ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ : ରାଜ୍ୟରେ ବଢିଲା ଏତିକି ମେଡିକାଲ କଲେଜ ସିଟ

(ବେତାର ବ୍ୟୁରୋ) ଚଳିତ ଶିକ୍ଷା ବର୍ଷରୁ ରାଜ୍ୟରେ ମେଡିକାଲ ସିଟ୍ ବଢିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଆର୍ଥିିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍) ପାଇଁ ମେଡିକାଲ ପାଠ୍ୟକ୍ରମରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଆଣିବାକୁ ସରକାର ସ୍ଥିର କରିଛନ୍ତି । ଏଥିପାଇଁ ରାଜ୍ୟରେ ଏମବିବିଏସ୍ ସିଟ୍ ୧୫୦ ଏବଂ ପୋଷ୍ଟ ଗ୍ରାଜୁଏଟ(ଏମଡି/ଏମଏସ୍) ୧୪୮ଟି ସିଟ୍ ବଢିବାକୁ ମଞ୍ଜୁରୀ ଦେଇଛନ୍ତି । ତେବେ ମେଡିକାଲ କାଉନସିଲ ଅଫ ଇଣ୍ଡିଆ (ଏମସିଆଇ)ର ବୋର୍ଡ ଅଫ୍ ଗର୍ଭନର ପ୍ରକୃତ ସିଟ୍ ସଂଖ୍ୟା ସ୍ଥିର କରିବେ ।


ଭୀମସାରରେ ବଢିବ ୫୦ ସିଟ୍
ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ(ଭୀମସାର)ରେ ଏବେ ସିଟ୍ ସଂଖ୍ୟା ୧୫୦ ଥିବାବେଳେ ଆଉ ୫୦ ସିଟ ବଢାଇବାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ସେହିପରି କୋରାପୁଟ, ବାରିପଦା, ବାଲେଶ୍ୱର, ବଲାଙ୍ଗୀରରେ ଥିବା ମେଡିକାଲ କଲେଜରେ ୨୫ଟି ଲେଖାଏଁ ସିଟ୍ ଅଧିକ ରହିବ । 


ଏମବିବିଏସ୍ ସିଟ୍ ବୃଦ୍ଧିରୁ ବାଦ୍ ପଡିବ ଏସସିବି
ରାଜ୍ୟରେ ଥିବା ଅନ୍ୟ ଦୁଇ ପ୍ରମୁଖ ମେଡିକାଲ କଲେଜ କଟକ ସ୍ଥିତ ଏସସିବି ଏବଂ ବ୍ରହ୍ମପୁର ସ୍ଥିତ ଏମକେସିଜିରେ ସିଟ୍ ସଂଖ୍ୟା ବଢିବ ନାହିଁ ବୋଲି ସୂଚନା ରହିଛି । ଏ ପର୍ଯ୍ୟନ୍ତ କୌଣସି ମେଡିକାଲରେ ସର୍ବାଧିକ ୨୫୦ରୁ ସିଟ୍ ରହିବା ପାଇଁ  ଏମ୍ସିଆଇ ନିୟମରେ ରହିଛି । କଟକ ଓ ବ୍ରହ୍ମପୁର ସ୍ଥିତ ଏହି ଦୁଇଟି ମେଡିକାଲରେ ଏବେ ୨୫୦ ସିଟ୍ ଥିବାରୁ ଆଉ ସିଟ୍ ସଂଖ୍ୟା ବଢାଯାଇପାରିବନି ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ ସୂଚନା ରହିଛି ।


ପୋଷ୍ଟ ଗ୍ରାଜୁଏଟ ସିଟ୍ ବଢିବ ୧୪୮
ଏସସିବି, ଏମକେସିଜି ଓ ଭୀମସାରରେ ୧୪୮ଟି  ପୋଷ୍ଟ ଗ୍ରାଜୁଏଟ ସିଟ୍ ସଂଖ୍ୟା ବୃଦ୍ଧି କରାଯିବାକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଏମସିଆଇ ମଞ୍ଜୁର କଲେ ଓଡ଼ିଶାରେ ଏମବିବିଏସ୍ ସିଟ୍ ସଂଖ୍ୟା ୧୦୫୦ରୁ ୧୨୦୦ କୁ ବୃଦ୍ଧି ପାଇବ । ସେହିପରି ପିଜି ସିଟ୍ ସଂଖ୍ୟା ୬୧୬ରେ ପହଞ୍ଚିବ ।

 

ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏମ୍ସ ଭୁବନେଶ୍ୱରରେ ମେଡିକାଲ ସିଟ୍ ସଂଖ୍ୟା ୧୨୫ ବୃଦ୍ଧି କରାଯିବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon