ଭୋଟିଂ ମେସିନ ନାଁରେ ଫେସବୁକରେ ଗୁଜବ ଖେଳାଇ 2 ଗିରଫ

Wednesday, May 22, 2019

(ବେତାର ବ୍ୟୁରୋ) ମଙ୍ଗଳବାର ଦିନଠାରୁ ଭାରତରେ ଭୋଟିଂ ମେସିନ ହେରେଫେର ସମ୍ପର୍କରେ ନାନାଦି ଖବର ଶୁଣିବାକୁ ମିଳୁଛି । ଏଥିରୁ କେଉଁଟି ସତ୍ୟ କେଉଁଟି ମିଥ୍ୟା ଜାଣିବା ମୁସ୍କିଲ । ତେବେ ଏଭଳି ଖବର ଅମୂଳକ ବୋଲି ନିର୍ବାଚନ କମିଶନ କହିସାରିଥିବା ବେଳେ ଏହିପରି ଏକ ବିବାଦୀୟ ଖବରକୁ ଫେସବୁକରେ ଶେୟର କରି ଗିରଫ ହେଇଛନ୍ତି ଦୁଇ ବ୍ୟକ୍ତି ।

 

ଇଲେକ୍ଟ୍ରୋନିକ୍‍ ଭୋଟିଂ ମେସିନ (ଇଭିଏମ)କୁ ନେଇ ଅପପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ପୁଲିସ୍‍ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଏହି କ୍ରମରେ ଫେସ୍‍ବୁକରେ ଇଭିଏମ ବଦଳା ଯାଉଥିବାର ମିଥ୍ୟା ପୋଷ୍ଟ କରିଥିବା ୨ ଜଣଙ୍କୁ ଉତ୍ତରପ୍ରଦେଶ ପୁଲିସ୍‍ ବୁଧବାର ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ  ଆଜମଗଡ଼ ଓ ଅନ୍ୟ ଜଣେ ଜୌନପୁର ଅଞ୍ଚଳର ବୋଲି ଜଣାପଡିଛି।


ଆଜମଗଡ଼ ଏସ୍‍ପି ତ୍ରିଭେଣୀ ସିଂହ କହିଛନ୍ତି ଯେ ଆଖାପୁର ନିବାସୀ ଉମେଶ ଗୌତମ ପ୍ରଶାସନ ଇଭିଏମ ବଦଳାଥିବା ନେଇ ଫେସ୍‍ବୁକରେ ମିଥ୍ୟା ପୋଷ୍ଟ କରିଥିଲେ। ଅପପ୍ରଚାର ପାଇଁ ତାଙ୍କୁ ଗିରଫ କରାଯାଇଛି।

 

ସେହିପରି ଫେସ୍‍ବୁକରେ ନକଲି ଫଟୋ ଅପଲୋଡ କରି ଇଭିଏମ ବଦଳାଯାଉଥିବାର ଅପପ୍ରଚାର ଅଭିଯୋଗରେ ଲାଇନବଜାର ଥାନା ପୁଲିସ୍‍ କୋତୱାଲି ଅଞ୍ଚଳ ମୀରମସ୍ତ ନିବାସୀ ଫୈଜାନ ଖାନଙ୍କୁ ଗିରଫ କରିଛି।ବାରଣାସୀରେ ଇଭିଏମକୁ ନେଇ ମିଥ୍ୟା ପୋଷ୍ଟ କରିଥିବା ୨ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

 

ସନ୍ଦେହଜନକ ଭିଡିଓ

ମଙ୍ଗଳବାର ଦିନ ଏକ ସନ୍ଦେହଜନକ ୱେବସାଇଟରୁ ଭାରତରେ ନିର୍ବାଚନ ପରେ ଭୋଟିଂ ମେସିନ ଗୁଡିକୁ ରିଜର୍ଭ ରଖାଯାଇଥିବା ଅତିରିକ୍ତ ମେସିନ ସହିତ ବଦଳାହେବା ଖବର ଏକ ବିଦେଶୀ ମହିଳା ପଢୁଥିବାର ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲିବା ପରେ ଏହି ଖବରକୁ ଟ୍ଵିଟର ଓ ଫେସବୁକ ତରଫରୁ ବ୍ୟାନ କରାଯାଇଥିଲା । ପରେ କିଛି ବ୍ୟକ୍ତି ଏହାର ସ୍କ୍ରିନ ସଟ ନେଇ ଫେସବୁକରେ ଛାଡିଥିଲେ ।

 

ଫେସ୍‍ବୁକରେ ଇଭିଏମକୁ ନେଇ ଅପପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି ବୋଲି ପୁଲିସ୍‍ ପକ୍ଷରୁ କୁହାଯାଇଛି। ଏଭଳି ଅପପ୍ରଚାର ବନ୍ଦ କରିବା ପାଇଁ ପୁଲିସ୍ ପକ୍ଷରୁ ଅନୁରୋଧ କରାଯାଇଛି ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon