ବିସିସିଆଇ ପ୍ରସ୍ତାବ : ରଣଜୀରୁ ହଟିପାରେ କଏନ ଟସ୍

Saturday, May 18, 2019

(ବେତାର ବ୍ୟୁରୋ) ଘରୋଇ କ୍ରିକେଟ, ବିଶେଷ କରି ରଣଜୀ ମ୍ୟାଚମାନଙ୍କରେ ଟସ୍ ବ୍ୟବସ୍ଥା ହଟାଇଯିବାର ପ୍ରସ୍ତାବ ବିସିସିଆଇର ବିଚାରାଧିନ ରହିଛି । ଏହା ସହିତ ଏଥିରେ ଅନ୍ୟ କେତେକ ପରିବର୍ତ୍ତନ ଆଣିବା ଦିଗରେ ମଧ୍ୟ ଭାରତୀୟ କ୍ରିକେଟ ବୋର୍ଡ ବିଚାର କରୁଛି ।

 

ଶୁକ୍ରବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କନ୍‌କ୍ଲେଭ ବା ବୈଠକରେ ରାଣଜୀ ଅଧିନାୟକ ଓ କୋଚ୍‌ମାନେ ଅଂଶଗ୍ରହଣ କରିଥିଲେ। ଦେଶର ସର୍ବବୃହତ୍‌ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଡିସିସନ ରିଭ୍ୟୁ ସିଷ୍ଟମ (ଡିଆରଏସ୍‌) ଲାଗୁ କରିବା ଓ କଏନ ଟସ୍‌କୁ ବାତିଲ କରିବା ନେଇ ସହମତି ପ୍ରକାଶ ପାଇଥିଲା।

 

କଏନ ଟସ୍‌ ପକାଇବା ବଦଳରେ ଭ୍ରମଣକାରୀ ଦଳକୁ ବ୍ୟାଟିଂ କିମ୍ବା ବୋଲିଂ କରିବାର ଅଧିକାର ପ୍ରଦାନ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଇଂଲଣ୍ଡ କ୍ରିକେଟ ବୋର୍ଡ ୨୦୧୬ରୁ ଏହାର ଘରୋଇ କ୍ରିକେଟରେ ଟସ୍‌ ପକାଇବା ଉଠାଇ ଦେଇଛି । ଏ ସମ୍ପର୍କରେ ବିସିସିଆଇ ତରଫରୁ କୁହାଯାଇଛି ଯେ ଇଂଲଣ୍ଡ କ୍ରିକେଟ ବୋର୍ଡ ନିଜର ନିୟମ ପାଳନ କରିଥାଏ ହେଲେ ବିସିସିଆଇ କେବଳ ଆଇସିସି ନିୟମ ପାଳନ କରିଥାଏ । ଆଇସିସି ଅନୁସାରେ ମ୍ୟାଚ ଆରମ୍ଭ ପୂର୍ବରୁ ଟସ୍ ପକାଯିବାର ନିୟମ ରହିଛି ।

 

ଇଂଲଣ୍ଡର ଏହି ନିୟମାନୁସାରେ ଟସ୍ ବଦଳରେ ଭ୍ରମଣକାରୀ ଦଳ ବ୍ୟାଟିଂ କରିବ ବା ବୋଲିଂ କରିବାର ନିଷ୍ପତ୍ତି ନେଇଥାଏ । ଏହା ଫଳରେ ସ୍ଥାନୀୟ କ୍ରିକେଟ ଟିମକୁ ନିଜ ଅଞ୍ଚଳରେ ଖେଳିବାର ସୁବିଧା ପ୍ରାପ୍ତ ହେଉଥିଲା ବୋଲି ଯେଉଁ ଅଭିଯୋଗ ଆସୁଥିଲା ତାହା ଦୂର ହେଇପାରିବ ବୋଲି ବିଶେଷଜ୍ଞଙ୍କ ମତ ।  

 

ସେହିପରି ରଣଜୀ ଟ୍ରଫିର ନକ୍‌ଆଉଟ୍‌ ମ୍ୟାଚ୍‌ଗୁଡିକ ହୋମ- ଆଓ୍ବେ ଅର୍ଥାତ୍‌ ଘରୋଇ ଓ ବାହାର ପରିବେଶ୍‌ କିମ୍ବା ନିରପେକ୍ଷ ଭେନ୍ୟୁରେ ଆୟୋଜନ ହେବା ନେଇ ଆଲୋଚନା ହୋଇଥିଲା।

 

ଖରାପ ଅମ୍ପାୟାରିଙ୍ଗ

ଗତ ସେସନରେ ସୌରାଷ୍ଟ୍ର ଓ କର୍ନାଟକ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ ଦୁର୍ବଳ ଅମ୍ପାୟାରିଂ କାରଣରୁ ବିବାଦୀୟ ହୋଇ ପଡିଥିଲା। ଚେତେଶ୍ୱର ପୂଜାରାଙ୍କ ବ୍ୟାଟ୍ ରେ ବଲ୍‌ ବାଜିଥିଲେ ମଧ୍ୟ ତାଙ୍କୁ ନଟ୍‌ ଆଉଟ ଘୋଷିତ କରାଯାଇଥିଲା। ଫଳରେ ସେ ଶତକ ହାସଲ କରି ମ୍ୟାଚ୍‌ର ମୋଡ ବଦଳାଇଥିଲେ। ତେଣୁ ଡିଆରଏସ୍‌ ରଣଜୀରେ ଲାଗୁ କରିବା ଅପରିହାର୍ଯ୍ୟ ହୋଇପଡିଛି ବୋଲି କୋଚ୍‌ ଓ ଅଧିନାୟକମାନେ ମତ ରଖିଥିଲେ।


ତେବେ ଏହି ନିଷ୍ପତ୍ତି ବର୍ତମାନ କାର୍ଯ୍ୟକାରୀ ହେବାର ସମ୍ଭାବନା ନାହିଁ । ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବ ସବୁ ଲାଗୁ ହେବା ପାଇଁ ଏବେ ବିସିସିଆଇ ଟେକନିକାଲ କମିଟିର ଅନୁମୋଦନ ଆବଶ୍ୟକ। ଏହାପରେ ବାର୍ଷିକ ସାଧାରଣ ପରିଷଦର ମଧ୍ୟ ସମର୍ଥନ ନିହାତି ଆବଶ୍ୟକ। ତେବେ ବର୍ତ୍ତମାନ ବୋର୍ଡର ଟେକନିକାଲ କମିଟି କିମ୍ବା ସାଧାରଣ ପରିଷଦ ନାହିଁ। ଏହା ବଳଦରେ ଆଡହକ ବଡି ବା କମିଟି ଦାୟିତ୍ୱରେ ରହିଛି।

    

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon