ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି :'ସାରିଡନ' ଔଷଧରୁ ବ୍ୟାନ ହଟିଲା

Thursday, February 21, 2019

(ବେତାର ବ୍ୟୁରୋ) ସାଧାରଣ ଲୋକଙ୍କ ମଧ୍ୟରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଓ ସହଜରେ ମିଳୁଥିବା ଯନ୍ତ୍ରଣା ଉପଶମକାରୀ ଔଷଧ ସାରିଡନକୁ ସୁପ୍ରିମକୋର୍ଟ ତରଫରୁ ଫିକ୍ସ ଡୋଜ କମ୍ବିନେସନ (FDC)/ମିଶ୍ରିତ ଔଷଧର ପ୍ରତିବନ୍ଧିତ ତାଲିକାରୁ ହଟାଇ ଦିଆଯାଇଛି। ଏନେଇ ପିରାମଲ କମ୍ପାନୀର ମୁଖ୍ୟ ଅଜୟ ପିରାମଲ ଗୁରୁବାର ସୂଚନା ଦେଇଛନ୍ତି।

 

ପିରାମଲ କମ୍ପାନୀ ତରଫରୁ ଏସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, ସୁପ୍ରିମକୋର୍ଟ ତରଫରୁ ପିରାମଲ କମ୍ପାନୀର ଐତିହାସିକ ହେଲ୍ଥକେୟାର ପ୍ରଡ଼କ୍ଟ ସାରିଡନ ପକ୍ଷରେ ନିଷ୍ପତ୍ତି ଶୁଣାଯାଇଛି। ସାରିଡନକୁ FDC ପ୍ରତିବନ୍ଧିତ ତାଲିକାରୁ ହଟାଇ ଦିଆଯାଇଛି।

 

କୋର୍ଟର ଏହି ଆଦେଶ ପରେ ପିରାମଲ କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ନନ୍ଦିନୀ ପିରାମଲ କହିଛନ୍ତି, “ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ବହୁତ ଖୁସି ଅଛୁ। କାରଣ ଏହା ପ୍ରଭାବୀ ଓ ସୁରକ୍ଷିତ ସ୍ୱାସ୍ଥ୍ୟରକ୍ଷା ଔଷଧକୁ ଉପଲବ୍ଧ କରାଇବା ପାଇଁ ଆମର ପ୍ରତିବଦ୍ଧତାକୁ ପୃଷ୍ଟି କରୁଛି। ଏହା ଭାରତୀୟ ଗ୍ରାହକଙ୍କ ପାଇଁ ବହୁତ ଆବଶ୍ୟକୀୟ ଔଷଧ ଅଟେ। ସୁପ୍ରିମକୋର୍ଟ ଆମ ସପକ୍ଷରେ ନିଷ୍ପତ୍ତି ଶୁଣେଇବ ବୋଲି ଆମର ଭରସା ଥିଲା।“

 

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଗତବର୍ଷ ସେପ୍ଟେମ୍ବର ମାସ ୧୩ ତାରିଖରେ ସାରିଡନ ସମେତ ୩୪୯ଟି ଫିକ୍ସ  ଡୋଜ କମ୍ବିନେସନ (FDC) ଔଷଧ ଉପରରେ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ପରେ ଏହା ବିରୁଦ୍ଧରେ ପିରାମଲ ଏଣ୍ଟରପ୍ରାଇଜେସ ସମେତ ଅନ୍ୟ କିଛି କମ୍ପାନୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

 

ଏହାପରେ  ପିରାମଲ ହେଲଥ କେୟାରର ସାରିଡନ, ଗ୍ଲାସୋସ୍ମିଥକ୍ଳିନର ପିରିଟନ, ଗଜତ ଫାର୍ମାର ଡାର୍ଟ ଓ ଅନ୍ୟଏକ ଔଷଧ ଉପରୁ ସେହି ସେପ୍ଟେମ୍ବର ମାସରେ ପ୍ରତିବନ୍ଧ ଉଠାଇଯାଇଥିଲା ଓ ଔଷଧ ଦୋକାନରେ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା। ବର୍ତ୍ତମାନ ଏହି  ଔଷଧ ଉପରୁ ସଂପୂର୍ଣ୍ଣ ଭାବରେ FDCର  ପ୍ରତିବନ୍ଧକ ହଟାଇ ଦିଆଯାଇଛି।

 

ସୂଚନାଯୋଗ୍ୟ ଯେ, ଏହି ସବୁ ମିଶ୍ରିତ ଔଷଧରେ ଏକାଧିକ ଔଷଧୀୟ ଗୁଣ ମିଶି କରି ରହିଥାଏ। ଡ୍ରଗ ଟେକ୍ନୋଲୋଜି ଏଡଭାଇଜରି ବୋର୍ଡ (DTAB)ର ପରାମର୍ଶ ଅନୁଯାୟୀ ଏହି ସବୁ ଔଷଧ ରୋଗୀଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ। ମିଶ୍ରିତ ଔଷଧରେ ଏକରୁ ଅଧିକ ଔଷଧ ମିଶିକରି ରହୁଥିବାରୁ ଏହା ଏକ ନୂତନ ଔଷଧ ଅଟେ, ତେଣୁ ଏହାକୁ ବିକ୍ରି କରିବା ପାଇଁ ଔଷଧ ବିତରକ ମାନଙ୍କୁ ନୂତନ ଭାବରେ ଲାଇସେନ୍ସ ଆଣିବାକୁ ପଡିବ ବୋଲି କିଛି ଡାକ୍ତର ସେହି ସମୟରେ ମତ ଦେଇଥିଲେ।

 

ଭାରତୀୟ ବଜାରରେ ଏହି ସାରିଡନ ଔଷଧ ବହୁତ ପ୍ରସିଦ୍ଧ ଅଟେ। ଏ.ସି ନିଲ୍ସନଙ୍କ ସର୍ଭେ ମୁତାବକ ଭାରତରେ ପ୍ରତି ସେକେଣ୍ଡରେ ୩୧ଟି ସାରିଡନ ବିକ୍ରି ହୋଇଥାଏ। ସମଗ୍ର ଦେଶରେ ମୋଟ ୮୯ଲକ୍ଷ ଔଷଧ ଦୋକାନରେ ଏହି ଔଷଧ ବିକ୍ରି ହୋଇଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon