ଭାରତ ବନାମ ବଙ୍ଗଳାଦେଶ: ଏମିତି ରହିବ ଭାରତୀୟ ଖେଳାଳୀ ତାଲିକା

(ବେତାର ବ୍ୟୁରୋ) ଚଳିତ ବିଶ୍ୱକପରେ ମଙ୍ଗଳବାର ଦୁଇ ଏସୀୟ ଦେଶ ଭାରତ ଓ ବାଂଲାଦେଶ ଇଂଲଣ୍ଡର ବର୍ମିଂହାମ ଏଜବାଷ୍ଟନ ଗ୍ରାଉଣ୍ଡରେ ପରସ୍ପରକୁ ଭେଟିବେ । ଭାରତ ଏହି ମ୍ୟାଚ ଜିତି ସେମି ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିଛି । ସେହିପରି ସେମି ଦୌଡରେ ଏଯାଏ ଜୀବିତ ଥିବା ବାଂଲାଦେଶ ମଧ୍ୟ ଭାରତ ହାତରୁ ମ୍ୟାଚ ଛଡାଇ ନେବାକୁ ଲଢେଇ କରିବ । ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ ବେଶ୍ ଗୁରୂତ୍ୱବହନ କରୁଥିବାରୁ ଖେଳ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଏହି ମ୍ୟାଚରେ ଭାରତ ଦଳରେ କିଛି ପରିବର୍ତ୍ତନ କରାଯିବାର ବେଶ ସମ୍ଭାବନା ରହିଛି । 

 

ସାମିଲ ହୋଇପାରନ୍ତି ମୟଙ୍କ ଅଗ୍ରୱାଲ
ଆଘାତଜନିତ ସମସ୍ୟା ପରେ ବିଶ୍ୱକପରୁ ଶିଖର ଧୱନ ବାଦ ପଡିବା ପରେ ଏବେ ଦଳ ଓପନିଂ ଯୋଡି ମଜଭୁତ କରିବା ଚିନ୍ତାରେ ଅଛି । ଧୱନଙ୍କ ସ୍ଥାନରେ କେ ଏଲ ରାହୁଲ ଖେଳିଥିଲେ ମଧ୍ୟ ସେତେଟା ସଫଳ ହୋଇପାରିନାହାନ୍ତି । ତେଣୁ ଏବେ ଓପନିଂ ପାଇଁ କର୍ଣ୍ଣାଟକ ଖେଳାଳି ମୟଙ୍କ ଅଗ୍ରୱାଲଙ୍କୁ ଡକାଯାଇଛି । ୨୮ ବର୍ଷୀୟ ମୟଙ୍କ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ । ଯଦି ମୟଙ୍କ ଓପନିଂ ଯୋଡିରେ ଖେଳନ୍ତି ତେବେ ରାହୁଲଙ୍କୁ ୪ ନମ୍ବରରେ ରଖାଯାଇପାରେ । 

 

ଜାଡେଜାଙ୍କୁ ମିଳିପାରେ ସୁଯୋଗ
ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ୨୦ ଓଭରରେ ୧୬୦ ରନ୍ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଏଜବାଷ୍ଟନର ଛୋଟ ପଡିଆରେ ଇଂଲଣ୍ଡ ପରେ ବାଂଲାଦେଶକୁ ଭାରତ ଭେଟୁଥିବାରୁ ଚହଲ କିମ୍ବା କୁଲଦୀପଙ୍କୁ ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ । ସେହିପରି ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା କେଦାର ଯାଦବଙ୍କୁ ମଧ୍ୟ ଦଳ ଚୂଡାନ୍ତ ଏକାଦଶରୁ କାଢିପାରେ । ଏହା ବଦଳରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ସ୍ଥାନ ମିଳିପାରେ । 

 

ପନ୍ତ ସୁରକ୍ଷିତ, ଶଙ୍କର ଆଉଟ
ପୂର୍ବରୁ ଚର୍ଚ୍ଚିତ ୪ ନମ୍ବରରେ ସ୍ଥାନ ପାଇଥିବା ବିଜୟ ଶଙ୍କର ମଧ୍ୟ ଆଖିଦୃଶିଆ ଭାବେ ଖେଳିପାରିନାହାନ୍ତି । ଏଥିସହ ଏବେ ସେ ଆଘାତଜନିତ ସମସ୍ୟାରେ ରହିଥିବାବେଳେ ତାଙ୍କୁ ଦଳରୁ ବାଦ ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଋଷଭ  ପନ୍ତ ଭଲ ଖେଳି ଥିବାରୁ ତାଙ୍କ ସ୍ଥାନ ଏକ ପ୍ରକାର ନିଶ୍ଚିତ ରହିଛି ।

 

ଫେରିପାରନ୍ତି ଭୁବନେଶ୍ୱର
ଆହତ ସମସ୍ୟାରୁ ମୁକୁଳିସାରିଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଦଳକୁ ଫେରିପାରନ୍ତି । ଯଦି ଭୁବନେଶ୍ୱରଙ୍କୁ ଏହି ମ୍ୟାଚରେ ସାମିଲ କରାଯାଏ ତେବେ ଭାରତ ପ୍ରଥମ ଥର ପାଇଁ ଚଳିତ ବିଶ୍ୱକପରେ ୩ ଜଣ ଦ୍ରୁତ ବୋଲରଙ୍କୁ ଖେଳାଇବ ।

 

ସମ୍ଭାବ୍ୟ ଖେଳାଳି ତାଲିକା
ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ଋଷଭ ପନ୍ତ, କେଦାର ଯାଦବ/ରବୀନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି (ୱିକେଟ କିପର) ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, ମହମ୍ମଦ ସାମି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ/ଭୁବନେଶ୍ୱର କୁମାର ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon