ଆଇପିଏଲ 2019ରେ ହେବ ନାହିଁ ଉଦଘାଟନୀ ଉତ୍ସବ : ବିସିସିଆଇ

Friday, February 22, 2019

 

(ବେତାର ବ୍ୟୁରୋ) ଭାରତର ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଦ୍ଵାଦଶ ସଂସ୍କରଣ ଆସନ୍ତା ମାର୍ଚ୍ଚ 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳୀ ଚୟନ ଓ ଖେଳସୂଚୀ ପ୍ରକାଶ ପାଇ ସାରିଛି। ଆଇପିଏଲ 12ର ପ୍ରଥମ ମ୍ୟାଚ ଗତ ସିଜିନର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ତେବେ ଏହି ସିଜିନର ଆରମ୍ଭରେ ଉଦଘାଟନୀଉତ୍ସବ ଅନୁଷ୍ଠିତ ହେବ ନାହିଁ ବୋଲି ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ତରଫରୁ ନିଷ୍ପତ୍ତି ନିଆଯାଇଛି।

 

ପ୍ରତିବର୍ଷ ଆଇପିଏଲର ପ୍ରଥମ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏକ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଥାଏ। ମାତ୍ର ଚଳିତ ବର୍ଷ ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦେଶର 40ରୁ ଅଧିକ ସୈନିକ ସହିଦ ହେବା ଘଟଣାକୁ ଆଖି ଆଗରେ ରଖି ଓ ବୀର ସୈନିକଙ୍କୁ ସମ୍ମାନ ଜଣାଇ ଏହି ଉଦଘାଟନୀ ଉତ୍ସବକୁ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଉଦଘାଟନୀ ଉତ୍ସବରେ ଯେଉଁ ଅର୍ଥ ଖର୍ଚ୍ଚ ହୋଇଥାନ୍ତା ତାହାକୁ ଶହୀଦ ହୋଇଥିବା ସୈନିକଙ୍କ ପରିବାରକୁ ଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।  

 

ସୁପ୍ରିମକୋର୍ଟଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା କମିଟି ଅଫ ଆଡମିନିଷ୍ଟ୍ରେସନ (COA)ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। COAର ମୁଖ୍ୟ ବିନୋଦ ରାୟ ଏ ସମ୍ପର୍କରେ କହିଛନ୍ତି ଯେ, “ଚଳିତ ବର୍ଷ ଆଇପିଏଲର ଉଦଘାଟନୀ ଉତ୍ସବ ଆୟୋଜିତ କରାଯିବ ନାହିଁ ଓ ଏହି ଉତ୍ସବ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ ହୋଇଥାନ୍ତା ତାହାକୁ ଶହୀଦଙ୍କ ପରିବାରକୁ ଦାନ କରାଯିବ।“

 

ପ୍ରତିବର୍ଷ ଆଇପିଏଲର ପ୍ରଥମ ଦିନରେ ଆୟୋଜିତ ହେଇ ଆସୁଥିବା ଏହି ଉଦଘାଟନୀ ଉତ୍ସବରେ ଅନେକ ବଡ ବଡ କଳାକାରଙ୍କୁ ନାଚୁଥିବାର ଦେଖିବାକୁ ମିଳିଥାଏ ଓ ଏଥିପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ଖର୍ଚ୍ଚ ହୋଇଥାଏ।

ତେବେ ଚଳିତ ବର୍ଷର ଆଇପିଏଲ ମାର୍ଚ୍ଚ 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରଥମ ଦୁଇ ସପ୍ତାହର ଖେଳସୂଚୀ ମଧ୍ୟ ଘୋଷଣା କରି ଦିଆଯାଇଛି। ଏହି କାର୍ଯ୍ୟସୂଚୀରେ ମାର୍ଚ୍ଚ 23ରୁ ଏପ୍ରିଲ 5 ତାରିଖ ମଧ୍ୟରେ ମୋଟ 17ଟି ମ୍ୟାଚ ଖେଳାଯିବ।

 

ଏହାବ୍ୟତୀତ ବିସିସିଆଇର ଏହି ବୈଠକରେ ୱାର୍ଲ୍ଡକପରେ ପାକିସ୍ଥାନ ବିରୁଦ୍ଧରେ ମ୍ୟାଚ ଖେଳାଯିବକି ନାହିଁ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରରେ କେନ୍ଦ୍ର ସରକାରଙ୍କ ହାତରେ ଛାଡି ଦେଇଛନ୍ତି। ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ପାଳନ କରାଯିବ ବୋଲି ବିନୋଦ ରାୟ କହିଛନ୍ତି।

 

ଯଦି ଭାରତ ପାକିସ୍ଥାନ ବିରୁଦ୍ଧରେ ୱାର୍ଲ୍ଡକପରେ ମ୍ୟାଚ ନଖେଳେ ତେବେ ଏଥିରେ ଭାରତର ହିଁ କ୍ଷତି ହେବ। ଏପରି ପରିସ୍ଥିତିରେ ପାକିସ୍ଥାନକୁ ବିଜେତା ବୋଲି ଘୋଷଣା କରାଯିବ ଓ ପଏଣ୍ଟ  ମଧ୍ୟ ମିଳିଯିବ। ଆଗରୁ ମଧ୍ୟ ବିଶ୍ଵକପ ଇତିହାସରେ ଏପରି ଦୁଇଥର ହୋଇସାରିଛି। 1996ରେ ଭାରତ, ପାକିସ୍ଥାନ ଓ ଶ୍ରୀଲଙ୍କା ମିଳିତ ଭାବରେ ବିଶ୍ଵକପ ଆୟୋଜନ କରିଥିଲା, ସେହି ସମୟରେ ସୁରକ୍ଷା ଦୃଷ୍ଟିକୋଣରୁ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ଶ୍ରୀଲଙ୍କାରେ ମ୍ୟାଚ ଖେଳିନଥିଲେ। ଏହାବ୍ୟତୀତ 2003 ବିଶ୍ଵକପରେ ମଧ୍ୟ ଦୁଇଟି ଦଳ ମ୍ୟାଚ ଖେଳିବାକୁ ମନା କରିଦେଇଥିଲେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon