ପ୍ରାଇଭେଟ କର୍ମଚାରୀଙ୍କ ଦରମା ଅନୁସାରେ ଅଧା ମିଳିବ ପେନସନ୍ : ସୁପ୍ରିମ କୋର୍ଟ

Wednesday, April 3, 2019

(ବେତାର ବ୍ୟୁରୋ) ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଅଧିକ ପେନ୍‌ସନ୍ ପାଇବାର ରାସ୍ତା ସୁଗମ ହୋଇଛି। କେରଳ ହାଇକୋର୍ଟଙ୍କ ରାୟ ବିରୋଧରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ ଆଗତ ସ୍ଵତନ୍ତ୍ର ଲିଭ୍ ପିଟିସନକୁ ଶେଷରେ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏଣିକି ସମସ୍ତ ଘରୋଇ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନଙ୍କର ଦରମାରୁ ଇପିଏଫ କଟୁଥିବ ସେମାନେ ଅବସର ପରେ ଶେଷ ମାସର ଦରମା ଅନୁଯାୟୀ ପ୍ରାୟ ଅଧାଅର୍ଥ ପେନସନ୍ ଆକାରରେ ପାଇବେ ବୋଲି ସୁପ୍ରିମକୋର୍ଟଙ୍କ ରାୟରେ ସ୍ପଷ୍ଟ ହୋଇଛି।

 

ଅବସର ପରେ ପେନସନ ପ୍ରଦାନ ଲାଗି ବର୍ତ୍ତମାନ ପ୍ରଚଳିତ ହେଉଥିବା ବ୍ୟବସ୍ଥା ଅନୁଯାୟୀ, କର୍ମଚାରୀ ତାର ଦରମା ଉପରେ ୮.୩୩% ଓ ନିଯୁକ୍ତି ଦାତା/ସଂସ୍ଥା ମଧ୍ୟ ଅନୁରୂପ ଅର୍ଥ (୮.୩୩%) ଭବିଷ୍ୟନିଧି ପାଣ୍ଠିରେ ଜମା କରିଥାଏ, ଯାହାକି ଟ.୧୫.୦୦୦ ଦରମା ଉପରେ କରାଯାଇଥାଏ। ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରତିଶତ (୮.୩୩%) ବଳବତ୍ତର ରହିବ। ତେବେ ଏଥିରେ ୧୫.୦୦୦ ଦରମାର ସୀମାବଦ୍ଧତା ନରହି କର୍ମଚାରୀ ପାଉଥିବା ମୋଟ ଦରମା (ମୂଳ ଦରମା+ ମହଙ୍ଗାଭତ୍ତା+ ରିଟେନସନ ବୋନସ) ଉପରେ ପିଏଫ ହିସାବ କରାଯାଇ ଏହି ଅର୍ଥ କର୍ମଚାରୀ ପେନସନ୍ ଯୋଜନା (ଇପିଏସ)ରେ ଜମା କରାଯିବ।

 

ଘରୋଇ କ୍ଷେତ୍ରରେ କାମ କରି ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କୁ ସେମାନଙ୍କ ସଂପୂର୍ଣ୍ଣ ବେତନ ଉପରେ ପେନ୍‌ସନ୍ ହିସାବ କରିବାକୁ କେରଳ ହାଇକୋର୍ଟ ଇପିଏଫ୍‌ଓକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ସେହି ନିର୍ଦ୍ଦେଶକୁ ଖାରଜ କରିବାକୁ ଇପିଏଫ୍‌ଓ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଇପିଏଫ୍‌ଓର ଦାବିକୁ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏଥି ସହିତ କେରଳ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ କରିବାକୁ ଇପିଏଫ୍‌ଓକୁ କହିଛନ୍ତି ଏବଂ ମାମଲାଟିକୁ ଖାରଜ କରିଦେଇଛନ୍ତି।

 

ଇପିଏଫ୍‌ଓରେ ପେନ୍‌ସନ୍ ସ୍କିମ୍ ୧୯୯୫ରେ ଆରମ୍ଭ କରାଯାଇଥିଲା। ଏହାକୁ କର୍ମଚାରୀ ପେନ୍‌ସନ୍ ସ୍କିମ୍ ବା ଇପିଏସ୍‌ କୁହାଯାଉଛି। ସେତେବେଳେ ଘରୋଇ କର୍ମଚାରୀଙ୍କ ସର୍ବୋଚ୍ଚ ବେତନକୁ ୬୫୦୦ ଟଙ୍କା ହିସାବ କରାଯାଉଥିଲା ଏବଂ ତାହାର ୮.୩୩% ରାଶି ବା ୫୪୧ ଟଙ୍କାକୁ ପେନ୍‌ସନ୍‌ ଖାତାରେ ଜମା କରାଯାଉଥିଲା। ଘରୋଇ କ୍ଷେତ୍ରର କର୍ମଚାରୀ ଯେତେ ଅଧିକ ଦରମା ପାଇଲେ ମଧ୍ୟ ପେନ୍‌ସନ୍ ହିସାବ ‌ବେଳେ ତାହାକୁ ୬୫୦୦ ଟଙ୍କା ହିଁ ହିସାବ କରାଯାଉଥିଲା। ୧୯୯୬ରେ ସେହି ନିୟମରେ କିଛିଟା ପରିବର୍ତ୍ତନ କରାଯାଇଥିଲା।

 

ଏହା ପରେ ୨୦୧୪ରେ ନିୟମରେ ବଡ଼ ଧରଣର ପରିବର୍ତ୍ତନ ହୋଇଥିଲା। ପେନ୍‌ସନ୍ ହିସାବ ପାଇଁ କର୍ମଚାରୀଙ୍କ ବେତନର ସର୍ବୋଚ୍ଚ ସୀମାକୁ ମାସିକ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। କିଛି ମାସ ପରେ ପ୍ରବୀଣ କୋହଲି ନାମକ ଜଣେ ବ୍ୟକ୍ତି କୋର୍ଟରେ ମାମଲା ଦାୟର କରି ନିଜ ପେନ୍‌ସନ୍‌ରେ ବହୁ ଗୁଣା ବୃଦ୍ଧି ଆଣିବାରେ ସଫଳ ହୋଇଥିଲେ। କୋହଲି ଅବସର ଗ୍ରହଣ କରିବା ପରେ ତାଙ୍କୁ ୨୩୭୨ ଟଙ୍କାର ପେନ୍‌ସନ୍ ମିଳୁଥିଲା। ଏହା ପରେ ସେ ଇପିଏଫ୍‌ଓ ବିରୋଧରେ ଅଦାଲତରେ ମାମଲା ଦାୟର କରିଥିଲେ। ସମ୍ପୂର୍ଣ୍ଣ ବେତନ ଉପରେ ପେନସନ୍‌ ହିସାବାକୁ ଦାବି କରିଥିଲେ ଏବଂ କୋର୍ଟରେ ବିଜୟୀ ହୋଇଥିଲା। ନିୟମ ଅନୁସାରେ ଆବଶ୍ୟକ ପରିମାଣର ବକେୟା ଟଙ୍କା ଦେଇ ଏବେ ସେ ମାସିକ ୩୦,୫୯୨ ଟଙ୍କାର ପେନସନ୍‌ ପାଉଛନ୍ତି।
 

ଇପିଏଫ୍‌ଓ ସଦସ୍ୟଙ୍କ ପେନସନ୍‌କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନି‌ର୍ଦ୍ଦେଶରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ୨୦୧୪ ସେପ୍ଟେମ୍ବର ୧ ପରେ ଯେଉଁମାନେ ଚାକିରିରେ ଯୋଗ ଦେଇଛନ୍ତି ସେମାନେ ସମ୍ପୂର୍ଣ୍ଣ ବେତନ ଉପରେ ପେନ୍‌ସନ୍ ପାଇବାର ସମ୍ଭାବନା ଅଧିକ ରହିଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon