ଫେସବୁକ୍ ରେ ଓଡିଶା ପୋଲିସଠୁ 70 ହଜାର ଟଙ୍କା ଲୁଟି ସ୍ୱାମୀ-ସ୍ତ୍ରୀ ଧରାପଡିଲେ

Friday, April 5, 2019

(ବେତାର ବ୍ୟୁରୋ) ବର୍ତ୍ତମାନର ଆଧୁନିକ ବିଜ୍ଞାନ ଓ ଜ୍ଞାନକୌଶଳର ସମୟରେ ଚୋରି କରିବା ପାଇଁ ଚୋରମାନେ ଭିନ୍ନ ଭିନ୍ନ ଉପାୟ ଆପଣଉଛନ୍ତି। ଇଣ୍ଟରନେଟ ଓ ସୋସିଆଲ ମିଡିଆ ମାଧ୍ୟମରେ ନିଜର ମିଥ୍ୟା ପରିଚୟ ଦେଇ ଠକମାନେ ଲୋକମାନଙ୍କ ଠାରୁ ସହଜରେ ଚୋରି କରିପାରୁଛନ୍ତି। ସେହିପରି ସୋସିଆଲ ମିଡିଆ ଫେସବୁକ ମାଧ୍ୟମରେ ୧୫ରୁ ଅଧିକ ଫେସବୁକ ବନ୍ଧୁଙ୍କ ନିକଟରୁ ୫୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକିନେଇଥିବା ଏକ ଦମ୍ପତିଙ୍କୁ କଟକ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି।

 

ଫେସବୁକରେ ଫେକ୍ ଆଇଡି ଖୋଲି ଲୋକମାନଙ୍କ ଠାରୁ ଟଙ୍କା ଚୋରେଇ ନେଉଥିବା ଏହି ଅଭିଯୁକ୍ତ ଦମ୍ପତି ହେଉଛନ୍ତି ବୌଦ୍ଧ ଜିଲ୍ଲା ପୁରୁଣା କଟକ ଲାଇଗାଁ ଅଞ୍ଚଳର ମୂରଲୀଧର ଅଲଟିଆ (୨୯) ଏବଂ ତାଙ୍କ ସ୍ତ୍ରୀ ତନୟା ଗଙ୍ଗା(୨୫)। ପୁଲିସ ଏମାନଙ୍କ ନିକଟରୁ ୪ ଟି ମୋବାଇଲ ଫୋନ୍ ଏବଂ ୩ ଟି ଏଟିଏମ୍ କାର୍ଡ ଜବତ କରିଛି।

 

ବୌଦ୍ଧର ଏହି ଦମ୍ପତି ବିଭିନ୍ନ ସମୟରେ ଫେସବୁକରେ ଫେକ୍ ଆଇଡି ଖୋଲୁଥିଲେ। ତନୟା ଡାକ୍ତର ଶୁଭସ୍ମିତା ମିଶ୍ର ନାମରେ ଫେସବୁକରେ ଏକ ଫେକ୍ ଆଇଡି ଖୋଲିଥିଲେ। ଏହି ଫେକ୍ ଆଇଡିରୁ ସେ ଓଡ଼ିଶା ପୁଲିସର ଭୁବନେଶ୍ଵର ଓଆଇଏସ୍ଏଫ୍ (ଓଡ଼ିଶା ଶିଳ୍ପାଞ୍ଚଳ ସୁରକ୍ଷା ବଳ)ରେ କାର୍ଯ୍ୟରତ ହାବିଲଦାର ମଧୁସୂଦନ ତ୍ରିପାଠୀଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ବନ୍ଧୁତା ଯୋଡ଼ିଥିଲେ।

ମଧୁସୂଦନଙ୍କ ସହିତ ବନ୍ଧୁତା କରିବା ପରେ ସେ ମଧୁସୂଦନଙ୍କଠାରୁ ନିଜର ଡ଼ାକ୍ତରୀ ପାଠ ଶେଷ କରିବା ପାଇଁ ୭୦ ହଜାର ଟଙ୍କା ନେଇ ଛୁ ହୋଇ ଯାଇଥିଲେ। ମଧୁସୂଦନ ଏ ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କଲା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା।

 

ଏହିପରି ଫେସବୁକରେ ଏହି ଦମ୍ପତି ପ୍ରାୟ ୧୫ ଜଣରୁ ଅଧିକ ବ୍ୟକ୍ତିଙ୍କ ଟଙ୍କା ଠକି ନେଇଥିବା ବିଷୟରେ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଗୁରୁବାର ସନ୍ଧ୍ୟାରେ ପୁଲିସ୍‌ ପୁରୀ, ବୌଦ୍ଧ, ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଜଣେ ସୁନା ବ୍ୟବସାୟୀଙ୍କ ନିକଟରୁ ଉଭୟଙ୍କୁ ଗିରଫ କରିଛି। ପୋଲିସ ପଚରାଉଚୁରା କରିବା ପରେ ଉଭୟ ଫେସବୁକରେ ପ୍ରାୟ 15ଜଣଙ୍କ ଠାରୁ ଅଧିକ ବ୍ୟକ୍ତିଙ୍କ ଠାରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଠକି ଥିବା ସ୍ଵୀକାର କରିଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon