ବରା ବିକାଳିଙ୍କ ପୁଅ ଓଜେଇଇ ଟପ୍ପର: ଏବେ ଆଡମିଶନ ଚିନ୍ତା

Thursday, June 20, 2019


(ବେତାର ବ୍ୟୁରୋ) ଇଚ୍ଛା, ଏକାଗ୍ରତା ଓ ପରିଶ୍ରମ ଦ୍ୱାରା ଜଣେ କିଛି ବି ହାସଲ କରିପାରେ ତାହା ପ୍ରମାଣ କରି ଦେଖାଇଛନ୍ତି ଓଡ଼ିଶାର କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପିପିଳିଆର ଭବାନୀ ଶଙ୍କର ବେହେରା । 

 

ଦିନରେ ବରା,ପିଆଜି ଆଦି ବିକିବା ପରେ ରାତିର ବଳକା ସମୟର ଉପଯୋଗ କରି ସେ ତାଙ୍କ ସ୍ୱପ୍ନ ଆଡକୁ ଆଉ ଦି ପାଦ ଆଗେଇ ଆସିଛନ୍ତି । ବୁଧବାର ପ୍ରକାଶିତ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷାରେ ଟପ୍ପର ହେବା ପରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ହେଲେ ଏବେ ଇଂଜିନିୟରିଙ୍ଗ ଆଡମିଶନ ପାଇଁ ଅର୍ଥାଭାବ ତାଙ୍କ ସ୍ୱପ୍ନର ରାସ୍ତାରେ ପ୍ରତିବନ୍ଧକ ଭାବେ ଉଭା ହୋଇଛି ।


ଛୋଟବେଳୁ ଥିଲା ସ୍ୱପ୍ନ 
ଛୋଟ ବେଳୁ ଇଞ୍ଜିନିୟର ହେବାକୁ ଇଚ୍ଛା ରଖିଥିଲେ ଭବାନୀ । ଘରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନ ଥିଲେ ବି ସେ ଚେଷ୍ଟା ଜାରି ରଖିଥିଲେ । ଗାଁ ପାଖ ତୋରାଣୀପୋଖରୀ ହାଇସ୍କୁଲରୁ ସେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ପିପିଳିଆସ୍ଥିତ ଲକ୍ଷ୍ମୀ ନାରାୟଣ କଲେଜରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଥିଲେ । ଯୁକ୍ତ ୨ ପରେ ଇଞ୍ଜିନିୟରିଂ ପଢିବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥାଭାବ ତାଙ୍କ ବାଟ ଓଗାଳିଥିଲା । ପରେ ସେହି କଲେଜରେ ସେ ଯୁକ୍ତ ୩ରେ ନାମ ଲେଖାଇଥିଲେ ।

 

ଆର୍ଥିକ ସ୍ଥିତି ସୁଧାରିବାକୁ ବରା ବିକୁଥିଲେ
ଘରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ବାପା ଗୁରୁଚରଣ ବେହେରା ଦେଇଥିବା ବରା ଦୋକାନରେ କାମ କରୁଥିଲେ ଭବନୀ । ଦିନତମାମ ବରା, ଭୁଗୁନି ପ୍ରସ୍ତୁତ କରିବାରେ ସେ ସମୟ ଦେଉଥିଲେ । ରାତିରେ ମିଳୁଥିବା ସମୟରେ ସେ ପାଠପଢା ଜାରି ରଖିଥିଲେ ।

 

ଟପ୍ପର ହେବି ବୋଲି ଭାବି ନ ଥିଲି
ଲାଟେରାଲ ଏଣ୍ଟ୍ରି ଟୁୁ ବିଏସସିରେ ଟପ୍ପର ହେବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଭବାନୀ । ‘ଭଲ ର‌୍ୟାଙ୍କ ରହିବ ବୋଲି ଭାବିଥିଲି, ହେଲେ ଟପ୍ପର ହେବି ବୋଲି ଆଶା କରି ନ ଥିଲିି । ବାପା ମା’ଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି । ଏଥିପାଇଁ ବହୁତ ଖୁସି’ ବୋଲି ସେ କୁହନ୍ତି ।

 

ଏବେ ଆଡମିଶନ ଚିନ୍ତା
ଡିପ୍ଲୋମା ପରି ବିଏସସି ପାସ ପ୍ରାର୍ଥୀମାନେ ଇଂଜିନିୟରିଂରେ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ପଢିପାରିବେ। ଭବାନୀ ଶଙ୍କର ବିଏସସି ଲାଟେରାଲ ଏଣ୍ଟ୍ରିରେ ଟପ୍ପର ହୋଇଥିଲେ ବି ଅର୍ଥାଭାବ ଯୋଗୁ ସେ ଏହି ପାଠ୍ୟକ୍ରମରେ ଆଡମିଶନକୁ ନେଇ ଚିନ୍ତାରେ ପଡିଛନ୍ତି । ଏଥିପାଇଁ ଆବଶ୍ୟକ ସହାୟତା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ପୁଅର ଏହି ସଫଳତାରେ ବେଶ ଖୁସି ଥିବା ତାଙ୍କ ପରିବାର ସରକାରଙ୍କୁ ସାହାଯ୍ୟ ପାଇଁ ନେହୁରା ହୋଇଛନ୍ତି ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon