
(ବେତାର ବ୍ୟୁରୋ) ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ଚଳିତ ବର୍ଷ ନିଜର ଅନେକ ନୂଆ ନୂଆ ପ୍ରଡ଼କ୍ଟକୁ ଲଞ୍ଚ କରୁଛି। ଆଗକୁ ସାଓମି ଏକ ନୂତନ ଟେକ୍ନୋଲୋଜି ଆଣିବାର ପ୍ରସ୍ତୁତି କରୁଛି, ଯାହା ସାହାଯ୍ୟରେ ଆପଣ 4000mAh ଭଳି ବଡ଼ ସାଇଜର ବ୍ୟାଟେରୀକୁ କେବଳ 17ମିନିଟରେ ହିଁ ଚାର୍ଜ କରିପାରିବେ।
ଗତ ମାସରେ ସାଓମି ତରଫରୁ 100ୱାଟ ସୁପର ଚାର୍ଜ ଟର୍ବୋ ଫାଷ୍ଟ ଚାର୍ଜିଙ୍ଗ ଟେକ୍ନୋଲୋଜିର ଘୋଷଣା କରିଥିଲା। ସାଓମି ଏହି ଟେକ୍ନୋଲୋଜିର ପ୍ରଡକ୍ସନ ମଧ୍ୟ ଆରମ୍ଭ କରିଦେଇଛି ବୋଲି ସୂଚନା ମିଳିଛି। ନିକଟରେ ସାଓମିର ପ୍ରେସିଡେଣ୍ଟ ଲୀନ ବିନ କହିଥିଲେ ଯେ, କମ୍ପାନୀ ଏହି ଟେକ୍ନୋଲୋଜି ଉପରେ ଖୁବ ଜୋରଦାରରେ କାମ ଚାଲୁ ରଖିଛି।
ତେବେ କମ୍ପାନୀ ତରଫରୁ ଦାବି କରାଯାଉଛି ଯେ, ଏହି 100ୱାଟ ସୁପର ଚାର୍ଜ ଟେକ୍ନୋଲୋଜି ସାହାଯ୍ୟରେ 4000mAh ବ୍ୟାଟେରୀକୁ କେବଳ 17ମିନିଟରେ ହିଁ ଫୁଲ୍ ଚାର୍ଜ କରାଯାଇପାରିବ। ନିକଟରେ ସାଓମିର ଏହି ଟେକ୍ନୋଲୋଜିର ଏକ ଭିଡିଓ ମଧ୍ୟ ଶେୟାର କରିଥିଲା। 4000mAh ବ୍ୟାଟେରୀ ଥିବା ଫୋନ କିପରି 17 ମିନିଟରେ ଚାର୍ଜ ହେଉଛି ତାହା ଦେଖିବାକୁ ମିଳିଥିଲା।
ଏହାସହିତ ଭିଡିଓରେ ସାଓମିର ଏହି ଟେକ୍ନୋଲୋଜିକୁ OPPOର VOOC ଚାର୍ଜିଙ୍ଗ ଟେକ୍ନୋଲୋଜି ସହିତ ତୁଳନା କରାଯାଇଥିଲା। କାରଣ ସାଓମିର ଏହି ଟେକ୍ନୋଲୋଜି ଓପୋର 50ୱାଟ ସୁପର VOOC ଫ୍ଲାସ ଚାର୍ଜିଙ୍ଗ ଟେକ୍ନୋଲୋଜିକୁ କଡା ଟକ୍କର ଦେବ। VOOC ଚାର୍ଜିଙ୍ଗ 17ମିନିଟରେ 3700mAh ବ୍ୟାଟେରୀକୁ କେବଳ 65% ଚାର୍ଜ କରିପାରିଥାଏ।
ଖୁବଶୀଘ୍ର ଲଞ୍ଚ
ଏହି ଟେକ୍ନୋଲୋଜି କେବେ ଲଞ୍ଚ କରାଯିବ ଓ ସାଓମି ଡିଭାଇସରେ ଏହା କେବେ ଉପଲବ୍ଧ ହେବ ଏ ବିଷୟରେ କମ୍ପାନୀ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।
ଆଜିକାଲି ସାଓମି ନିଜର ନୂଆ ଫ୍ଲାଗସିପ ସ୍ମାର୍ଟଫୋନ ଉପରେ କାମ କରୁଛି। ସାଓମିର ଏହି ଫୋନ କ୍ଵାଲକମର ହାଇ-ଏଣ୍ଡ ସ୍ନାପଡ୍ରାଗନ 855 ପ୍ରୋସେସର ଉପରେ କାମ କରିବ ବୋଲି ଆଶା କରାଯାଉଛି। ତେଣେ କିଛି ରିପୋର୍ଟ ମୁତାବକ ସାଓମି ନିଜର ଏହି ସୁପର ଚାର୍ଜ ଟେକ୍ନୋଲୋଜିକୁ ଏହି ନୂଆ ସ୍ମାର୍ଟଫୋନରେ ଉପଲବ୍ଧ କରାଇପାରେ ବୋଲି ଅନୁମାନ କରାଯାଉଛି।
ଏହାବ୍ୟତୀତ ସାଓମି ନିକଟରେ ଘୋଷଣା କରିଥିଲା ଯେ, ସେଲଫି ପ୍ରେମୀମାନଙ୍କ ପାଇଁ ରେଡମି Y3 ସ୍ମାର୍ଟଫୋନ ସହିତ Y ସିରିଜର ସ୍ମାର୍ଟଫୋନ ଲଞ୍ଚ କରାଯିବ। ଏଥିରେ 32ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି। ଆସନ୍ତା ଏପ୍ରିଲ24ରେ ଏହାକୁ ଲଞ୍ଚ କରାଯିବ।