ସୁରଟ ବଜାରରେ ବଢୁଛି ମୋଦି ଶାଢୀର ଚାହିଦା

Tuesday, February 19, 2019

(ବେତାର  ବ୍ୟୁରୋ)  ଲୋକସଭା ନିର୍ବାଚନକୁ ଆଉ ଅଳ୍ପ କିଛି ମାସ ରହିଛି। ଏହାପୂର୍ବରୁ ସାରା ଦେଶରେ ନିର୍ବାଚନର ରଙ୍ଗ ଲାଗି ସାରିଲାଣି। ରାସ୍ତାଘାଟରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସବୁସ୍ଥାନରେ ନିର୍ବାଚନର ରଙ୍ଗ ଦେଖିବାକୁ ମିଳୁଛି। ଫ୍ୟାଶନ ବଜାର ଠାରୁ ଆରମ୍ଭ କରି ଟେକ୍ସଟାଇଲ ମାର୍କେଟରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଥିବା ଟି-ଶାର୍ଟ, ଟୋପି, ମୋଦିଙ୍କ ନାମ ଲେଖାହୋଇଥିବା ବିବାହ ନିମନ୍ତ୍ରଣ କାର୍ଡ ଦେଖିଥିବେ। ବର୍ତ୍ତମାନ ବଜାରରେ ନରେନ୍ଦ୍ର ମୋଦିଙ୍କ ଫଟୋ ପ୍ରିଣ୍ଟ ହୋଇଥିବା ବିଶେଷ ଶାଢୀ ଉପଲବ୍ଧ ହେଉଛି।

 

ଗୁଜୁରାଟର ସୁରଟ ସହରର ଏକ ଶାଢୀ ଦୋକାନରେ ଏହୋ ‘ମୋଦି ଶାଢୀ ’କୁ ଲଞ୍ଚ କରାଯାଇଛି। ଏହା ଅଳ୍ପଦିନରେ ସମଗ୍ର ଗୁଜୁରାଟରେ ଖୁବ ଲୋକପ୍ରିୟ ହୋଇପାରିଛି। ଏହି ‘ମୋଦି ଶାଢୀ’କୁ କିଣିବା ପାଇଁ ଦୋକାନରେ ମହିଳା ମାନଙ୍କର ଗହଳି ଜମୁଛି।

 

ମୋଦିଙ୍କ ଫଟୋ ଥିବା ଏହି 3D ଶାଢୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହିତ ନୋଟବନ୍ଦୀ, ସ୍ଵଚ୍ଛଭାରତ ଓ ମେକ୍ ଇନ ଇଣ୍ଡିଆ ଥିମ୍ ଉପରେ ମଧ୍ୟ ବିଭିନ୍ନ ଡିଜାଇନ କରାଯାଇଛି। ଶାଢୀରେ ଏହି ଫଟୋକୁ ଡିଜିଟାଲ ଭାବରେ ପ୍ରିଣ୍ଟ କରାଯାଇଛି। ବଜାରରେ ଏହି ଶାଢୀର ମୂଲ୍ୟ ଟ.280ରୁ ଟ.1080 ମଧ୍ୟରେ ରହିଛି। ଏହାର ଡିଜାଇନ ମହିଳାମାନଙ୍କୁ ଆକର୍ଷିତ କରୁଛି ଓ ଏହାର କପଡା ମଧ୍ୟ ବହୁତ ଭଲ ରହିଛି।

ଏହି ବିଶେଷ ଶାଢୀ ବିକୁଥିବା ବ୍ୟାପାରୀ ରୌନକ ଶାହା କହିଛନ୍ତି ଯେ, ଆମେ ମୋଦିଙ୍କର ଫଟୋ ଥିବା ଏହି ଶାଢୀକୁ ଲଞ୍ଚ କରିବା ପରେ ମହିଳାଙ୍କ ମଧ୍ୟରେ ଏହା ଖୁବ ଲୋକପ୍ରିୟ ହୋଇପାରିଛି। ବର୍ତ୍ତମାନ ମୋଦିଙ୍କର ଫଟୋ ଥିବା ତିନିପ୍ରକାରର ଶାଢୀ ଲଞ୍ଚ କରାଯାଇଛି। ଆଗକୁ ଅନ୍ୟ ରାଜନେତାଙ୍କ ଫଟୋଥିବା ଶାଢୀ ଲଞ୍ଚ କରିବାର ଯୋଜନା ରହିଛି।“

 

ଏହି ଦୋକାନରୁ ନିୟମିତ ଭାବରେ ଶାଢୀ କିଣୁଥିବା ଜଣେ ମହିଳା କହିଛନ୍ତି ଯେ, ମୁଁ ଯେତେବେଳେ ଏହି ଦୋକାନକୁ ଆସିଲି ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଏହି ଶାଢୀକୁ ଦେଖିଲି। ମତେ ଏହା ବହୁତ ପସନ୍ଦ ଆସିଲା ଓ ମୁଁ  ଏହାକୁ କିଣିଲି। ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ଶାଢୀ ପିନ୍ଧିବା ଆମ ପାଇଁ ବହୁତ ଗର୍ବର କଥା ଅଟେ।

ଏହାସହିତ ସୁରଟର ଅନ୍ୟଜଣେ ଶାଢୀ ବେପାରୀ କୈଳାସ ତୋଡି, ବିବେକ ତୋଡି ଓ କମଳ କୁମାର ତୋଡି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଖାସ ଶାଢୀ ପ୍ରିନ୍ଟିଙ୍ଗ କରିଛନ୍ତି। ଏଥିରେ ହାତରେ ବନ୍ଧୁକ ଧରି ଠିଆ ହୋଇଥିବା ସୈନିକ, ଫାଇଟର ପ୍ଳେନ ଓ ପାକିସ୍ଥାନକୁ ଚେତାବନୀ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି। ଏହାର ମୂଲ୍ୟ ଟ.500 ରୁ ଟ.700  ମଧ୍ୟରେ ରହିଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon