2018 ମସିହା ମଧ୍ୟଭାଗରେ ପ୍ରାୟ 18ମାସ ପର୍ଯ୍ୟନ୍ତ ଡେଲ ଷ୍ଟେନ ଆଘାତ ପାଇଁ ଖେଳରୁ ଦୂରେଇ ରହିଥିଲେ ଓ ସେହି ସମୟ ମଧ୍ୟରେ ସେ ମୋଟ ଗୋଟିଏ ମ୍ୟାଚ ଖେଳିଥିଲେ।

 

ତେବେ ସାଉଥଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଏହି ପ୍ରଥମ ଟେଷ୍ଟ ମ୍ୟାଚରେ ଡେଲ ଷ୍ଟେନଙ୍କ ବୋଲିଙ୍ଗ ବଳରେ ସାଉଥଆଫ୍ରିକା ମ୍ୟାଚର ଦ୍ଵିତୀୟ ଦିନରେ ଶ୍ରୀଲଙ୍କାକୁ 191 ରନରେ ଆଉଟ କରିବାରେ ସଫଳ ହୋଇଥିଲା। ଏହି ଇନିଙ୍ଗ୍ସରେ ଡେଲ ଷ୍ଟେନ ମାତ୍ର 48ରନ ଦେଇ 4ଟି ବହୁମୂଲ୍ୟ ୱିକେଟ ନେଇଥିଲେ। ଏହାପୂର୍ବରୁ ସାଉଥଆଫ୍ରିକା ନିଜର ପ୍ରଥମ ଇନିଙ୍ଗ୍ସରେ 235ରନରେ ଅଲଆଉଟ ହୋଇଯାଇଥିଲା। ଶ୍ରୀଲଙ୍କାକୁ 191ରନରେ ଅଲଆଉଟ କରିବାପରେ ସାଉଥଆଫ୍ରିକା 44ରନରେ ଅଗୁଆ ରହିଥିଲା।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon