ଆମାଜନର ନୂଆ ଫିଚର :  ରାଶି ଅନୁଯାୟୀ ପାଆନ୍ତୁ ସପିଙ୍ଗ ଟିପ୍ସ

Thursday, April 11, 2019

(ବେତାର ବ୍ୟୁରୋ) ସମୟ ବଦଳିବା ସହିତ ଲୋକମାନଙ୍କର ସପିଙ୍ଗ କରିବାର ଶୈଳୀ ମଧ୍ୟ ବଦଳିଯାଇଛି। ଦୋକାନ ବଜାରକୁ ଯାଇ ସାମଗ୍ରୀ କିଣିବା ଅପେକ୍ଷା ଅନଲାଇନରେ ସପିଙ୍ଗ କରିବାକୁ ଆଜିକାଲିର ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ଲୋକମାନଙ୍କର ଅନଲାଇନରେ ସପିଙ୍ଗର ଅଭିଜ୍ଞତାକୁ ଆହୁରି ସହଜ ଓ ସରଳ କରିବା ପାଇଁ ଇ-କମର୍ସ କମ୍ପାନୀ ଗୁଡିକ ମଧ୍ୟ ଅନେକ ପ୍ରକାରର ନୂଆ ନୂଆ ସୁବିଧା ଯୋଗାଉଛନ୍ତି।

 

ଇ-କମର୍ସ କମ୍ପାନୀ ଆମାଜନ ତରଫରୁ ତାର ଗ୍ରାହକଙ୍କ ପାଇଁ ଏହିପରି ଏକ ନୂଆ ଓ ଭିନ୍ନ ଢଙ୍ଗର ଫିଚର ଲଞ୍ଚ କରାଯାଇଛି। ଏହି ଫିଚର ସାହାଯ୍ୟରେ ଆମାଜନର ପ୍ରାଇମ୍ ସଦସ୍ୟଙ୍କୁ ସେମାନଙ୍କର ରାଶି ଅନୁଯାୟୀ ସପିଙ୍ଗ କରିବାର ଉପଦେଶ ମିଳିବ।

ଆମେରିକାର ସିଏଟଲ ସହରର ଜଣେ ଲେଖକ ଆମାଜନ ସହିତ ମିଶି ଏହି ଫିଚର ଉପରେ କାମ କରୁଛନ୍ତି। ଆମାଜନର ପ୍ରାଇମ୍ ସଦସ୍ୟଙ୍କୁ ଏନେଇ ଗତ ତିନିମାସ ହେବ ଅପଡେଟ୍ ଆସୁଥିଲା। ଏହି ଫିଚର ସାହାଯ୍ୟରେ ଗ୍ରାହକ ମାନଙ୍କୁ ଆସନ୍ତା ମାସରେ ସେମାନଙ୍କର ଅର୍ଥ କେଉଁ ସାମଗ୍ରୀ କିଣିବାରେ ଓ ସମୟ କେଉଁ କାମରେ ଲଗାଇବା ଆବଶ୍ୟକ ବୋଲି ସୂଚନା ମିଳିବ।

 

ଉଦାହରଣ ସ୍ୱରୂପ ଆମାଜନ ପ୍ରାଇମ୍ ସଦସ୍ୟଙ୍କ ମଧ୍ୟରୁ କୁମ୍ଭରାଶିର ବ୍ୟକ୍ତିବିଶେଷଙ୍କୁ ଉପଦେଶ ଦିଆଯାଇ କୁହାଯାଇଛି ଯେ, ଏହି ରାଶିର ବ୍ୟକ୍ତି ନିଜର ଅସ୍ତିତ୍ଵ ବିଷୟରେ ଅଧିକ ଚିନ୍ତା ନକରିବା ଉଚିତ ଓ ସେମାନଙ୍କର ଜୀବନର ଉଦ୍ଦେଶ୍ୟ କଣ ଏହା ମଧ୍ୟ ଭାବିବା ଜରୁରୀ ନୁହେଁ। କାରଣ Alexa ଓ prime pantry ଆମ ଜୀବନରେ ସହଜ ପ୍ରଶ୍ନ ଗୁଡିକର ଉତ୍ତର ଦେବା ପାଇଁ ରହିଛି।

 

ସେହିପରି ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ଏପ୍ରିଲ ମାସରେ ଆରାମ କରିବା ପାଇଁ ଉପଦେଶ ଦିଆଯାଇଛି। Amazon Home ଆରାମଦାୟକ ସୋଫା ଓ ଏକ ନୂଆ ବ୍ଲାଙ୍କେଟ୍ ସହିତ ଆରାମ କରିପାରିବେ ବୋଲି କୁହାଯାଇଛି।  

 

ଗ୍ରାହକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଓ ତାଙ୍କ ଜିନିଷକୁ କିଣିବାକୁ ମନେଇବା ପାଇଁ କମ୍ପାନୀ ଗୁଡିକ ଭିନ୍ନ ଭିନ୍ନ ଅଫର, ସେଲ, ରିହାତି ଦେଇଥାନ୍ତି। ମାତ୍ର ଆମାଜନ ତରଫରୁ ଲଞ୍ଚ କରାଯାଇଥିବା ଏହି ନୂଆ ଉପାୟଟି ଏକ ଅଦ୍ଭୁତ କୌଶଳ ଅଟେ। ଏହାଦ୍ଵାରା କମ୍ପାନୀ ନିଜ ଆଡକୁ ସେହି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଚାହୁଁଛନ୍ତି ଯେଉଁମାନେ ଜ୍ୟୋତିଷଶାସ୍ତ୍ର, ରାଶିଫଳ ଇତ୍ୟାଦିରେ ବିଶ୍ଵାସ ରଖିଥାନ୍ତି ଓ ପ୍ରତ୍ୟେକ କାମ କରିବା ସମୟରେ ନିଜ ରାଶି ଅନୁଯାୟୀ ଉପଦେଶ ନେଇଥାନ୍ତି।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon