ନିର୍ବାଚନ ଭେଳିକି : ନକଲି ନବୀନଙ୍କ ସହ ସେଲଫି ନେଉଛନ୍ତି ପୋଲିସ

Tuesday, April 23, 2019

(ବେତାର ବ୍ୟୁରୋ) ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରି ସଂଳାପ ଉଚ୍ଚାରଣ କରି ଲୋକମାନଙ୍କର ପ୍ରିୟପାତ୍ର ହୋଇଥିବା ଭବାନୀପାଟଣାର ଯୁବକ କୈଳାସ ଚନ୍ଦ୍ର ସାହୁ ବର୍ତ୍ତମାନର ନିର୍ବାଚନୀ ପ୍ରଚାରରେ ଯୋଗ ଦେଇ ଲୋକମାନଙ୍କର ପ୍ରଶଂସା ଗୋଟାଉଛନ୍ତି। କୈଳାସଙ୍କର ଚେହେରା ଓ କହିବାର ଢଙ୍ଗ ଅବିକଳ ମୁଖ୍ୟମନ୍ତ୍ରୀଙ୍କ ପରି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଓ ତାଙ୍କ ସହ ଫଟୋ ମଧ୍ୟ

ଉଠାଉଛନ୍ତି। ଏପରିକି ପୋଲିସ ମାନେ ମଧ୍ୟ ତାଙ୍କ ସହିତ ସେଲଫି ନେଉଛନ୍ତି।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୈଳାସଙ୍କ ଚରିତ୍ରରେ ମୁଗ୍ଧ ହୋଇ ତାଙ୍କୁ 2014 ନିର୍ବାଚନରେ ପ୍ରଚାର ପାଇଁ ନିମନ୍ତ୍ରଣ କରିଥିଲେ। କୈଲାସ 2014 ଓ 2019 ସାଧାରଣ ନିର୍ବାଚନରେ ପୁରୀରୁ କଳାହାଣ୍ଡି ପର୍ଯ୍ୟନ୍ତ ବିଜେଡିର ବିଭିନ୍ନ ନିର୍ବାଚନ ସଭାରେ ଯୋଗ ଦେଇଛନ୍ତି ଓ ନବୀନଙ୍କ ରୂପ ଧାରଣ କରି ତାଙ୍କ ସ୍ଵରରେ ଜନ ସାଧାରଣଙ୍କୁ ବିମୋହିତ ମଧ୍ୟ କରିଛନ୍ତି।

 

ଗତ 9 ତାରିଖ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତ ସମୟରେ ମା’ ମାଣିକେଶ୍ଵରୀଙ୍କ ଦର୍ଶନ ପାଇଁ ଆସିବା ପୂର୍ବରୁ କୈଳାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବିକଳ ଚେହେରାରେ ମନ୍ଦିର ସମ୍ମୁଖକୁ ଆସି ମୁଖ୍ୟମନ୍ତ୍ରୀଙ୍କ ପରି ଉପସ୍ଥିତ ଜନସାଧାରଣଙ୍କୁ ହାତ ହଲାଇ ଅଭିବାଦନ ଓ ସ୍ଵାଗତ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଉପସ୍ଥିତ ଜନସାଧାରଣ ଚକିତ ହୋଇଯାଇଥିଲେ।

 

ବହୁତ ଲୋକ ନକଲି ନବୀନ ଅର୍ଥାତ କୈଳାସଙ୍କ ସହିତ ଫଟୋ ଉଠାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା। କୈଳାସ ସାହୁଙ୍କୁ ବିଭିନ୍ନ ସ୍ଥାନରେ ବିଜେଡି ଦଳର ନିର୍ବାଚନ ପ୍ରଚାରରେ ନବୀନ ପଟ୍ଟନାୟକଙ୍କ ଅବିକଳ ନକଲ କରି ବିଜେଡି ପାଇଁ ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଥିଲା।

 

କୈଳାସ ଚନ୍ଦ୍ର ସାହୁ ଭବାନୀପାଟଣାସ୍ଥିତ ଘୋଡାଘାଟ ଛକ ନିବାସୀ ସ୍ଵର୍ଗତ ଭୀମ ସାହୁ ଓ ସ୍ଵର୍ଗତ କମଳା ସାହୁଙ୍କ ଦ୍ଵିତୀୟ ପୁତ୍ର ଅଟନ୍ତି। ଯୁକ୍ତଦୁଇ ପରୀକ୍ଷା ଶେଷ କରିବା ପରେ ସେ ଘୋଡାଘାଟ ଛକ ନିକଟରେ ତାଙ୍କ ବଡ ଭାଇଙ୍କ ଦ୍ଵାରା ପରିଚାଳିତ ଥାପା ଗ୍ୟାରେଜରେ ମଟରସାଇକେଲ ମେକାନିକ ଭାବରେ କାମ କରୁଛନ୍ତି।

 

ଏହାସହିତ ସେ ବିଭିନ୍ନ ମଞ୍ଚରେ ବହୁ ହିନ୍ଦୀ ଚଳଚିତ୍ର ଅଭିନେତା ଓ ବିଭିନ୍ନ ରାଜନୈତିକ ଦଳର ନେତୃ ବୃନ୍ଦଙ୍କ ସ୍ଵର ଓ ଚେହେରାର ଅବିକଳ ନକଲ କରି ଉପସ୍ଥିତ ଦର୍ଶକ ଏବଂ ଶ୍ରୋତାଙ୍କୁ ମୁଗ୍ଧ କରିଥାନ୍ତି। ଭବାନୀପାଟଣାର ସୁରସଙ୍ଗୀତ ଅନୁଷ୍ଠାନ ସହ ଜଡିତ ରହି କୈଳାସ ଦୀର୍ଘ 8ବର୍ଷ ଧରି ପୁରୀର ରଥଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହିନ୍ଦୀ କଳାକାରଙ୍କ ଅବିକଳ ନକଲ କରିଥାନ୍ତି।

 

କୈଳାସ ସାହୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ  50ରୁ ଉର୍ଦ୍ଧ୍ଵ ନାଟକ, ଭବାନୀପାଟଣା ଦୂରଦର୍ଶନ, ଓଡିଆ  ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହାସହ ବିଭିନ୍ନ ରାଜନୈତିକ ବ୍ୟଙ୍ଗ କାର୍ଯ୍ୟକ୍ରମରେ ସେ ନବୀନ ପଟ୍ଟନାୟକଙ୍କ ଭୂମିକାରେ ମଧ୍ୟ ଅଭିନୟ କରିଛନ୍ତି।

  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon