ଆଇପିଏଲରୁ ଆସିଛନ୍ତି ଏହି ୧୦ ଖେଳାଳୀ, ଶୀର୍ଷରେ ବୁମରାହ

Thursday, March 21, 2019

(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ଵାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ବିଗତ ଏଗାରଟି ସଂସ୍କରଣରେ ଏହି ଟି-20 ଲିଗ ଭାରତକୁ ଅନେକ ନୂଆ ପ୍ରତିଭାବାନ ଖେଳାଳୀ ଦେଇଛି। ଏହାସହିତ ଅନେକ ଖେଳାଳୀଙ୍କ କ୍ୟାରିୟରକୁ ମଧ୍ୟ ସଜାଡିଛି। ଏହି ଖେଳାଳୀଙ୍କ ମଧ୍ୟରେ ଏପରି କିଛି ଖେଳାଳୀ ଅଛନ୍ତି ଯେଉଁମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଭାରତୀୟ ଦଳରେ ନିଜ ସ୍ଥାନ ସ୍ଥିର କରିପାରିଛନ୍ତି।

 

ଆସନ୍ତୁ ଜାଣିବା ଆଇପିଏଲରୁ ଆସିଥିବା ଏହିପରି ଦଶ ଶ୍ରେଷ୍ଠ ଖେଳାଳୀଙ୍କ ବିଷୟରେ।  

 

୧.ଜସପ୍ରୀତ ବୁମରାହ : ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଏହି ଖେଳାଳୀ ୨୦୧୩ରେ ପ୍ରଥମ ଆଇପିଏଲ ମ୍ୟାଚ ଖେଳିଥିଲେ ମାତ୍ର ଆଇପିଏଲ ୨୦୧୬ରେ ସମସ୍ତଙ୍କ ନଜର’କୁ ଆସିଥିଲେ। ଏହାପରେ ତାଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଥିଲା। ଭାରତୀୟ ଦଳ ପାଇଁ ଖେଳି ସେ ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟରେ ୪୯ଟି, ୱାନଡେ ରେ ୮୫ଟି ଓ ଟି୨୦ରେ ୪୧ଟି ୱିକେଟ ନେଇଛନ୍ତି। ବର୍ତ୍ତମାନ ଜସପ୍ରୀତ ବୁମରାହ ସମଗ୍ର ଦୁନିଆରେ ଶ୍ରେଷ୍ଠ ବୋଲର ମଧ୍ୟ ହୋଇପାରିଛନ୍ତି।

 

୨.ୟୁଜବେନ୍ଦ୍ର ଚହଲ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଆଇପିଏଲ ଖେଳୁଥିବା ଏହି ଖେଳାଳୀ ୨୦୧୩ରେ ପ୍ରଥମ ଆଇପିଏଲ ଖେଳିଥିଲେ। ଆଇପିଏଲ ୨୦୧୬ରେ ସେ ୧୩ଟି ମ୍ୟାଚରେ ମୋଟ ୨୧ଟି ୱିକେଟ ନେଇଥିଲେ। ଏହାପରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା ଓ ବର୍ତ୍ତମାନ ସେ ଭାରତୀୟ ଦଳର ଜଣେ ନିୟମିତ ଖେଳାଳୀ।

 

୩.ହାର୍ଦ୍ଦିକ ପାଣ୍ଡ୍ୟା: ଆଇପିଏଲ ୨୦୧୫ରେ ପ୍ରଥମ ମ୍ୟାଚ ଖେଳିଥିବା ଏହି ଖେଳାଳୀଙ୍କ ଅଲରାଉଣ୍ଡର ପ୍ରତିଭାକୁ ଦେଖି ୨୦୧୬ରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ବର୍ତ୍ତମାନ ସେ ଭାରତୀୟ ଦଳର ଜଣେ ନିୟମିତ ଖେଳାଳୀ।

୪.ରିଷଭ ପନ୍ଥ: ଭାରତୀୟ ଦଳର ଏହି ୱିକେଟକିପର ବ୍ୟାଟ୍ସମ୍ୟାନ ୨୦୧୬ରେ ଦିଲ୍ଲୀ ତରଫରୁ ପ୍ରଥମ ଆଇପିଏଲ ମ୍ୟାଚ ଖେଳିଥିଲେ। ତାଙ୍କର ବ୍ୟାଟିଙ୍ଗ ଓ କିପିଙ୍ଗ ଦକ୍ଷତାକୁ ଦେଖି ୨୦୧୭ରେ ଅନ୍ତଃରାଷ୍ଟ୍ରୀୟ ଟି୨୦ ମ୍ୟାଚ ଖେଳିବାକୁ ସୁଯୋଗ ମିଳିଥିଲା। ୨୦୧୮ରେ ତାଙ୍କର ପ୍ରଦର୍ଶନ ଯୋଗୁଁ ବର୍ତ୍ତମାନ ସେ ଦଳରେ ନିଜ ସ୍ଥାନ ମଜଭୁତ କରିପାରିଛନ୍ତି।

 

୫.କୃନାଲ ପାଣ୍ଡ୍ୟା: ଏହି ଅଲରାଉଣ୍ଡର ଖେଳାଳୀ ୨୦୧୬ରେ ଆଇପିଏଲ ଖେଳିବା ଆରମ୍ଭ କରିଥିଲେ। କୃନାଲ ବର୍ତ୍ତମାନ ପର୍ଯ୍ୟନ୍ତ ୩୯ଟି ମ୍ୟାଚରେ ୨୮ଟି ୱିକେଟ ନେଇଛନ୍ତି ଓ ତାଙ୍କର ଷ୍ଟ୍ରାଇକ ରେଟ ୧୫୩.୯୧ ଅଟେ। ଭାରତୀୟ ଦଳରେ ଏହି ଖେଳାଳୀଙ୍କୁ ୨୦୧୮ରେ ସୁଯୋଗ ମିଳିଥିଲା।

 

୬.ରବୀନ୍ଦ୍ର ଜାଡେଜା : ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୪ଟି ମ୍ୟାଚ ଖେଳି ଏହି ଖେଳାଳୀ ୧୮୨୧ ରନ ଓ ମୋଟ ୯୩ଟି ୱିକେଟ ନେଇଛନ୍ତି। ୨୦୦୯ରୁ ସେ ଭାରତୀୟ ଦଳ ପାଇଁ ଖେଳୁଛନ୍ତି ଓ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଦଳରେ ସାମିଲ ଅଛନ୍ତି।

 

୭.ଅମ୍ବତି ରାୟୁଡୁ: ହାଇଦ୍ରାବାଦ ରଣଜୀ ଦଳ ପାଇଁ ଘରୋଇ ମୁକାବିଲା ଖେଳୁଥିବା ଏହି ଖେଳାଳୀ ୨୦୧୦ରେ ପ୍ରଥମ ଥର ପାଇଁ ଆଇପିଏଲ ଖେଳିଥିଲେ। ଆଇପିଏଲରେ ତାଙ୍କର ପ୍ରଦର୍ଶନକୁ ଦେଖି ୨୦୧୩ରେ ଭାରତୀୟ ଦଳରେ ସୁଯୋଗ ଦିଆଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସେ ୫୫ଟି ଦିନିକିଆ ଓ ଛଅଟି ଟି୨୦ ମ୍ୟାଚ ଖେଳିସାରିଛନ୍ତି।

୮.କେ.ଏଲ. ରାହୁଲ: କେ.ଏଲ.ରାହୁଲ ୨୦୧୩ରେ ପ୍ରଥମ ଆଇପିଏଲ ମ୍ୟାଚ ଖେଳିଥିଲେ। ଆଇପିଏଲ ୨୦୧୬ରେ ରାହୁଲ’ଙ୍କ ପ୍ରଦର୍ଶନକୁ ଦେଖି ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲା। କିନ୍ତୁ ପ୍ରଦର୍ଶନରେ ନିରନ୍ତରତାର ଅଭାବ ଥିବାରୁ ଦଳରେ ନିଜ ସ୍ଥାନ ସ୍ଥିର କରିପାରିନଥିଲେ। ମାତ୍ର ଆଇପିଏଲ ୨୦୧୮ରେ ପଞ୍ଜାବ ପାଇଁ ଉନ୍ନତ ପ୍ରଦର୍ଶନ କରିବା ପରଠାରୁ ଭାରତୀୟ ଦଳରେ ନିଜ ସ୍ଥାନକୁ ମଜଭୁତ କରିପାରିଛନ୍ତି।

 

୯.ୟୁସୁଫ ପଠାନ: ଆଇପିଏଲର ପ୍ରଥମ ସିଜିନରେ ଏହି ଖେଳାଳୀଙ୍କ ବହୁତ ଚର୍ଚ୍ଚା ହୋଇଥିଲା। ଏହାପରେ ତାଙ୍କୁ ଭାରତୀୟ ଦିନିକିଆ ଦଳରେ ସାମିଲ କରାଯାଇଥିଲା। ୨୦୦୮ରୁ ୨୦୧୨ ମଧ୍ୟରେ ସେ ୫୭ଟି ଦିନିକିଆ ଖେଳିଛନ୍ତି। ୨୦୧୨ରେ ତାଙ୍କର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଦଳରୁ ବାହାର କରାଯାଇଥିଲା।

 

୧୦. ମୋହିତ ଶର୍ମା: ୨୦୧୩ରେ ପ୍ରଥମ ଆଇପିଏଲ ଖେଳିଥିବା ଏହି ଖେଳାଳୀ ଏହି ସିଜିନର ୧୫ଟି ମ୍ୟାଚରେ ୨୦ଟି ୱିକେଟ ନେଇଥିଲେ। ଏହାପରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ଦୁଇବର୍ଷ ମଧ୍ୟରେ ସେ ୨୬ଟି ଦିନିକିଆ ଓ ଆଠଟି ଟି୨୦ ମ୍ୟାଚ ଖେଳିଛନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon