ଅପ୍ରେଲ 29-ମେ' 5 ରାଶିଫଳ :ଏହି ରାଶିର ରହିଛି ସୁଖଶାନ୍ତି ଯୋଗ

Monday, April 29, 2019

(ବେତାର ବ୍ୟୁରୋ) ଚଳିତ ସପ୍ତାହର ଆରମ୍ଭ କୃଷ୍ଣପକ୍ଷ, ଦଶମୀ ତିଥି ଓ ଶତଭିଷା   (ରାହୁ) ନକ୍ଷତ୍ର ସହିତ ହେଉଛି। ଏହି ସମୟରେ ଚନ୍ଦ୍ରମା କୁମ୍ଭ  ରାଶିରେ ରହିବେ। ଏହି ସପ୍ତାହର ଅନ୍ତ ମେଷ ରାଶିରେ ଭାରିଣୀ (ଶୁକ୍ର)

 ନକ୍ଷତ୍ରରେ ହେବ। ଏହି ସମୟ ମଧ୍ୟରେ ଚନ୍ଦ୍ର ଦେବ କୁମ୍ଭ , ମୀନ ଓ ମେଷ ରାଶିରେ ରହିବେ ।  ପୁନଶ୍ଚ ଏହି ସପ୍ତାହରେ ବୁଧ ଗ୍ରହ ନିଜ ରାଶି ମୀନ ଛାଡି ମେଷ ରାଶିରେ ପ୍ରବେଶ କରିବେ । ଗ୍ରହ ଯୋଗ ଦର୍ଶାଉଛି ଯେ ଏହି ସପ୍ତାହରେ କୌଣସି ଏକ ଅପ୍ରତ୍ୟାଶିତ ଘଟଣା ଘଟିପାରେ । ତେବେ ଏହି ସପ୍ତାହଟି ସମସ୍ତ ରାଶି ପାଇଁ କିପରି କଟିବ ଆସନ୍ତୁ ଜାଣିବା।

 

ମେଷ: ଏହି ସମୟରେ ଆପଣଙ୍କ ଏକାଗ୍ରତା ବୃଦ୍ଧି ପାଇବ ତଥା ଅଧିକ ଧନ ଅର୍ଜନ ପାଇଁ ଆପଣ ବାଟ ଖୋଜିବେ । ସପ୍ତାହ ଆରମ୍ଭରୁ ଖର୍ଚ୍ଚ ବୃଦ୍ଧି ଯୋଗ ରହୁଥିଲେ ମଧ୍ୟ ଏହା ଖର୍ଚ୍ଚ ନ ହେଇ ଭବିଷ୍ୟତ ପାଇଁ ନିବେଶ ହେବ । ସପ୍ତାହ ମଝିରେ ନିକଟ ସମ୍ପର୍କୀୟଙ୍କ ସହିତ ଝଗଡା ହେଇପାରେ ଓ ସପ୍ତାହ ଶେଷକୁ ପୁରୁଣା କରଜ ଶୁଝିବାର ବାଟ ଖୋଜିବେ । ଏହି ସମୟରେ ସ୍ୱାସ୍ଥ୍ୟରେ ଅବନତି ହେଇପାରେ । ପ୍ରେମ ସମ୍ବନ୍ଧ ପାଇଁ ଶୁଭ ସମୟ ।

 

ବୃଷ: ସପ୍ତାହ ଆରମ୍ଭରୁ କର୍ମ କ୍ଷେତ୍ରରେ ବା ପରିବାରରେ କୌଣସି କାରଣ ପାଇଁ ଅସନ୍ତୁଷ୍ଟ ହେଇପାରନ୍ତି । ତେବେ ନିଜ ବୁଦ୍ଧିମତା ଯୋଗୁଁ ଏହାକୁ ଦୂରେଇପାରିବେ । ସପ୍ତାହ ମଝିରେ କଳାତ୍ମକ କାର୍ଯ୍ୟରେ ରୁଚି ବଢିବ । ସପ୍ତାହ ଶେଷ ଆଡକୁ କୌଣସି କାମରେ ବାସସ୍ଥାନଠୁ ଦୂରକୁ ଯିବାକୁ ପଡିପାରେ ଅବା ଖର୍ଚ୍ଚ ବୃଦ୍ଧି ପାଇପାରେ । ପ୍ରେମୀମାନେ ନିଜ ପ୍ରେମିକା/ପ୍ରେମିକଙ୍କ ସହିତ ସମୟ ବିତେଇବାର ସୁଯୋଗ ପାଇବେ ।

 

ମିଥୁନ: ଏହି ସପ୍ତାହ ଆରମ୍ଭରୁ ପିତା ବା ଗୁରୁଜନଙ୍କ ସହିତ ସମ୍ବନ୍ଧ ଭଲ ରହିବ ବା ଦୂର ସ୍ଥାନରୁ ଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ଅଧିକ ସମୟ ଦେବେ ଓ ପ୍ରଶଂସିତ ହେବେ । ସପ୍ତାହ ଶେଷରେ ଖୁସି ଖବର ମିଳିପାରେ । ବ୍ୟବସାୟୀମାନେ ଆର୍ଥିକ ସଫଳତା ପାଇ ପାରନ୍ତି । ପ୍ରେମ ସମ୍ବନ୍ଧୀୟ ମାମଲା ଚଳନୀୟ ରହିବ ।

 

କର୍କଟ: ଏହି ସପ୍ତାହରେ ଆରମ୍ଭରୁ କୌଣସି କାରଣ ପାଇଁ ମନ ଖରାପ ରହିପାରେ । ତେବେ ସପ୍ତାହ ମଝିରେ କୌଣସି ଭୋଜି ବା ବିବାହ ଉତ୍ସବରେ ଯୋଗଦାନ କରିପାରନ୍ତି ଓ ମନଲାଖି ପୁଅ/ଝିଅ ପ୍ରତି ଆକୃଷ୍ଟ ହେଇପାରନ୍ତି । ସପ୍ତାହନ୍ତରେ ଉପରିସ୍ଥ ଅଧିକାରୀଙ୍କ ସହିତ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି ଓ ଚାକିରିଆମାନଙ୍କ ଦରମା ବଢିବା କିମ୍ବା ପଦୋନ୍ନତି ହେବା ଯୋଗ ରହିଛି । ବ୍ୟବସାୟୀମାନେ ନିଜ କାରବାର ବୃଦ୍ଧି କରିବାରେ ସକ୍ଷମ ହେବେ । ପ୍ରେମ ସମ୍ବନ୍ଧୀୟ ବ୍ୟାପାର ମିଶ୍ରିତ ରହିବ ।

 

ସିଂହ: ସପ୍ତାହ ଆରମ୍ଭରୁ ବ୍ୟବସାୟ ବଢେଇବା କଥା ଭାବିପାରନ୍ତି । ସେହିପରି ଚାକିରିଆମାନେ ଅନ୍ୟ ଚାକିରି ବା ସାଇଡ ଇନକମ ବିଷୟରେ ଯୋଜନା କରିବେ ଓ ସେ ବିଷୟରେ ଅଗ୍ରସର ହେବେ । ସପ୍ତାହ ମଝିରେ ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଏ ସପ୍ତାହର ଶେଷ ଆଡକୁ କର୍ମକ୍ଷେତ୍ରରେ ଅଧିକ ସମୟ ଦେବାକୁ ପଡିପାରେ । ସାଙ୍ଗସାଥିମାନଙ୍କ ସହିତ କୌଣସି ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ବା ନୂତନ ଜିନିଷ କ୍ରୟ କରିପାରନ୍ତି । ପ୍ରେମ ସମ୍ବନ୍ଧୀୟ ମାମଲା ଅନୁକୂଳ ରହିବ ନାହିଁ ।

 

କନ୍ୟା: ଏ ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ତେବେ ଖର୍ଚ୍ଚ ବୃଦ୍ଧି ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟବସାୟରେ ଅଧିକ ସଫଳତା ମିଳିପାରେ । ସହକର୍ମୀମାନଙ୍କ ସହିତ ସମ୍ବନ୍ଧ ଭଲ ରହିବ । ସପ୍ତାହ ଶେଷ ଆଡକୁ ମାନସିକ ଚାପ ବଢିପାରେ । କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହେଇପାରେ ବା ଦୂର ସ୍ଥାନକୁ ନ ଚାହୁ ନଥିଲେ ବି ଯାତ୍ରା କରିବାକୁ ପଡିପାରେ । ପ୍ରେମ ସମ୍ବନ୍ଧରେ ବାଧା ଆସିପାରେ ।

 

ତୁଳା: ଏ ସପ୍ତାହ ଆପଣଙ୍କୁ ମିଶ୍ରିତ ଫଳ ଦେବ । ଛାତ୍ରଛାତ୍ରୀମାନେ ବା ଆପଣଙ୍କ ସନ୍ତାନମାନେ ଶିକ୍ଷାରେ ସଫଳତା ପାଇବେ । ତେବେ ଚାକିରିଆ ଲୋକମାନେ ଏ ସମୟରେ କର୍ମକ୍ଷେତ୍ରରେ ବାଧାର ସମ୍ମୁଖୀନ ହେଇପାରନ୍ତି । କାହାକୁ ଦେଇଥିବା ଋଣକୁ ବାଦବିବାଦ ପରେ ପାଇବାରେ ସକ୍ଷମ ହେବେ । ସପ୍ତାହ ଶେଷ ଆଡକୁ କୌଣସି ଛୋଟିଆ ଭୁଲ ପାଇଁ ବଡ ମୂଲ୍ୟ ଦେବାକୁ ପଡିପାରେ । ବ୍ୟବସାୟୀଙ୍କ ପାଇଁ ସଫଳତା ମିବାର ଯୋଗ ରହୁଛି । ପ୍ରେମ ବ୍ୟାପାର ପାଇଁ ସମୟ ଭଲ ନୁହେଁ ।

 

ବିଛା: ପାରିବାରିକ ଦୃଷ୍ଟିକୋଣରୁ ଏ ସପ୍ତାହ ଆପଣଙ୍କ ପାଇଁ ସୁଖପ୍ରଦ ରହିବ । କୌଣସି କଳାତ୍ମକ କାର୍ଯ୍ୟରେ ବ୍ୟବସାୟ କରୁଥିଲେ ଏଥିରୁ ଧନ ଅର୍ଜ୍ଜନ କରିପାରନ୍ତି । ଏହି ରାଶିର କିଛି ବ୍ୟକ୍ତି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ସପ୍ତାହ ଶେଷ ଆଡକୁ ବ୍ୟବସାୟରେ ସ୍ଥିରତା ଆସିବ । ତେବେ ସାମାଜିକ ଜୀବନରେ କାହା ସହିତ ବାଦବିବାଦର ସ୍ଥିତି ଲାଗି ରହିପାରେ । ଖର୍ଚ୍ଚ ବୃଦ୍ଧି ପାଉଥିବାରୁ ନୂତନ ରୋଜଗାର ମାର୍ଗ ବିଷୟରେ ଭାବିପାରନ୍ତି । ପ୍ରେମ ସମ୍ବନ୍ଧ ବ୍ୟାପାର ଅତ୍ୟନ୍ତ ଭଲ ରହିବ । ନିଜ ମନ ପସନ୍ଦର ବ୍ୟକ୍ତିଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି ।

 

ଧନୁ: ଏହି ସମୟରେ ଆପଣଙ୍କ ମନୋବଳ ଉଚ୍ଚ ରହିବ ଓ ସାହସ ବୃଦ୍ଧି ପାଇବ । ପରିବାରରେ ସୁଖଶାନ୍ତିର ସ୍ଥିତି ରହିବ । ସପ୍ତାହ ମଝିରେ ଆପଣ ପୁରୁଣା କରଜ ଶୁଝିବାରେ ସକ୍ଷମ ହେବେ । କୋର୍ଟ କଚେରୀ ବା ବିବାଦ ମାମଲାରେ ବିଜୟୀ ହେବେ । ଆଇନ ଛାତ୍ରଛାତ୍ରୀମାନେ ବିଶେଷ ସଫଳତା ପାଇ ପାରନ୍ତି । ବ୍ୟବସାୟ ବଢିବାର ଯୋଗ ରହିଛି ତଥା ଚାକିରିଆମାନେ ନୂତନ ରୋଜଗାରର ବାଟ ଖୋଜି ପାଇପାରନ୍ତି । ପ୍ରେମ ସମ୍ବନ୍ଧୀୟ ବ୍ୟାପାର ସେତେଟା ଭଲ ରହି ନ ପାରେ ।

 

ମକର: ଏ ସପ୍ତାହରେ ପାରିବାରିକ ଜୀବନରେ ଆପଣଙ୍କ ମହତ୍ଵ ବଢିବ ଓ ଆପଣଙ୍କ ମତକୁ ସମ୍ମାନ ମିଳିବ । ଯଦିଓ ଏ ସମୟରେ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ତେବେ ସାନ ଭାଇ ଭଉଣୀମାନଙ୍କ ସହାୟତାରେ କର୍ମ କ୍ଷେତ୍ରରେ ସଫଳତା ପାଇ ପାରନ୍ତି । ଏ ସପ୍ତାହରେ ନିଜ ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ ସପ୍ତାହଟି ଆପଣଙ୍କ ପାଇଁ ଲାଭଜନକ । ସନ୍ତାନ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରେମ ସମ୍ବନ୍ଧୀୟ ମାମଲା ପାଇଁ ସମୟ ଅନୁକୂଳ ।

 

କୁମ୍ଭ: ଏହି ସମୟରେ ନିଜ ଭବିଷ୍ୟତ ଆୟ ବଢେଇବା ପାଇଁ ଆପଣ କୌଣସି ନିର୍ଣ୍ଣୟ ନେଇ ପାରନ୍ତି । ସପ୍ତାହ ଆରମ୍ଭରୁ ପରିବାର ଲୋକଙ୍କ ସହିତ ସମୟ ବିତେଇପାରନ୍ତି ଓ ଭଲ ବ୍ୟଞ୍ଜନ ଖାଇବାକୁ ମିଳିପାରେ । କର୍ମ କ୍ଷେତ୍ରରେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ସପ୍ତାହ ଶେଷରେ ନୂଆ ଘର ଯାଇପାରନ୍ତି ବା କୌଣସି ମୂଲ୍ୟବାନ ବସ୍ତୁ ଉପହାର ସୂତ୍ରରେ ପାଇ ପାରନ୍ତି । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରେମ ମାମଲା ଚଳନୀୟ ରହିବ ।

 

ମୀନ: ଏ ସପ୍ତାହର ଆରମ୍ଭ ସେତେଟା ଭଲ ରହି ନ ପାରେ । କୌଣସି ନା କୌଣସି କାରଣ ନେଇ ଚିନ୍ତିତ ରହିବେ ଓ ନିଦ୍ରାରେ ବ୍ୟାଘାତ ଆସିପାରେ । ମାନସିକ ଚିନ୍ତା ଦୂରେଇବା ପାଇଁ ଯୋଗ ଓ ପ୍ରାଣାୟାମ ଜରୁରୀ । ତେବେ ଦିନେ ଦୁଇଦିନ ଭିତରେ ଆପଣଙ୍କ ସମସ୍ୟା ଦୂରେଇ ଯାଇପାରେ । ଏ ସମୟରେ ଧନଲାଭ ହେଇପାରେ ଓ ମନ ପ୍ରଫୁଲ୍ଲ ରହିପାରେ । ସପ୍ତାହ ଶେଷ ଆଡକୁ ନିଜ ସାନ ଭାଇଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ଏହି ସମୟରେ ପ୍ରେମ ସମ୍ବନ୍ଧୀୟ ମାମଲା ଭଲ ରହିବ ।

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

 

   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon