ରାଜ୍ୟରେ ଦିନବେଳା ନିଆଁ ବର୍ଷା ମୌସୁମୀ ଯାଏଁ ଜାରି ରହିବ

(ବେତାର ବ୍ୟୁରୋ)  ଗତ କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଗୁଳୁଗୁଳି ଯୋଗୁ ଘର ଭିତରେ ବି ରହି ହେଉନି। ବିଶେଷକରି ଦିନ ବେଳା ଲୋକେ ତାତିରେ ଛଟପଟ ହେଉଛନ୍ତି। ତେବେ ପାଣିପାଗ ବିଭାଗ ଓ ବିଭିନ୍ନ ସଂସ୍ଥାମାନଙ୍କ ତଥ୍ୟ ଅନୁସାରେ ଓଡିଶାରେ ଏହିପରି ଗରମ ମୌସୁମୀ ଆସିବା ଯାଏଁ ଲାଗି ରହିବ ।

 

ଓଡିଶାରେ ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଆସି ପହଞ୍ଚିବାର ସମ୍ଭାବନା ରହିଛି ।

 

ଅବଶ୍ୟ ବୁଧବାର ଠାରୁ ଶୁକ୍ରବାର ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ହେଇ ପାଣିଚିଆ ଖରା ହେବାର ସମ୍ଭାବନା ଥିବା ବେଳେ , ଶନିବାର ଠାରୁ ଏହା ପୁଣି ବଢିବ । ଏପରିକି ଜୁନ ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ଅଧିକାଂଶ ଉପକୂଳ  ସ୍ଥାନରେ 40 ଡିଗ୍ରୀର ଉପରେ ତପମମତରା ରହିବା ବୋଲି ପାଣିପାଗ ସଂସ୍ଥା accuweather.com ଅନୁମାନ କରିଛି ।  

 

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ୯ ଜିଲା ପାଇଁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏସବୁ ଜିଲାରେ ଭୟଙ୍କର ତାତି ସହ ଝାଞ୍ଜିମାଡ଼ ହେବ ।

 

ଡରାଉଛି କାଳବୈଶାଖୀ
ସେପଟେ ରାତିରେ କାଳବୈଶାଖୀ ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ହେଉଥିବାରୁ ଏହି ସମୟରେ ଲୋକେ ଭୟ ଓ ଆଶଙ୍କାରେ ବାହାରକୁ ଯାଉଛନ୍ତି। ମଙ୍ଗଳବାର ମଧ୍ୟ ରାଜ୍ୟର କିଛି କିଛି ଅଞ୍ଚଳରେ କାଳବୈଶାଖୀ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

 

ଏହି ସୂଚନା ଅନୁସାରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଗଞ୍ଜାମ ଆଦି ଜିଲାରେ କାଳବୈଶାଖୀ ହେବ। ଏହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି।

 

ସେହିପରି ଉପକୂଳ ଓଡ଼ିଶାର ବାକି ଜିଲା ସହ କନ୍ଧମାଳ, ଅନୁଗୋଳ, ସୁନ୍ଦରଗଡ଼, ଦେବଗଡ଼ ଓ ବୌଦ୍ଧ ଜିଲାରେ ବଜ୍ରପାତ ହେବ। ଅନ୍ୟପଟେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।

 

ସୋନପୁର ତତଲା କଡେଇ

ତେବେ ସୋମବାର ସୋନପୁର ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଏଠାରେ ତାପମାତ୍ରା ୪୪.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିଭଳି ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୫ ସହରର ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିଲା।

 

ସମ୍ବଲପୁର ୪୪.୭, ଟିଟିଲାଗଡ଼ ୪୪.୬, ତାଳଚେର ୪୪.୩, ଝାରସୁଗୁଡ଼ା ୪୪, ବଲାଙ୍ଗୀର ୪୩.୭, ହୀରାକୁଦ ୪୩.୬, ମାଲକାନଗିରି ୪୩.୨, ଭବାନୀପଟଣା ୪୩, ଅନୁଗୋଳ ୪୨.୭, ସୁନ୍ଦରଗଡ଼ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

 

ଅନ୍ୟପଟେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ଅସହ୍ୟ ସ୍ଥିତି ଲାଗି ରହିଛି। ଯଦିଓ ଏଠାରେ ତାପମାତ୍ରା ଅଧିକ ରହୁନି, ତଥାପି ପ୍ରବଳ ଝାଞ୍ଜି ପବନ ଏଠାରେ ଯାତାୟାତରେ ବ୍ୟାଘାତ ସୃଷ୍ଟି କରୁଛି। ସକାଳ ୯ଟା ହେଲେ ବାହାରକୁ ବାହାରିବାକୁ ଡର ଲାଗୁଛି। ଅପରାହ୍ନ ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି।

 

ସୋମବାର ଭୁବନେଶ୍ୱରରେ ତାପମାତ୍ରା ୩୮.୨ ରହିଥିବାବେଳେ କଟକରେ ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon