ଆଇପିଏଲ 2019 : ଏହି 5 ସ୍ପିନରଙ୍କ ଉପରେ ରହିବ ନଜର

Monday, March 18, 2019

(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) 2019ର ଦ୍ଵାଦଶ ସଂସ୍କରଣ ଆସନ୍ତା ମାର୍ଚ୍ଚ 23ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଲଗାତାର ଭାବରେ ନୂଆ ନୂଆ ଖେଳାଳୀଙ୍କୁ ସୁଯୋଗ ଦିଆଯାଇଥାଏ। ଆଇପିଏଲର ଗତ 11ଟି ସିଜିନରେ ଅନେକ ନୂଆନୂଆ ଖେଳାଳୀଙ୍କୁ ନୂଆ ପରିଚୟ ମିଳିପାରିଛି। ଚଳିତ ବର୍ଷ ମଧ୍ୟ ଏପରି କିଛି ଦେଖିବାକୁ ମିଳିପାରେ।

 

ଟି20 କ୍ରିକେଟରେ ସ୍ପିନ ବୋଲର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଚଳିତ  ବର୍ଷ ମଧ୍ୟ ଏପରି ପାଞ୍ଚଜଣ ସ୍ପିନ ବୋଲରଙ୍କ ଉପରେ ସମସ୍ତଙ୍କ ନଜର ରହିବ।

 

ବରୁଣ ଚକ୍ରବର୍ତ୍ତୀ

ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ତରଫରୁ ଖେଳୁଥିବା ଏହି ଖେଳାଳୀ 22ଟି ୱିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ଆଇପିଏଲ 2019 ଅକ୍ସନରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ତାଙ୍କର ପ୍ରାରମ୍ଭିକ ମୂଲ୍ୟ ଠାରୁ 42ଗୁଣ ଅଧିକ ମୂଲ୍ୟ ଦେଇ ବରୁଣଙ୍କୁ କିଣିଥିଲା। ବିଜୟ ହଜାରେ ଟ୍ରଫି ବ୍ୟତୀତ ତାମିଲନାଡୁ ପ୍ରିମିୟମ ଲିଗ 2018ରେ 9ଟି ମ୍ୟାଚରେ 10ଟି ୱିକେଟ ନେଇ ସମସ୍ତଙ୍କ ନଜରକୁ ଆସିଥିଲେ।

 

ବରୁଣଙ୍କ ବୋଲିଙ୍ଗରେ ଅନେକ ବିବିଧତା ଦେଖିବାକୁ ମିଳିଥାଏ। ସେ ଅଫ-ବ୍ରେକ, ଲେଗ-ବ୍ରେକ, ଫ୍ଲିପର, ଟପ-ସ୍ପିନର, କ୍ୟାରମ ବଲ ଓ ଗୁଗ୍ଲି ପରି ବୋଲିଂ କରିପାରନ୍ତି। ତେବେ ଆଇପିଏଲରେ 8କୋଟି 40ଲକ୍ଷ ଟଙ୍କାରେ କିଣା ହୋଇଥିବା ଏହି ଖେଳାଳୀଙ୍କୁ ବିଶ୍ଵର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ଆଗରେ ନିଜର ଶ୍ରେଷ୍ଠ ବୋଲିଙ୍ଗ ପ୍ରଦର୍ଶନ କରିବାକୁ ପଡିବ।

ମୁଜୀବ-ଉର-ରେହମାନ

ବରୁଣଙ୍କ ବ୍ୟତୀତ କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଖରେ ଅନ୍ୟଜଣେ ସ୍ପିନ ବୋଲର ଅଛନ୍ତି। ଆଇପିଏଲ 2018ରେ ଡେବ୍ୟୁ କରିଥିବା ଏହି ବୋଲର ସେହି ସିଜିନରେ ଭଲ ପ୍ରଦର୍ଶନ କରିଥିଲେ। ମୋଟ 11ଟି ମ୍ୟାଚ ଖେଳି 14ଟି ୱିକେଟ ନେଇଥିଲେ। ତାଙ୍କ ବୋଲିଙ୍ଗରେ ବିବିଧତା ରହିଥିବା ବେଳେ ଇକୋନୋମି ରେଟ୍ 7ରୁ କମ ରହିଛି। ତେବେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ଖେଳାଳୀଙ୍କ ଉନ୍ନତ ପ୍ରଦର୍ଶନ ଦେଖିବାକୁ ମିଳିପାରେ।

 

କୁଳଦୀପ ଯାଦବ

କୋଲକାତା ନାଇଟ ରାଇଡ଼ର୍ସ ଦଳର ଏହି ବୋଲରଙ୍କୁ ବୁଝିବା ବ୍ୟାଟ୍ସମ୍ୟାନଙ୍କ ପାଇଁ କଠିନ ହୋଇଥାଏ। ଏହା ସେ ଭାରତୀୟ ଦଳ ପାଇଁ ପ୍ରଦର୍ଶନ କରି ପ୍ରମାଣ କରିଛନ୍ତି। କୁଳଦୀପ ନିଜର ଶେଷ 16ଟି ମ୍ୟାଚରେ 18ଟି ୱିକେଟ ନେଇଛନ୍ତି। ବୋଲିଙ୍ଗରେ ସାମାନ୍ୟ ମହଙ୍ଗା ପ୍ରମାଣିତ ହୋଇଥିଲେ ମଧ୍ୟ ୱିକେଟ ନେବାର କ୍ଷମତା ତାଙ୍କର ରହିଛି।

 

ୱାସିଙ୍ଗଟନ ସୁନ୍ଦର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୟୁଜବେନ୍ଦ୍ର ଚହଲଙ୍କ ବ୍ୟତୀତ ସ୍ପିନ ବୋଲର ୱାସିଙ୍ଗଟନ ସୁନ୍ଦର ମଧ୍ୟ ଅଛନ୍ତି। 19ବର୍ଷୀୟ ଏହି ଖେଳାଳୀ ଆଇପିଏଲ 2017ରେ ଖୁବ ଭଲ ପ୍ରଦର୍ଶନ କରିଥିଲେ ଓ 6.6 ଇକୋନୋମି ରେଟରେ 11ଟି ମ୍ୟାଚରେ 8ଟି ୱିକେଟ ନେଇଥିଲେ। ଆଇପିଏଲ 2018ରେ ମଧ୍ୟ ତାଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିଲା। ତେବେ ଚଳିତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୱାସିଙ୍ଗଟନଙ୍କ ଠାରୁ ଠିକ

ସେହିପରି ପ୍ରଦର୍ଶନର ଆଶା ରଖିବ।

 

ମହିପାଲ ଲୋମରର

ଏହି ଖେଳାଳୀଙ୍କୁ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳୁଥିବାର ଦେଖିବାକୁ ମିଳିବ। 19ବର୍ଷରୁ କମ ୱାର୍ଲ୍ଡକପରେ ମହିପାଲଙ୍କ ପ୍ରଦର୍ଶନକୁ ଦେଖି ତାଙ୍କୁ ଆଇପିଏଲରେ ସୁଯୋଗ ଦିଆଯାଇଛି। ୱାର୍ଲ୍ଡକପରେ ସେ ଖେଳିଥିବା 6ଟି ମ୍ୟାଚରେ 3.74 ଇକୋନୋମି ରେଟରେ ବୋଲିଙ୍ଗ କରି 7ଟି ୱିକେଟ ନେଇଥିଲେ। ଆଇପିଏଲରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ପାଇଁ ଏହି ଫର୍ମରେ ବୋଲିଙ୍ଗ କରିବାକୁ ପଡିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon