ମେଳାରେ ଗହଳି ଦେଖି ଚେନ୍ ଲୁଟୁଥିଲେ 4 ଯୁବତୀ, ଗିରଫ କଲା ପୋଲିସ

Friday, March 29, 2019

(ବେତାର ବ୍ୟୁରୋ) ଜନ ଗହଳିର ସୁଯୋଗ ନେଇ ଅପରାଧୀମାନେ ଲୋକମାନଙ୍କ ଠାରୁ ଅଳଙ୍କାର, ଟଙ୍କା ଇତ୍ୟାଦି ଝାମ୍ପିର ସୁଯୋଗ ପାଇଥାନ୍ତି। ବିଶେଷକରି ଯାତ୍ରା ସମୟରେ ବହୁ ସଂଖ୍ୟକ ଲୋକ ଏକ ସ୍ଥାନରେ ଏକତ୍ରିତ ହୋଇଥାନ୍ତି ଓ ଗହଳିର ସୁଯୋଗ ନେଇ ଅପରାଧୀମାନେ ଚୋରି କରିଥାନ୍ତି ଓ ଅଳଙ୍କାର ଝାମ୍ପି ନେଇଥାନ୍ତି। ଏହିପରି ଅଳଙ୍କାର ଝାମ୍ପି ନେଉଥିବା ଏକ ମହିଳା ଲୁଟେରା ଦଳକୁ ଗୁରୁବାର ବାଣପୁର ପୋଲିସ ଧରିବାକୁ ସକ୍ଷମ ହୋଇପାରିଛି।

 

ସୂଚନା ମୁତାବକ ବର୍ତ୍ତମାନ ବାଣପୁର ପଲଟନ ପଡିଆରେ ପଞ୍ଚଦୋଳ ଯାତ୍ରା ଚାଲିଅଛି। ଏ ପଞ୍ଚଦୋଳ ଯାତ୍ରା ଅବସରରେ ପଡିଆରେ ଦୁଇଶହରୁ ଉର୍ଦ୍ଧ୍ଵ ଅସ୍ଥାୟୀ ଦୋକାନ ମଧ୍ୟ ଖୋଲାଯାଇଛି। ଏକ ସମୟରେ ସମସ୍ତ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଓ ଯାତ୍ରାର ମଜା ନେବା ପାଇଁ ବାଣପୁର, ବାଲୁଗାଁ ସମେତ ନିକଟସ୍ଥ ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳର ମଧ୍ୟ ବହୁ ଲୋକ ନିଜ ପରିବାର ସହ ପଞ୍ଚଦୋଳ ଯାତ୍ରା ଦେଖିବାକୁ ଆସୁଛନ୍ତି ଓ ଯାତ୍ରା ପଡିଆ ନିକଟରେ ଅସମ୍ଭାଳ ଭିଡ ଲାଗି ରହିଛି।

 

ଏହାର ସୁଯୋଗ ନେଇ ଏକ ଚାରିଜଣିଆ ମହିଳା ଲୁଟେରା ଦଳ ପଡିଆରେ ସକ୍ରିୟ ହୋଇପଡିଥିଲେ। ବୁଧବାର ସନ୍ଧ୍ୟାରେ ମେଳଣ ଚାଲିଥିବା ବେଳେ ଉକ୍ତ ମହିଳାମାନେ ମେଳଣ ଦେଖିବାକୁ ଆସିଥିବା ମହିଳାଙ୍କର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏନେଇ ଲୋକମାନେ ପୋଲିସ ଆଗରେ ଭିଯୋଗ କରିବା ପରେ ପୋଲିସ ଏହି ଯାତ୍ରାରେ ଉକ୍ତ ମହିଳା ଲୁଟେରା ଦଳକୁ ଧରିବାକୁ ସକ୍ଷମ ହୋଇଥିଲା। ପିଓଲିସ ଅଭିଯୁକ୍ତ ମହିଳାମାନଙ୍କ ନିକଟରୁ କେତେକ ସୁନା ଅଳଙ୍କାର ମଧ୍ୟ ଜବତ କରିଛି।

 

ପୋଲିସ ଏନେଇ ଏକ ମକଦ୍ଦମା ରୁଜୁ କରିବା ସହିତ ଯୁବତୀମାନଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଯୁବତୀ ମାନଙ୍କ ମଧ୍ୟରୁ ମିତା ଦାସ ଓ ଝୁମୁରି ଦାସଙ୍କ ଘର ଜଟଣୀ ରେଳ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବା ବେଳେ ଗୀତା ଦାସ ଓ ସଞ୍ଜୁ ଦାସଙ୍କ ଘର ଡେଲାଙ୍ଗ ଷ୍ଟେସନ ନିକଟରେ ବୋଲି ପୋଲିସ ପ୍ରକାଶ କରିଛି।

 

ଅନ୍ୟ ପକ୍ଷରେ ପଞ୍ଚୁଦୋଳ ଅବସରରେ ପଲଟନ ପଡିଆ ସମେତ ବାଣପୁରରେ ଜନଗହଳି ଲାଗି ରହିଥିବାରୁ ଏଠାରେ ଅଧିକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରିବା ପାଇଁ ଅଞ୍ଚଳବାସୀ ଜିଲ୍ଲା ପୋଲିସ ପ୍ରଶାସନକୁ ଅନୁରୋଧ କରିଛନ୍ତି।       

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon