ବିହାର ଡିପ୍ଲୋମା ଇଞ୍ଜିନିୟର ପରୀକ୍ଷାରେ ଟପର୍ ସନି ଲିଓନି

Thursday, February 21, 2019

(ବେତାର ବ୍ୟୁରୋ) ବିହାର ପବ୍ଲିକ ହେଲ୍ଥ ଇଞ୍ଜିନିୟରିଙ୍ଗ ଡିପାର୍ଟମେଣ୍ଟ (PHED)ତରଫରୁ ଡିପ୍ଲୋମା (ଜୁନିୟର) ଇଞ୍ଜିନିୟର ପଦ ପାଇଁ ହୋଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଛି। ପ୍ରକାଶ କରାଯାଇଥିବା ଏହି ତାଲିକା ମୁତାବକ ଏହି ତାଲିକାରେ  ଯେଉଁ ପ୍ରାର୍ଥୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ତାଙ୍କ ନାମ ହେଉଛି ସନି ଲିଓନି। କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଅଟେ। ତେବେ ଏହି ସନି ଲିଓନି ବଲିଉଡର ଅଭିନେତ୍ରୀ ନୁହନ୍ତି।

 

ପ୍ରକାଶ ପାଇଥିବା ଫଳାଫଳ ମୁତାବକ ସନି ଲିଓନି ନାମକ ଜଣେ ପ୍ରାର୍ଥୀ ଏହି ପରୀକ୍ଷାରେ 98.5% ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ଏଜୁକେସନରେ 73.50ପଏଣ୍ଟ ମିଳିଛି ଓ ଅଭିଜ୍ଞତାରେ 25 ପଏଣ୍ଟ ମିଳିଛି। ତାଙ୍କ ପିତାଙ୍କ ନାମ ଲିୟୋନା ଲିଓନି ବୋଲି ଲେଖାଯାଇଛି। ପରୀକ୍ଷାରେ ତାଙ୍କର ଆପ୍ଲିକେଶନ ଆଇଡି JEC/0031211 ରହିଛି ଓ ତାଙ୍କର ଜନ୍ମ ତାରିଖ ମେ’13, 1991 ରହିଛି।

 

ରିପୋର୍ଟ ମୁତାବକ, ବିହାର ପବ୍ଲିକ ହେଲ୍ଥ ଇଞ୍ଜିନିୟରିଙ୍ଗ ଡିପାର୍ଟମେଣ୍ଟ ତରଫରୁ ଜୁନିୟର ଇଞ୍ଜିନିୟର (ସିଭିଲ)ର 214ଟି ପଦବୀ ପୂରଣ ପାଇଁ ଗତ ଜାନୁୟାରୀ ମାସରେ ଏହି ପରୀକ୍ଷା କରାଯାଇଥିଲା। ଏହି 214ଟି ପଦବୀ ପାଇଁ ମୋଟ 17991ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ଏହି ପରୀକ୍ଷାର ଫଳାଫଳ ବର୍ତ୍ତମାନ ପ୍ରକାଶ ପାଇବା ପରେ ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ତେବେ ଏହି ନାମ ସଠିକ କି ସଠିକ ନୁହେଁ ଏନେଇ ପ୍ରଶ୍ନ ଉଠିଛି। ଏହି ତାଲିକାରେ ଅନ୍ୟଏକ ନାମ ମଧ୍ୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ପ୍ରକାଶିତ କରାଯାଇଥିବା ଏହି ତାଲିକାରେ ତୃତୀୟ ସ୍ଥାନରେ BVCXZ ନାମକ ଜଣେ ପ୍ରାର୍ଥୀଙ୍କ ନାମ ରହିଛି, ଯିଏକି 92.89% ମାର୍କ ରଖି ପାସ କରିଛନ୍ତି। ତାଙ୍କ ପିତାଙ୍କ ନାମ mggvghhnnn ରହିଛି।

 

ହିନ୍ଦୁସ୍ଥାନ ଟାଇମ୍ସରେ  ପ୍ରକାଶିତ ଖବର ଅନୁଯାୟୀ ଡିପାର୍ଟମେଣ୍ଟର ସେକ୍ରେଟାରୀ ଅଶୋକ କୁମାର କହିଛନ୍ତି, “ଏହି  ପ୍ରାର୍ଥୀଙ୍କର ଆବେଦନ ପତ୍ର ଠିକ କି ଭୁଲ, ତାହା ବର୍ତ୍ତମାନ ଯାଞ୍ଚ କରାଯାଇ ପାରିବ ନାହିଁ। ଯେତେବେଳେ ପ୍ରାର୍ଥୀଙ୍କର ସାର୍ଟିଫିକେଟ ଯାଞ୍ଚ କରାଯିବ ସେତେବେଳେ ଏହା ଜଣା ପଡିବ।“    

 

ଏହାକୁ ନେଇ ବିହାର ସରକାରର ମନ୍ତ୍ରୀ ବିନୋଦ ନାରାୟଣ ଝା କହିଛନ୍ତି ଯେ, ଜୁନିୟର ଇଞ୍ଜିନିୟର ପଦ ପାଇଁ ଅନେକ ଲୋକ  ଆବେଦନ କରିଥିଲେ। ସନି ଲିଓନି ନାମରେ ଆବେଦନ କରିବା କୌଣସି ବଦମାସ ପ୍ରାର୍ଥୀଙ୍କର କାମ ହୋଇପାରେ। ଏହା ବିଷୟରେ ବିଭାଗ ତରଫରୁ ଯାଞ୍ଚ କରାଯାଉଛି। କୌଣସି ଅସୁବିଧାରେ ହୋଇଥିଲେ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon