ସୋନପୁର : ମୋବାଇଲ ଚାର୍ଜରେ ବସାଇ ଗେମ୍ ଖେଳି ହାତ ପୋଡିଲା

Saturday, April 13, 2019

(ବେତାର ବ୍ୟୁରୋ) ବର୍ତ୍ତମାନ ସମୟରେ ମୋବାଇଲର ବ୍ୟବହାର ବଢିବା ସହିତ ମୋବାଇଲ ଫାଟି ଦୁର୍ଘଟଣା ଘଟିବା କଥା ମଧ୍ୟ ଅନେକ ଦେଖିବାକୁ ମିଳୁଛି। ଏହିପରି ଏକ ଘଟଣା ଘଟିଛି ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିକୁଡି ଗ୍ରାମରେ। ମୋବାଇଲକୁ ଚାର୍ଜରେ ବସାଇ ଗେମ୍ ଖେଳୁଥିବା ବେଳେ ମୋବାଇଲ ଫାଟି ଜଣେ ବ୍ୟକ୍ତିଙ୍କର ହାତ ପୋଡିଯାଇଛି।

 

ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ହିକୁଟି ଗ୍ରାମର ଫାଲଗୁନ ସେଠୀ (18ବର୍ଷ)। ସେ ନିଜର ଏକ ଚାଇନା ସେଟ ମୋବାଇଲକୁ ଚାର୍ଜରେ ବସାଇ ମୋବାଇଲରେ ଗେମ୍ ଖେଳୁଥିଲେ। ତେବେ ମୋବାଇଲଟି କେଉଁ କମ୍ପାନୀର ବୋଲି ଜଣାପଡିନାହିଁ। ଚାର୍ଜ ବସାଇ ଗେମ୍ ଖେଳୁଥିବାରୁ ମୋବାଇଲଟି ଅଧିକ

ଗରମ ହୋଇଯାଇଥିଲା।

ଅତ୍ୟଧିକ ଗରମ ହୋଇଯାଇ ମୋବାଇଲଟି ଫାଟିଯାଇଥିଲା ଓ ଫାଲଗୁନଙ୍କ ଡାହାଣ ହାତ ପାପୁଲି ପୋଡିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଘର ଲୋକେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି।

 

ଫୋନ ବ୍ଲାଷ୍ଟ ନହେବା ପାଇଁ ସାବଧାନତା

ଅଧିକାଂଶ ସମୟରେ ଲୋକମାନେ ମୋବାଇଲ ଫୋନ ଫାଟିବା ପାଇଁ ମୋବାଇଲ କମ୍ପାନୀକୁ ଦୋଷ ଦେଇଥାନ୍ତି। କିନ୍ତୁ ମୋବାଇଲ ଫୋନ ବ୍ୟବହାରକାରୀଙ୍କ ଅବହେଳା ଓ ଅସାବଧାନତା ଯୋଗୁଁ ଫାଟିଥାଏ। ଏହି ମୋବାଇଲ ଫାଟିବା ପରି ଅଘଟଣକୁ ଦୂର କରିବା ପାଇଁ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ।

 

.ଶୋଇବା ସମୟରେ କେବେବି ମୋବାଇଲକୁ ତକିଆ ତଳେ ରଖି ଶୁଅନ୍ତୁ ନାହିଁ। ଏହାଦ୍ଵାରା ମୋବାଇଲର ତାପମାତ୍ରା ବଢିଥାଏ ଓ ଅଧିକ ତାପମାତ୍ରା ବଢିବା କାରଣରୁ ଏହା ଫାଟିଯାଇଥାଏ। ଶାର୍ଟ ପକେଟରେ ମଧ୍ୟ ମୋବାଇଲ ରଖନ୍ତୁ ନାହିଁ। ଏହାଦ୍ଵାରା ରାଡିଏସନର ବିପଦ ଅଧିକ ବଢିଥାଏ। ଯଦି ଭୁଲରେ ବି ମୋବାଇଲ ଫାଟିଯାଏ ତେବେ ପୋଷାକରେ ଶୀଘ୍ର ନିଆଁ ଲାଗିବାର ସମ୍ଭାବନା ଥାଏ।

 

.ରାତିସାରା ମୋବାଇଲକୁ ଚାର୍ଜରେେ ବସାନ୍ତୁ ନାହିଁ। ଏହା ଉଭୟ ମୋବାଇଲ ଓ ବ୍ୟାଟେରୀ ପାଇଁ କ୍ଷତିକାରକ ହୋଇଥାଏ। ଚାର୍ଜ କରିବା ସମୟରେ ମୋବାଇଲକୁ ଏପରି ଜିନିଷ ଠାରୁ ଦୂରେଇ ରଖନ୍ତୁ ଯେଉଁଥିରେ ନିଆଁ ଶୀଘ୍ର ଲାଗିଥାଏ।

 

. ନିଜ ମୋବାଇଲ ଫୋନକୁ କେବେବି ଅନ୍ୟ କୌଣସି ମୋବାଇଲର ଚାର୍ଜର ବା ନକଲି ଚାର୍ଜରରେ ଚାର୍ଜ କରନ୍ତୁ ନାହିଁ। ମୋବାଇଲକୁ ଚାର୍ଜ କରିବା ସମୟରେ ଏହାର କଭରକୁ କାଢି ଦିଅନ୍ତୁ।

 

. ଯଦି ମୋବାଇଲ ଫୋନ କିଛି ଖରାପ ହେଉଛି ତେବେ ଯେକୌଣସି ଦୋକାନରେ ମୋବାଇଲକୁ କାମ କରିବାକୁ ନଦେଇ ଉକ୍ତ କମ୍ପାନୀର ଷ୍ଟୋରରେ କାମ କରିବାକୁ ଦିଅନ୍ତୁ।

 

. ଫୋନକୁ ଚାର୍ଜ କରିବା ସମୟରେ ଏହା ଉପରେ କିଛି ରଖନ୍ତୁ ନାହିଁ, ଏହାଦ୍ଵାରା ତାପମାତ୍ରା ଅଧିକ ବଢିଥାଏ ଓ ଫୋନ ଫାଟିବାର ଆଶଙ୍କା ବଢିଥାଏ। ସେହିପରି ଫୋନକୁ ଚାର୍ଜରେ ଲଗାଇ କେବେବି କଲରେ କଥା ହୁଅନ୍ତୁ ନାହିଁ।

 

. କାର ଚାର୍ଜିଙ୍ଗ ଆଡ଼ାପ୍ଟରରେ ଫୋନ ଚାର୍ଜ କରନ୍ତୁ ନାହିଁ କିମ୍ବା ଶସ୍ତା ପାୱାରବ୍ୟାଙ୍କର ବ୍ୟବହାର କରନ୍ତୁ ନାହିଁ। ଏହାସହିତ ଫୋନକୁ ସିଧାସଳଖ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ରଖନ୍ତୁ ନାହିଁ। ଯଦି ଆପଣଙ୍କର ଫୋନ ଅଧିକ ଗରମ ଲାଗୁଥାଏ ତେବେ ଫୋନକୁ ବ୍ୟବହାର ନକରି ରଖିଦିଅନ୍ତୁ।

 

. ଯଦି ମୋବାଇଲ ଫୋନର ବ୍ୟାଟେରୀ ବଦଳେଇବାର ଆବଶ୍ୟକ ପଡିଥାଏ ତେବେ ଉକ୍ତ ବ୍ରାଣ୍ଡର ବ୍ୟାଟେରୀ ହିଁ ପକାନ୍ତୁ। ଅଧିକ ଖର୍ଚ୍ଚ ହୋଇଯିବ ଭାବି ଶସ୍ତା ବ୍ୟାଟରୀ ପକାନ୍ତୁ ନାହିଁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon