ନର୍ସଙ୍କ ଟିକଟକ ଭିଡିଓ : ଏଣିକି ମେଡିକାଲରେ ଉଭୟ ନର୍ସ, ଡାକ୍ତରଙ୍କୁ ମୋବାଇଲ  ମନା

Wednesday, July 3, 2019

(ବେତାର ବ୍ୟୁରୋ) ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ (ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ)ରେ କାର୍ଯ୍ୟରତ ନର୍ସ ଟିକଟକରେ ମାତିବା ଘଟଣା ପରେ ମେଡିକାଲ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏପରି ଭବିଷ୍ୟତରେ ଆଉ ଯେପରି ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇ ମେଡିକାଲ କର୍ତ୍ତୃପକ୍ଷ ଡାକ୍ତରଖାନାର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମୋବାଇଲ ଫୋନ ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

 

୪ ବିଭାଗକୁ କର୍ମଚାରୀ ନେଇପାରିବେନି ଫୋନ
ଆଇସିୟୁ, ଅପରେଶନ ଥିଏଟର, ଲେବର ରୁମ୍, ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଫୋନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଥିବା ସିଡିଏମଓ ସୂଚନା ଦେଇଛନ୍ତି । ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ଡାକ୍ତର ମଧ୍ୟ ଏହି ବିଭାଗରେ ଡ୍ୟୁଟି ସମୟରେ ଆଦୌ ଫୋନ ବ୍ୟବହାର କରିପାରିବେନି ବୋଲି ସେ ପ୍ରକାଶ କରିଛନ୍ତି । 

 

ଜରୁରୀ ସ୍ଥିତିରେ ମେଡିକାଲ କରିବ ଫୋନ ବ୍ୟବସ୍ଥା
ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ତଥା ମେଡିକାଲ କର୍ମଚାରୀ ଫୋନ ବ୍ୟବହାର କରିପାରିବେନି ବୋଲି ନିର୍ଦ୍ଦେଶ ଦିଆଯିବା ପରେ ସେମାନେ ଯେପରି ଆବଶ୍ୟକ ସମୟରେ ହଇରାଣ ନ ହେବେ ସେଥିପାଇଁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ଡାକ୍ତରଖାନାର ଏହି ବିଭାଗଗୁଡିକରେ ଏକ ମୋବାଇଲ ଫୋନ ରଖାଯିବ ବୋଲି ସ୍ଥିର ହୋଇଛି । ଜରୁରୀ ସମୟରେ ଡାକ୍ତର କର୍ମଚାରୀ ମେଡିକାଲର ଏହି ଫୋନକୁ ବ୍ୟବହାର କରିପାରିବେ । 

 

ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଏହି ନିର୍ଦ୍ଦେଶନାମାକୁ ନ ମାନିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ନିୟମ ଅନୁଯାୟୀ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରକାଶ କରିଛନ୍ତି ।

 

 

ସୂଚନାଯୋଗ୍ୟ, ଜିଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ କାର୍ଯ୍ୟରତ ୪ ଜଣ ନର୍ସ ଗତ ଜୁନ ୨୬ରେ ଫିଲ୍ମ ଗୀତରେ କରିଥିବା ଟିକଟିକ ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ସମ୍ପୃକ୍ତ ୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon