
(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆର ଦୁଇ ଲୋକପ୍ରିୟ ହାସ୍ୟ କଳାକାର କପିଳ ଶର୍ମା ଓ ସୁନୀଲ ଗ୍ରୋଭର ନିଜ କମେଡି ଦ୍ଵାରା ଦର୍ଶକଙ୍କ ହୃଦୟରେ ଘର କରିପାରିଛନ୍ତି। ଏହି ଦୁଇ କଳାକାରଙ୍କର କମେଡି କରିବାର ଭିନ୍ନ ଭିନ୍ନ ଶୈଳୀ ରହିଛି। ଦୁହେଁ ଏକାଠି ମିଶି ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଛନ୍ତି। କିନ୍ତୁ ଦୁହିଁଙ୍କ ମଧ୍ୟରେ ହୋଇଥିବା ଝଗଡା କାରଣରୁ ଦୀର୍ଘ ସମୟ ହେବ ଦୁହିଁଙ୍କ ମଧ୍ୟରେ ଦୂରତା ଆସିଯାଇଛି। କପିଳ ଓ ସୁନୀଲଙ୍କ ପ୍ରଶଂସକମାନେ ଏହି ଦୁହିଁଙ୍କୁ ପୁଣିଥରେ ଏକାଠି ଦେଖିବାକୁ ଚାହୁଁଛନ୍ତି। ତେବେ ଆସନ୍ତା ଜୁନ ମାସରେ ଏହି ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳିପାରେ।
ରିପୋର୍ଟ ମୁତାବକ, କପିଳ ଶର୍ମା ଶୋ’ର ପ୍ରଯୋଜକ ତଥା ସୁପରଷ୍ଟାର ସଲମାନ ଖାନ ସୁନୀଲ ଗ୍ରୋଭର ଓ କପିଳ ଶର୍ମାଙ୍କ ମଧ୍ୟରେ ବୁଝାମଣା କରିବାର କଥା କହିଛନ୍ତି। ଆସନ୍ତା ଜୁନ ମାସରେ ସଲମାନ ଖାନଙ୍କ ଅଭିନୀତ ‘ଭାରତ’ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମର ପ୍ରମୋସନ ପାଇଁ ଯେତେବେଳେ ସଲମାନ ଖାନ କପିଳ ଶର୍ମା ଶୋ’ର ସେଟ୍ କୁ ଆସିବେ ସେହି ସମୟରେ ସାଙ୍ଗରେ ସୁନୀଲ ଗ୍ରୋଭର ଆସିପାରନ୍ତି। ତେବେ ବର୍ତ୍ତମାନ ନିର୍ମାତାଙ୍କ ତରଫରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

କାଟ୍ରିନା ବି ଆସିବେ ନଜର
ଅନୁମାନ କରାଯାଉଛି ଯେ, ଯଦି ସବୁକିଛି ଠିକ ରୁହେ ତେବେ 2017ପରେ ପ୍ରଥମ ଥର ପାଇଁ ସୁନୀଲ ଗ୍ରୋଭର ଓ କପିଳ ଶର୍ମାଙ୍କୁ ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିବ। ଦର୍ଶକଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଖୁସି ଖବର ହୋଇଥିଲେ ମଧ୍ୟ ସୁନୀଲ ଗ୍ରୋଭରଙ୍କୁ ଶୋ’ରେ ଡକ୍ଟର ଗୁଲ୍ଲାଟି କିମ୍ବା ଗୁତ୍ଥି ଚରିତ୍ରରେ ଦେଖିବାକୁ ମିଳିବ ନାହିଁ। ସେ କେବଳ ଏହି ଶୋ’ରେ ଅତିଥି ଭାବରେ ଯୋଗ ଦେବେ।
ସଲମାନ ଖାନ ନିଜର ଆଗାମୀ ଫିଲ୍ମ ‘ଭାରତ’ର ପ୍ରମୋସନ ପାଇଁ କପିଳ ଶର୍ମାଙ୍କ ଶୋ’କୁ ଫିଲ୍ମର ସମସ୍ତ କଳାକାରଙ୍କ ସହିତ ଆସିବେ। ଏହି ଫିଲ୍ମଟି ଜୁନ5ରେ ଇଦ୍ ଅବସରରେ ରିଲିଜ କରାଯିବ। ନିକଟରେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ କରାଯାଇଛି। ଦର୍ଶକମାନେ ଏହାକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। ଅଲ୍ଲୀ ଆବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଲମାନଙ୍କ ସହିତ ଅଭିନେତ୍ରୀ କାଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିବ।
କପିଳ ଶର୍ମା ଓ ସୁନୀଲ ଗ୍ରୋଭରଙ୍କ ମଧ୍ୟରେ ଝଗଡା ହେବା ପରେ ଉଭୟଙ୍କୁ କୌଣସି ଶୋ’ ବା ମଞ୍ଚରେ ଏକାଠି ଦେଖିବାକୁ ମିଳିନାହିଁ। ତେବେ ପରବର୍ତ୍ତୀ ସମୟରେ କପିଳ ଶର୍ମା ଅନେକ ଥର ସୁନୀଲ ଗ୍ରୋଭରଙ୍କ ସାମ୍ନାରେ ନିଜ ଶୋ’ର ଅଂଶ ହେବା ପାଇଁ ପ୍ରସ୍ତାବ ରଖିସାରିଲେଣି।
ନିକଟରେ କପିଳ ଶର୍ମା ଯେତେବେଳେ ଅରବାଜ ଖାନଙ୍କ ଶୋ’ରେ ପହଞ୍ଚିଥିଲେ ସେତେବେଳେ ସୁନୀଲ ଗ୍ରୋଭରଙ୍କୁ ନିଜ ମନର କଥା କହିଥିଲେ। ସେ ସବୁକିଛି ଭୁଲି ସୁନୀଲଙ୍କୁ ନିଜ ଶୋ’କୁ ଆଣିବା ପାଇଁ ବିଚାର କରିଛନ୍ତି ବୋଲି କହିଥିଲେ। ଏହାସହିତ ସେ ଆହୁରି ମଧ୍ୟ କହିଥିଲେ ଯେ, ସୁନୀଲ ପୁଣି ଶୋ’କୁ ଫେରିବେ ନା ନାହିଁ ଏହା ତାଙ୍କର ଇଚ୍ଛା ଅଟେ। ସୁନୀଲ ତାଙ୍କର ଖୁବ ପସନ୍ଦ ବୋଲି ସେ ସ୍ଵୀକାର କରିଥିଲେ।