ଏହି ସର୍ତ୍ତ ସହିତ ଟିକ୍ ଟକ୍ ଉପରୁ ହଟିଲା ନିଷେଧାଜ୍ଞା

Thursday, April 25, 2019

(ବେତାର ବ୍ୟୁରୋ) ଚୀନର ଲୋକପ୍ରିୟ ଭିଡିଓ ପ୍ରସ୍ତୁତକାରୀ ଆପ ‘ଟିକ୍ ଟକ୍’ ଉପରରେ ଲାଗିଥିବା ବ୍ୟାନକୁ ବୁଧବାର ମାଡ୍ରାସ ହାଇକୋର୍ଟ ହଟାଇ ଦେଇଛନ୍ତି। ଏହି ଆପ୍ଲିକେସନକୁ ବ୍ୟବହାରକାରୀ ମାନେ ପୂର୍ବପରି ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ଷ୍ଟୋରରୁ ଡାଉନଲୋଡ କରିପାରିବେ।

 

ଏହି କଟକଣା ଉଠାଇବା ସହିତ ମାଡ୍ରାସ ହାଇକୋର୍ଟ ଟିକ୍ ଟକ୍ ଆଗରେ ଏକ ସର୍ତ୍ତ ରଖିଛନ୍ତି ଯେ, ଏହି ପ୍ଲାଟଫର୍ମ କୌଣସି ଅଶ୍ଳୀଳ ଭିଡିଓକୁ ପ୍ରୋତ୍ସାହନ ଦେବ ନାହିଁ ଓ ଏହା ଉପରେ ନଜର ରଖିବ। ଜଷ୍ଟିସ୍‌ ଏନ୍‌ କିରୁବାକାରନ୍‌ ଏବଂ ଜଷ୍ଟିସ୍‌ ଏସ୍‌ଏସ୍‌ ସୁନ୍ଦରଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ସର୍ତ୍ତର ଉଲ୍ଲଂଘନ ହୋଇ ଏହି ଆପରେ କୌଣସି ‘ବିବାଦୀୟ’ ଭିଡିଓ ପୋଷ୍ଟ କରାଯାଏ ତେବେ ଏହାକୁ ନ୍ୟାୟଳୟର ଅବମାନନା ବୋଲି ବିଚାର କରାଯିବ।

 

ପୂର୍ବରୁ ମାଡ୍ରାସ୍‌ ହାଇକୋର୍ଟ ଏହି ଆପ୍‌ର ଡାଉନ୍‌ଲୋଡ୍‌ ଉପରେ ସାମୟିକ ବ୍ୟାନ୍‌ ଲଗାଇଥିଲେ। ଏହା ଶିଶୁଙ୍କୁ ପର୍ଣ୍ଣୋଗ୍ରାଫି ଆଡ଼କୁ ଆକୃଷ୍ଟ କରିବାର ସମ୍ଭାବନା ଥିବାରୁ ଏହାକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯଦିଓ ଏହାର ପ୍ରସାର ଉପରେ ରୋକ୍‌ ଲାଗିଥିଲା, କିନ୍ତୁ ପୂର୍ବରୁ ମୋବାଇଲରେ ଏହି ଆପ୍ଲିକେସନ୍‌ ରଖିଥିବା ବ୍ୟବହାରକାରୀମାନେ ଏହି ସେବାକୁ ବ୍ୟବହାର କରିପାରୁଥିଲେ।

କୋର୍ଟଙ୍କ ପୂର୍ବ ରାୟ ବିରୋଧରେ ଟିକ୍‌ଟକ୍‌ ଯୁକ୍ତି ରଖିଥିଲା ଯେ ଏହା ସମ୍ବିଧାନର ଧାରା ୧୯ (୧)ର ଉଲ୍ଲଂଘନ କରୁଛି, ଯାହାକି ବ୍ୟକ୍ତିର ମତାଧିକାରକୁ ସୁରକ୍ଷା ଦେଇଥାଏ। ଟିକ୍‌ଟିକ୍‌ର ଓକିଲ କୋର୍ଟଙ୍କୁ କହିଥିଲେ, ସମ୍ବିଧାନରେ ଯାହାକୁ ଅନୁମତି ମିଳିଛି, ନ୍ୟାୟପାଳିକା ସେଥିରେ କିପରି ରୋକ୍‌ ଲଗାଇପାରିବ। ସେ ଯୁକ୍ତି କରିଥିଲେ, କେବଳ ଆପ୍‌ ବ୍ୟାନ୍‌ କରିଦେଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ ଏବଂ ସମସ୍ତଙ୍କ ଅଧିକାର ଅକ୍ଷୁଣ୍ଣ ରହିବାର ଆବଶ୍ୟକତା ରହିଛି।

 

ଟିକ୍ ଟକ୍ ମାମଲାକୁ ନେଇ ହୋଇଥିବା ଗତ ଶୁଣାଣୀରେ ସୁପ୍ରିୟମ କୋର୍ଟ ମାଡ୍ରାସ ହାଇକୋର୍ଟକୁ ଏହି ନିଷ୍ପତ୍ତି ଉପରେ ପୁନଃ ବିଚାର କରିବା ପାଇଁ ଆଦେଶ ଦେଇଥିଲେ। ଏହାସହିତ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଥିଲା ଯେ, ଯଦି ଏପ୍ରିଲ 24 ତାରିଖ ମଧ୍ୟରେ ମାଡ୍ରାସ ହାଇକୋର୍ଟ ଏହି ମାମଲା ଉପରେ ପୁନଃ ବିଚାର ନକରେ ତେବେ ଟିକ୍ ଟକ୍ ଉପରେ ଲାଗିଥିବା ବ୍ୟାନ ହଟାଇ ଦିଆଯିବ।

 

ଟିକ୍ ଟକ୍ ଆପକୁ ଭାରତରେ ବ୍ୟାନ କରାଯିବା ପରେ କମ୍ପାନୀକୁ ପ୍ରତିଦିନ 5ଲକ୍ଷ ଡଲାର (3.50କୋଟି ଟଙ୍କା) କ୍ଷତି ସହିବାକୁ ପଡୁଥିଲା। ଟିକ୍ ଟକ୍ ଏକ ମାଗଣା ଆପ୍ ହୋଇଥିଲେ ମଧ୍ୟ ଏଥିରେ ଅନେକ in-app କିଣାଯାଇଥାଏ, ଯେପରିକି ଇମୋଜି ଓ ଡିଜିଟାଲ ଗିଫ୍ତ୍ସ। ଅକ୍ଟୋବର 2018ରେ ଏହି ଆପରେ ଗୋଟିଏ ମାସ ମଧ୍ୟରେ ପ୍ରାୟ 24କୋଟି ରୋଜଗାର ହେଉଥିଲା।

 

ସୁପରହିଟ ଆପ୍

ଚୀନର ବେଜିଙ୍ଗସ୍ଥିତ  କମ୍ପାନୀ ଦ୍ଵାରା ପ୍ରସ୍ତୁତ ଏହି ଆପକୁ ପ୍ରଥମେ  ‘ମ୍ୟୁଜିକାଲି’ ନାମରେ ଲଞ୍ଚ କରାଯାଇଥିଲା। ପରେ ଏହାର ନାମବଦଳାଇ ଟିକ୍ ଟକ୍ ରଖାଯାଇଥିଲା। ଏଥିରେ ବ୍ୟବହାରକାରୀମାନେ ନିଜର ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରି ଶେୟାର କରିଥାନ୍ତି। ଏହି ଆପ୍ ଜରିଆରେ ଫିଲ୍ମ ଡାଇଲଗ, ଗୀତ ଓ କମେଡି ଉପରେ ଲୋକମାନେ ଭିଡିଓ ପ୍ରସ୍ତୁତ କରିଥାନ୍ତି।

 

ଭାରତରେ ଏହା ବହୁତ ଲୋକପ୍ରିୟ ହୋଇଯାଇଛି। ଭାରତରେ ଏହି ଆପର ପ୍ରାୟ 104ମିଲିୟନରୁ ଅଧିକ ବ୍ୟବହାରକାରୀ ଅଛନ୍ତି ଓ ପ୍ରତି ମାସରେ ଏଥିରେ 54ମିଲିୟନରୁ ଅଧିକ ବ୍ୟବହାରକାରୀ ଆକ୍ଟିଭ ରହୁଛନ୍ତି।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon