ସ୍କୋରବୋର୍ଡ଼ରେ ଖେଳାଳୀଙ୍କ ଭୁଲ ବନାନ ପାଇଁ ଦିଲ୍ଲୀ କ୍ରିକେଟକୁ ଟାହି ଟାପରା

Thursday, March 14, 2019

(ବେତାର ବ୍ୟୁରୋ) ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ 35ରନରେ ହରାଇ ସିରିଜକୁ 2-3ରେ ଜିତିଯାଇଛି। 2017 ମସିହା ପରେ ଅଷ୍ଟ୍ରେଲିଆ ଦଳ ପ୍ରଥମ ଦ୍ଵିପାକ୍ଷିକ ସିରିଜ ଜିତିବାରେ ସକ୍ଷମ ହୋଇପାରିଛି। ମାତ୍ର ଅଷ୍ଟ୍ରେଲିଆରେ ଯାହା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି କୋଟଲା ଷ୍ଟାଡିୟମରେ ଲାଗିଥିବା ସ୍କୋରବୋର୍ଡ।

 

ଏହି ମ୍ୟାଚରେ ଦିଲ୍ଲୀର କୋଟଲା ଷ୍ଟାଡିୟମରେ ଲାଗିଥିବା ମନୁଆଲ ସ୍କୋରବୋର୍ଡରେ ଅନେକ ଅଷ୍ଟ୍ରେଲିଆ ଖେଳାଳୀଙ୍କ ନାମର ବନାନ୍ ଭୁଲ ଲେଖା ଯାଇଥିଲା। ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆ ନିଜେ ଦ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ (DDCA)କୁ ଟ୍ରୋଲ କରିଛି।

ଷ୍ଟାଡିୟମରେ ଲାଗିଥିବା ସ୍କୋର ବୋର୍ଡ ସହିତ କ୍ରିକେଟ ଅଷ୍ଟ୍ରେଲିଆ ଏକ ଟ୍ଵିଟ କରିଛି। ଏହି ଟ୍ଵିଟରେ ଲେଖାଯାଇଛି ଯେ, ଅଷ୍ଟ୍ରେଲିଆ ପାଇଁ କିଛି ନୂଆ ଖେଳାଳୀ ଦଳରେ ଡେବ୍ୟୁ କରିଛନ୍ତି।

 

ଏହି ମନୁଆଲ ସ୍କୋର ବୋର୍ଡରେ ଅଷ୍ଟ୍ରେଲିଆର ଖେଳାଳୀ PAT CUMMINSଙ୍କ ନାମକୁ PAT COMMINS ବୋଲି ଲେଖାଯାଇଥିଲା। ଏହାସହିତ GLEN MAXWELLଙ୍କ ନାମକୁ MEXWELL ବୋଲି ଲେଖାଯାଇଥିଲା।

 

ଖେଳାଳୀଙ୍କ ନାମର ବନାନ୍ ଭୁଲ ରହିବା ସହିତ ମ୍ୟାଚରେ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳୀ ମାର୍କସ ଷ୍ଟୋଇନିସ, ଏଷ୍ଟନ ଟର୍ଣ୍ଣର ଓ ଯେ. ରିଚାର୍ଡସନଙ୍କ ନାମ ପରିବର୍ତ୍ତେ ଡାର୍ଶୀ ଶର୍ଟ, ଆଣ୍ଡ୍ରୁ ଟାଇ ଓ ଜେସନ ବେହରାନଡ୍ରାଫଙ୍କ ନାମ ଲେଖାଯାଇଥିଲା। ଏହାବ୍ୟତୀତ ଭାରତୀୟ ଦଳରେ ପଞ୍ଚମ ଦିନିକିଆ ମ୍ୟାଚ ଖେଳୁନଥିବା ମହେନ୍ଦ୍ର ସିଂହ ଧୋନୀ, ଅମ୍ବତି ରାୟୁଡୁ, ସିଦ୍ଧାର୍ଥ କୌଲ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟ ମଧ୍ୟ ସ୍କୋର ବୋର୍ଡରେ ଲେଖାଯାଇଥିଲା।  

 

ସ୍କୋରବୋର୍ଡରେ ଏପରି ଭୁଲ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଏହାର ଖୁବ ମଜା ଉଡାଯାଉଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାକୁ ଖୁବ ଟ୍ରୋଲ କରୁଛନ୍ତି। ସ୍କୋରବୋର୍ଡରେ ଭାରତୀୟ ଓପନର ରୋହିତ ଶର୍ମା ଓ ବୋଲର ଜସପ୍ରିତ ବୁମରାହଙ୍କ ନାମ ନଥିବାକୁ ନେଇ କିଛି ଲୋକ ପ୍ରଶ୍ନ ମଧ୍ୟ କରିଥିଲେ।

 

ଏହାବ୍ୟତୀତ ଜଣେ ଟ୍ଵିଟର ବ୍ୟବହାରକାରୀ ଟ୍ଵିଟ କରି ଲେଖିଛନ୍ତି ଯେ, “ମୁଁ ଭାବୁଛି ହୁଏତ ସେମାନେ ବୋର୍ଡ ବଦଳେଇବା ପାଇଁ ପ୍ରସ୍ତୁତ ହେଉଥିବେ ଓ ସେହି ସମୟରେ ଏହି ଫଟୋକୁ ଉଠାଯାଇଛି।“

ୱାର୍ଲ୍ଡକପ ପାଇଁ  ଭାରତୀୟ ଦଳ

ଗୋଟିଏ ପଟେ ଅଷ୍ଟ୍ରେଲିଆ ସିରିଜ ଜିତିଯାଇଥିବା ବେଳେ ୱାର୍ଲ୍ଡକପ ପୂର୍ବରୁ ଶେଷ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠୁଛି। ଗୋଟିଏ ସମୟରେ ୱାର୍ଲ୍ଡକପ ପାଇଁ ଦଳରେ 13ଜଣ ଖେଳାଳୀଙ୍କ ସ୍ଥାନ ପକ୍କା ହୋଇସାରିଛି ବୋଲି କୁହାଯାଉଥିବା ବେଳେ ଏହି ସିରିଜ ହାରିବା ପରେ ଦଳର ଦୁର୍ବଳତା ପୁଣି ସାମ୍ନାକୁ ଆସିଛି। କିଛି କିଛି ଖେଳାଳୀଙ୍କ ପ୍ରଦର୍ଶନ ନିରାଶାଜନକ ରହିଥିଲା। 

 

ୱାର୍ଲ୍ଡକପ ପାଇଁ ଆସନ୍ତା ଏପ୍ରିଲ 23 ମଧ୍ୟରେ ଭାରତୀୟ ଦଳର 15ଜଣ ଖେଳାଳୀଙ୍କ ନାମ ଚୁଡାନ୍ତ କରି ଦେବାର ଅଛି। ଏଥିପାଇଁ ଦଳର କୋଚ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ମାତ୍ର 40ଦିନ ବାକି ରହିଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon