ମେଷ ରାଶିରେ ଶୁକ୍ର ପ୍ରବେଶ : ଏହି 8 ରାଶି ପାଇଁ ଶୁଭ ସମୟ

(ବେତାର ବ୍ୟୁରୋ) ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଏକ ଆଧ୍ୟାତ୍ମିକ ଗୁରୁ ହିସାବରେ ବର୍ଣ୍ଣନା କରାଯାଇ ଦେଖାଯାଇଥାଏ ଏବଂ ଧନ ସମ୍ପତ୍ତି, ବିଳାସବ୍ୟସନ (ନୂଆ ମୋବାଇଲ ବା ଗାଡି ଇତ୍ୟାଦି କିଣିବା) ସହିତ  ଶୁକ୍ର 

ଗ୍ରହକୁ ଯୋଡ଼ାଯାଇ ଦେଖାଯାଇଥାଏ । ଏହି ଚଳନ ମେ' 10ରୁ  ଆରମ୍ଭ ହେଇ 23 ଦିନ ପର୍ଯ୍ୟନ୍ତ ରହିବ । ଚଳିତ ଚଳନରେ ଶୁକ୍ର ଗ୍ରହ, ମଙ୍ଗଳ ଗ୍ରହର  ରାଶି ମେଷରେ ରହିବେ ଯେଉଁଥିରେ ସୂର୍ଯ୍ୟ ଓ ବୁଧ ପୂର୍ବରୁ ରହିଛନ୍ତି । ଶୁକ୍ର ଗ୍ରହ ବୁଧ ଗ୍ରହ ସହିତ ମିତ୍ର ଓ ସୂର୍ଯ୍ୟ ସହିତ ଶତ୍ରୁ ଆଚରଣ କରିଥାଏ ।

 

ଏହି ଚଳନ ପ୍ରଭାବରେ ଆଠଟି ରାଶିର ବ୍ୟକ୍ତିଙ୍କୁ ଫାଇଦା ହେଉଥିବା ବେଳେ ଗୋଟିଏ ରାଶିକୁ ମିଶ୍ରିତ ଫଳ ଓ ଅନ୍ୟ ତିନୋଟିକୁ କମ ଶୁଭ ଫଳ ଦେବ । ଆସନ୍ତୁ ଜାଣିବା କେଉଁ ରାଶିରେ କ'ଣ ପ୍ରଭାବ ପଡିବ ।  

    

ମେଷ: ଏହି ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ । ଏହି ସମୟରେ ଆପଣଙ୍କ ବ୍ୟକ୍ତିତ୍ଵ ଅଧିକ ଆକର୍ଷଣୀୟ ହେବା ସହିତ ସମାଜରେ ଆପଣଙ୍କ ଲୋକପ୍ରିୟତା ବଢିବାର ସମ୍ଭାବନା ରହିଛି । କର୍ମମୟ ଜୀବନରେ ଆପଣ ସହକର୍ମୀଙ୍କ ଠାରୁ ଯଥେଷ୍ଟ ସହଯୋଗ ପାଇବେ । ପ୍ରେମ ସମ୍ବନ୍ଧ ଉତ୍ତମ ରହିବ । ସେହିପରି ବିବାହିତ ବ୍ୟକ୍ତିମାନେ ନିଜ ସ୍ଵାମୀ/ସ୍ତ୍ରୀଙ୍କ ଠାରୁ ଅନେକ ସହଯୋଗ ପାଇବେ ।  

 

ବୃଷ:  ଚଳିତ ଶୁକ୍ର ଚଳନ ଆପଣଙ୍କ ଦ୍ଵାଦଶ (ବ୍ୟୟ, ଭୌତିକ ସୁଖ) ଘରେ ହେଉଥିବାରୁ ଆପଣଙ୍କ ଖର୍ଚ୍ଚ ବଢିବାର ଯୋଗ ଦେଖାଉଛି । ପୁନଶ୍ଚ ଏହି ସମୟରେ ଦୂର ଯାତ୍ରା ଯୋଗ ମଧ୍ୟ ପଡିପାରେ । ତେବେ ଏହି ସମୟରେ ନିଜ ସ୍ଵାମୀ/ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି ରାଶିର ବ୍ୟକ୍ତିଙ୍କୁ କୌଣସି ଶାରୀରିକ କଷ୍ଟ ହେଇପାରେ । 

 

 

ମିଥୁନ: ଏହି ଗୋଚର ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟି କୋଣରୁ ଖୁସି ଖବର ଆଣିପାରେ । କୌଣସି ସୂତ୍ରରୁ ଆର୍ଥିକ ଲାଭ ପାଇପାରନ୍ତି ଅଥବା ଚାକିରି କ୍ଷେତ୍ରରେ ପ୍ରମୋସନ ହେଇପାରେ । କୌଣସି ମହିଳା ମିତ୍ରଙ୍କ ଠାରୁ ଅଥବା ଦୂରର କୌଣସି ବନ୍ଧୁଙ୍କ ସହାୟତାରେ କୌଣସି ବିଶେଷ ସାହାଯ୍ୟସୁବିଧା ପ୍ରାପ୍ତ ହେଇପାରେ । ଏହି  ଗୋଚର ବା ଚଳନ ପ୍ରଭାବରେ ଫିଲ୍ମ ବା କଳା କ୍ଷେତ୍ରରେ କ୍ୟାରିୟର କରୁଥିବା ବା ଏହି କ୍ଷେତ୍ରରେ ଆଗ୍ରହୀ ଥିବା ବ୍ୟକ୍ତି ମାନେ ସଫଳତା ପାଇ ପାରନ୍ତି । 

 

କର୍କଟ:  ଏହି ସମୟରେ ଆପଣ ନିଜ କର୍ମ କ୍ଷେତ୍ରରେ ଅଧିକ ଦକ୍ଷତାର ସହିତ କାମ କରିପାରିବେ ଓ ଏଥିପାଇଁ ପ୍ରଶଂସିତ ମଧ୍ୟ ହେବେ । ଏହି ରାଶିର କିଛି ବ୍ୟକ୍ତି  ଯାନବାହନ କିଣି ପାରନ୍ତି । କର୍କଟ ରାଶିର ପୁରୁଷ ମାନେ ଯଦି କୌଣସି ମହିଳାଙ୍କ ସାନ୍ନିଧ୍ୟ ଲାଭ କରନ୍ତି ତେବେ ଏହା ତାଙ୍କ ଭାଗ୍ୟରେ ଉନ୍ନତି ଆଣିପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । 

 

ସିଂହ: ଅଳ୍ପ କିଛି କ୍ଷେତ୍ର ଛାଡିଦେଲେ ଏହି ଗୋଚର ଆପଣଙ୍କ ରାଶି ପାଇଁ ବହୁତ ଲାଭଦାୟକ ରହିବ। ନିଜ ପରିବାର ଠାରୁ ବା ଭାଇବନ୍ଧୁଙ୍କ ଠାରୁ କୌଣସି ବିଶେଷ ସାହାଯ୍ୟ ପାଇ ପାରନ୍ତି । ଏହି ସମୟରେ ନିଜ କର୍ମ କ୍ଷେତ୍ର ପରିବର୍ତ୍ତନ କରିପାରନ୍ତି ବା କୌଣସି  କାମରେ ଦୂରସ୍ଥାନକୁ ଯାଇ ପାରନ୍ତି।   

 

କନ୍ୟାଏହି ଚଳନ ଆପଣଙ୍କ ବ୍ୟବସାୟ ପାଇଁ ବା ଆର୍ଥିକ ଦୃଷ୍ଟିକୋଣରୁ ଲାଭଜନକ ନ ହେଇ ପାରେ , ଏଣୁ ଖର୍ଚ୍ଚ ମାମଲାରେ ସତର୍କ ରୁହନ୍ତୁ । ଏହି ଗୋଚର ସମୟରେ ଆପଣ ନିଜର ଓ ନିଜ ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନ ନେବାର ଆବଶ୍ୟକତା ରହିଛି, କାରଣ ଉଭୟଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାର ଯୋଗ ଦେଖାଉଛି । ଏଥିପାଇଁ କେବଳ ସୁଷମ ଖାଦ୍ୟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ । ତେବେ ଏହି ଚଳନ ଆପଣଙ୍କ ଏପରି ଏକ ସୁଯୋଗ ଆଣିଦେବ ଯାହାର କଲ୍ପନା ଆପଣ କରି ନ ଥିବେ । 

 

ତୁଳା: ଏହା ଆପଣଙ୍କ ପାଇଁ ଶୁଭଦାୟକ ରହିବ। ଏହି ଶୁକ୍ର ଚଳନ ସମୟରେ ଆପଣ କାହା ଆକର୍ଷିତ ହେଇ ପାରନ୍ତି ଓ ପ୍ରଥମ ଦେଖାରେ ହିଁ ଭଲ ପାଇ ପାରନ୍ତି । ସେହିପରି ବିବାହିତ ବ୍ୟକ୍ତିମାନେ ନିଜ ପତ୍ନୀଙ୍କ ସହିତ ଭଲ ସମୟ କଟେଇବେ, ତେବେ କିଛି କଥାକୁ ନେଇ ମନୋମାଳିନ୍ୟ ମଧ୍ୟ ଦେଖା ଦେଇପାରେ ।

 

ବିଛା: ଏହି ଚଳନ ଆପଣଙ୍କ ପାଇଁ ସେତେଟା ଶୁଭମୟ ହେଇ ନ ପାରେ । ପରିବାରରେ ପତ୍ନୀଙ୍କ ସହିତ ଅଥବା ନିଜ ପ୍ରେମ ସମ୍ବନ୍ଧରେ ଝଗଡା ଲାଗିପାରେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହି ଗୋଚର ଭଲ ନ ରହିପାରେ । କର୍ମକ୍ଷେତ୍ରରେ ନିଜ ମହିଳା ସହକର୍ମୀଙ୍କ ସହିତ ମଧୁର ସମ୍ବନ୍ଧ ରଖିବାକୁ  ଚେଷ୍ଟା କରନ୍ତୁ । କୌଣସି ବିବାଦରେ ନ ଫସିବାକୁ ଚେଷ୍ଟା କରନ୍ତୁ । 

 

ଧନୁ: ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ। ବୈବାହିକ ଜୀବନରେ ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ତେବେ ପ୍ରେମ ସମ୍ବନ୍ଧରେ ଉନ୍ନତି ଆସିପାରେ । ଯଦି କୌଣସି ଲଟେରୀରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ଏହା ଉତ୍ତମ ସମୟ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ।

 

ମକର: ଏହି ଚଳନରେ ଜୀବନ ସାଥିଙ୍କ ସହିତ ଉତ୍ତମ ସମ୍ବନ୍ଧ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଓ କୌଣସି ନୂତନ ଘର ବା ଗାଡି କିଣି ପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ରହିବ ।  

 

କୁମ୍ଭ: ଚଳିତ ଶୁକ୍ର ଗ୍ରହ ଚଳନ ଆପଣଙ୍କ ପାଇଁ ଏକ ସୁଖବର ଆଣିପାରେ । ନିଜ ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ । ପ୍ରେମ ସମ୍ବନ୍ଧ ଭଲ ରହିବ । ଏହି ସମୟରେ ନିଜ ପ୍ରତିଭା ଓ ଦକ୍ଷତାକୁ ଦୁନିଆ ସାମ୍ନାରେ ଦେଖାଇବାର ମଉକା ମିଳିପାରେ । 

 

ମୀନ: ଏହି ଚଳନ ଆପଣଙ୍କ କଥା କହିବାର ଢଙ୍ଗକୁ ପ୍ରଭାବିତ କରିବ ଓ ଆପଣ ନିଜ କଥାବାର୍ତ୍ତା ଶୈଳୀରେ ଅନ୍ୟକୁ ପ୍ରଭାବିତ କରିପାରିବେ । କୌଣସି ଅଜଣା ସ୍ଥାନରୁ ଆର୍ଥିକ ଲାଭ ମିଳିପାରେ । ନିଜ ପତି/ପତ୍ନୀଙ୍କ ଘରୁ ବା ପରିବାରରେ ଭାଇ-ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିପାରେ । ମୋଟ ଭାବରେ ଏହି ଚଳନ ଆପଣଙ୍କ ପାଇଁ ଶୁଭମୟ ରହିବ ।  

        

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି , ଦଶା ଫଳ ତଥା ଜନ୍ମଜାତକରେ ଗ୍ରସ୍ତ ସ୍ଥିତି ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon