ଏଠାରେ ବିବାହ ଭୋଜି ଦେଇ ନ ପାରିଲେ ଲିଭ୍-ଇନରେ ରହିବାକୁ ମିଳେ ଦଣ୍ଡ

(ବେତାର ବ୍ୟୁରୋ) ବାହାଘର ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅଝିଅ ଲିଭ୍-ଇନ୍ ରିଲେସନଶିପ୍ରେ ଏକାଠି ରହିବାର ଉପାୟ ଆପଣାଉଛନ୍ତି । ଆଧୁନିକତାର ପ୍ରଭାବରେ ଧୀରେଧୀରେ ଅଧିକ ମାତ୍ରାରେ ଏହାକୁ ଆଦୃତ କରୁଛନ୍ତି ଯୁବପିଢୀ । ଏହା ଆମ ପାଇଁ ଏବେ ନୂଆ ହୋଇଥିବାବେଳେ ଆମ ଦେଶରେ ଏପରି ସ୍ଥାନ ଅଛି ଯେଉଁଠି ଲୋକଙ୍କୁ ଲିଭ୍-ଇନରେ ରହିବାକୁ ଦଣ୍ଡ ମିଳେ । ବାହାଘରରେ ଗ୍ରାମବାସୀଙ୍କୁ ଭୋଜିରେ ଆପାୟିତ କରି ନ ପାରିଲେ ସେହି ଯୋଡିକୁ ବିବାହ କରିବାକୁ ଅନୁମତି ମିଳେନି । ଏଥିସହ ସେମାନଙ୍କୁ ଜୀବନ ସାରା ଲିଭ୍-ଇନ୍ ରେ ରହିବାକୁ ବାଧ୍ୟ କରାଯାଏ ।


ଝାଡଖଣ୍ଡ ରାଜ୍ୟର ଆଦିବାସୀ ବହୁଳ ଗ୍ରାମରେ କେଉଁ କାଳରୁ ଏପରି ଅଜବ ଦଣ୍ଡ ପ୍ରଥା ରହିଛି । ପ୍ରାୟ ୨ ଲକ୍ଷରୁ ଅଧିକ ସଂଖ୍ୟାରେ ଯୋଡି ଏପରି ରହୁଥିବା ଏକ ସଂସ୍ଥାର ଆକଳନରୁ ଜଣାପଡିଛି।


ମାଂସ-ଭାତ, ମଦ ଦେବା ସମାଜର ନିୟମ
ଏହି ରାଜ୍ୟର ଆଦିବାସୀ ସମାଜରେ ବାସ କରୁଥିବା କୌଣସି ପୁଅଝିଅ ବିବାହ କରିବାକୁ ଚାହୁଁଥିଲେ ସେମାନେ ଗ୍ରାମବାସୀଙ୍କୁ ମାଂସ-ଭାତ ସହ ମଦ ଭୋଜି ଦେବାକୁ ନିୟମ କରାଯାଇଛି । ଏଥିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥାଏ । ହେଲେ ଯେଉଁମାନେ ଭୋଜି ଦେବାକୁ ଅସମର୍ଥ ହୁଅନ୍ତି ସେମାନଙ୍କୁ ବିବାହ ପାଇଁ ସ୍ୱୀକୃତି ମିଳେନି । 


ଭୋଗିବାକୁ ପଡେ ଦଣ୍ଡ
ଯେଉଁମାନେ ବିନା ଭୋଜିରେ ବିବାହ କରିଥାନ୍ତି ସେମାନଙ୍କୁ ସମାଜ ଦଣ୍ଡ ସ୍ୱୂରୁପ ଲିଭ୍-ଇନ୍ ରିଲେସନଶିପରେ ରହିବା ପାଇଁ କହିଥାଏ । ଏହା ଶୁଣିବାକୁ ସହଜ ଲାଗୁଥିଲେ ହେଁ ବାସ୍ତବରେ ଦଣ୍ଡ ଭୋଗୁଥିବା ଲୋକଙ୍କୁ ବହୁ ଅସୁବିଧା ତଥା କଟକଣା ଭୋଗିବାକୁ ପଡେ, ଯାହା ବେଶ କଷ୍ଟଦାୟକ।


ସାମାଜିକ ଜୀବନ ବଞ୍ଚିବାକୁ ଅଧିକାର ମିଳେନି
ଏହି ଦଣ୍ଡ ଭୋଗୁଥିବା ବ୍ୟକ୍ତିକୁ ସାମାଜିକ ଜୀବନ ବଞ୍ଚିବାକୁ ଦିଆଯାଏନି । ଆଦିବାସୀ ସମାଜର କୌଣସି କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯାଏନି । ଏଥିସହ ମହିଳାମାନଙ୍କୁ ମଧ୍ୟ ଗାଁର କୌଣସି ଝିଅ ବା ମହିଳାଙ୍କ ସହ କଥାବାର୍ତ୍ତା କରିବା ମନା । ଏପରିକି ଲୋକେ ସେମାନଙ୍କୁ ସର୍ବଦା ଟାହିଟାପରା କରିଥାନ୍ତି ।

 

ପୈତୃକ ସମ୍ପତ୍ତି ଭୋଗିପାରେନି ପିଲା
ଦଣ୍ଡ ଭୋଗୁଥିବା ବାପା ମା’ଙ୍କଠାରୁ ଜନ୍ମ ନେଇଥିବା ସନ୍ତାନକୁ ନିଜ ପୈତୃକ ସମ୍ପତ୍ତିରୁ ବାଦ ଦିଆଯାଏ। ପିଲାମାନେ ସ୍କୁଲରେ ନାଁ ଲେଖାଇବା ବି କଷ୍ଟକର ହୋଇପଡେ । ଏପରିକି ମୃତ୍ୟୁ ପରେ ସେମାନଙ୍କ ସକ୍ରାର ପାଇଁ ଗାଁ ଶ୍ମଶାନରେ ମଧ୍ୟ ଜାଗା ଦିଆଯାଏନି। 

 

ମହିଳା ପିନ୍ଧିପାରିବେନି ସିନ୍ଦୂର
ଲିଭ୍-ଇନ୍ ରିଲେସନରେ ରହିବା ଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ସ୍ତ୍ରୀ ସିନ୍ଦୂର ପିନ୍ଧିପାରି ନ ଥାନ୍ତି । ଏପରିକି ଚୁଡି ପିନ୍ଧିବାରେ ମଧ୍ୟ କଟକଣା ଲଗାଯାଇଥାଏ । ଗାଁର ଅନ୍ୟ ମହିଳାଙ୍କ ସହ ସେମାନେ କଥା ନ ହେବାକୁ ନିର୍ଦ୍ଦେଶ ଦିଆଯାଇଥାଏ ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon