କାମରେ ମନ ନ ଲାଗିବା ପାଇଁ  ଫୋନ ନୁହେଁ, ଏହି କାରଣ ଦାୟୀ: ଗବେଷଣା

(ବେତାର ବ୍ୟୁରୋ) କାମରେ ଏକାଗ୍ରତା ରହୁନାହିଁ କି? କାର୍ଯ୍ୟବେଳେ ଆପଣ ଅନ୍ୟମନସ୍କ ରହି ଏଣୁତେଣୁ ଭାବୁଛନ୍ତି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏହା ମଣିଷ ମନର ଏପରି ଏକ ପରିସ୍ଥିତି ଯାହା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳେ । କିନ୍ତୁ ଅନେକେ ଏହା ପଛରେ ଥିବା କାରଣ ଜାଣିପାରି ନ ଥାନ୍ତି କିମ୍ବା ଜାଣିବାକୁ ଚେଷ୍ଟା କରି ନ ଥାନ୍ତି ।

 
ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛର କାରଣ ଏବଂ ଆମେ ଏଠାରୁ କିପରି ବର୍ତ୍ତି ପାରିବା ।


ଏକାଗ୍ରତା ଭଙ୍ଗ ପାଇଁ ଦାୟୀ ନୁହେଁ ଫୋନ
କୌଣସି କାମରେ ଏକାଗ୍ରତା ନ ରଖିପାରିଲେ ଆମେ ଅନେକ ସମୟରେ ଫୋନ କିମ୍ବା ଆମ ଚାରିପାଖର ପରିବେଶକୁ ଦୋଷ ଦେଇଥାଉ । କିନ୍ତୁ ପ୍ରକୃତରେ ଏଥିପାଇଁ ଫୋନ, ସୋସିଆଲ ମିଡିଆ କିମ୍ବା ପରିବେଶ ଦାୟୀ ନୁହେଁ ବୋଲି ଏକ ଗବେଷଣାରୁ ଜଣାପଡିଛି । 

 

କ’ଣ କୁହେ ଗବେଷଣା
ହାୱାର୍ଡ ୟୁନିଭର୍ସିଟି ପକ୍ଷରୁ ମନସ୍ତତ୍ତ୍ୱବିତଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ମୁତାବକ ଆମ ମନରେ ଏକାଧିକ କଥା ଚାଲୁଥିଲେ କାମରେ ଏକାଗ୍ରତା ରଖିବା କଷ୍ଟକର ହୋଇପଡେ । ଦୁଃଖରେ ଥିବା କିମ୍ବା ଜଣେ ଚାପଗ୍ରସ୍ତ ଥିଲେ ସମ୍ପୃକ୍ତ ବ୍ୟକ୍ତି ନିଜ ମନକୁ ସେହି ପରିସ୍ଥିତିରୁ ବାହାର କରିପାରି ନ ଥାଏ । ଫଳରେ କୌଣସି ଏକ କାର୍ଯ୍ୟରେ ସେ ମନ ଲଗାଇପାରି ନ ଥାଏ । 

 

ପ୍ରତିକୂଳ ପରିସ୍ଥିତି ମଧ୍ୟକୁ ଆମ ମନ ବାରମ୍ବାର ଟାଣି ହୋଇଥାଏ । ଆମ ମସ୍ତିଷ୍କ ଏଭଳି ସ୍ଥିତିକୁ ଉପଭୋଗ ମଧ୍ୟ କରିଥାଏ ବୋଲି ଗବେଷଣାରେ କୁହାଯାଇଛି । ଏପରିକି କିଛି ଜିନିଷ ଆମ ସହିତ ନ ଘଟିଥିଲେ ମଧ୍ୟ ଆମେ ତାହାକୁ କଳ୍ପନା କରି ତାହାର ସମାଧାନ ବାହାର କରିବାକୁ ପ୍ରୟାସ କରିଥାଉ । ଯାହାଦ୍ୱାରା ମସ୍ତିଷ୍କ ଭାରାକ୍ରାନ୍ତ ହୋଇ ଆମକୁ ଲକ୍ଷ୍ୟରୁ ବିଚ୍ୟୁତ କରିଥାଏ ।

 

ଦୁଃଖଦ ସମୟରେ ଏକାଗ୍ରତା ଆସି ନ ଥାଏ
ବିଶେଷ କରି ମଣିଷ ଦୁଃଖୀ ଥିବା ସମୟରେ କୌଣସି କାମ ପ୍ରତି ସେ ନିଷ୍ଠା ବା ଏକାଗ୍ରତା ଆଣିିପାରି ନ ଥାଏ ବୋଲି ଗବେଷଣାରୁ ଜଣାପଡିଛି । ଏହି ସମୟରେ ମସ୍ତିଷ୍କରେ ଅନେକଗୁଡିଏ କଥା (ମାଇଣ୍ଡ ୱାଣ୍ଡରିଂ) ଚାଲିଥାଏ । ଏହାକୁ ରୋକିବା କଷ୍ଟକର ହୋଇଥିଲେ ହେଁ ଏପରି ପରିସ୍ଥିତିରୁ ନିଜକୁ ବାହାର କରିବା ଆବଶ୍ୟକ ।

 

ଚାରିଆଡେ କ’ଣ ଘଟୁଛି ନଜର ଦିଅନ୍ତୁ
କାମରେ ଏକାଗ୍ରତା ବଢାଇବା ପାଇଁ ମାଇଣ୍ଡ ୱାଣ୍ଡରିଂ ସ୍ଥିତିରୁ ନିଜକୁ ମୁକୁଳାଇବାକୁ ଧ୍ୟାନ ଦିଅନ୍ତୁ । କେତେବେଳେ ଆପଣଙ୍କ ମନ ଭିତରେ ଅନେକଗୁଡିଏ କଥା ଚାଲୁଛି ତାହାକୁ ନୋଟିସ କରନ୍ତୁ । ସେଥିରୁ ଧ୍ୟାନ ହଟାଇବା ପାଇଁ ଚାରିଆଡେ ଘଟୁଥିବା ଘଟଣାକୁ ଦେଖନ୍ତୁ ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଆପଣ ଉକ୍ତ ମାନସିକ ସ୍ଥିତିରୁ ବାହାରିପାରିବେ । 

 

ପ୍ରିୟ ଗୀତ ଶୁଣନ୍ତୁ, ପସନ୍ଦର କାମ କରନ୍ତୁ
ପ୍ରିୟ ଗୀତ ଶୁଣିବା, ମନ ପସନ୍ଦର ଖାଦ୍ୟ ଖାଇବା ସହ କାମ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ମନ କୌଣସି ଏକ ନିର୍ଦ୍ଦିଷ୍ଟ କଥା ଭାବିବା ପରିବର୍ତ୍ତେ ଜିନିଷ ବା କାମ ଉପଭୋଗ କରିବା ସ୍ଥିତିକୁ ଆସିଯିବ । ଫଳରେ ସହଜରେ ଆପଣ ନିଜ କାମରେ ମନ ଲଗାଇପାରିବେ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon