ପଞ୍ଚାୟତ ସ୍ତରରେ ଲାଞ୍ଚ କାରବାର: ଢେଙ୍କାନାଳ ପ୍ରଥମ, ବାଲେଶ୍ୱର ଦ୍ୱିତୀୟ

Wednesday, July 24, 2019

(ବେତାର ବ୍ୟୁରୋ) ରାଜ୍ୟରେ ବିଭିନ୍ନ ବିଭାଗରେ ଦୁର୍ନୀତି ସହ ଲାଞ୍ଚ ତଥା ପିସି କାରବାର ବଢି ଚାଲିଛି । ବିଶେଷ କରି ପଞ୍ଚାୟତ ସ୍ତରରେ ଲାଞ୍ଚ କାରବାର ବୃଦ୍ଧି ପାଇଛି । ପଞ୍ଚାୟତିରାଜ ବିଭାଗର ଅଧିକାରୀ, କର୍ମଚାରୀ ତଥା ଲୋକ ପ୍ରତିନିଧିମାନେ ଲାଞ୍ଚ ନେଇ ବିଭିନ୍ନ ସମୟରେ ଧରାପଡୁଛନ୍ତି । ଗତ ୭ ବର୍ଷରେ ୨୭ ଜଣ ଅଧିକାରୀ ଲାଞ୍ଚ କାରବାରବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାପଡିଥିବା ବିଧାନସଭା ପ୍ରଶ୍ନୋତ୍ତରରେ ଜଣାପଡିଛି । 

 

ଢେଙ୍କାନାଳରେ ସର୍ବାଧିକ ଲାଞ୍ଚ କାରବାର
ବିଧାନସଭାରେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଏ ନେଇ ପ୍ରଶ୍ନ ଉଠାଇଥିଲେ । ସରକାରୀ କର୍ମଚାରୀମାନେ ଲୋକଙ୍କ କାମ କରାଇଦେବା ଆଳରେ ସେମାନଙ୍କଠାରୁ ଲାଞ୍ଚ ନେଉଛନ୍ତି । ସେଥିମଧ୍ୟରେ ଢେଙ୍କାନାଳ ଜିଲାରେ ସର୍ବାଧିକ ଲାଞ୍ଚୁଆ ଅଧିକାରୀ ଥିବା ସେ ତାଙ୍କ ତଥ୍ୟରେ ଦର୍ଶାଇଥିଲେ । 

 

୨୦୧୨ରୁ ଅଦ୍ୟାବଧି ୨୭ ଜଣ ପିସି କାରବାରରେ ଧରାପଡିଥବାବେଳେ ସେମାନଙ୍କ ମଧ୍ୟରେ କେବଳ ଢେଙ୍କାନାଳରୁ ୯ ଜଣ ଅଧିକାରୀ ରହିଛନ୍ତି ବୋଲି ବାହିନୀପତି ଦର୍ଶାଇଥିଲେ । ତେବେ ଗିରଫ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । 

 

ଦ୍ୱିତୀୟରେ ବାଲେଶ୍ୱର
ଢେଙ୍କାନାଳ ପଛକୁ ଲାଞ୍ଚ କାରବାରରେ ବାଲେଶ୍ୱର ଜିଲା ଦ୍ୱିତୀୟରେ ରହିଛି । ୪ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜଣେ ମୁଖ୍ୟ କିରାଣି, ଜଣେ ସିଇଓ ଲାଞ୍ଚ ନେଉଥିବା ସମୟରେ ଦୁର୍ନୀତି ବିଭାଗ ଦ୍ୱାରା ଧରା ପଡିଥିବା ଜଣାପଡିଛି । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ସୂଚନା ଦିଆଯାଇଛି ।

 

ସୁନ୍ଦରଗଡ, ପୁରୀରେ ମାମଲା
ସୁନ୍ଦରଗଡରେ ୨ ଜଣ ସରକାରୀ କର୍ମଚାରୀ ଓ ଜଣେ ଲୋକ ପ୍ରତିିନିଧି ଲାଞ୍ଚ ନେଇ ଧରାପଡିଛନ୍ତି । ଗଜପତି ଜିଲାରେ ଜିଟିପିଏ ଲାଞ୍ଚ କାରବାରରେ ଧରାପଡିବା ପରେ ଜଣଙ୍କୁ କାର୍ଯ୍ୟରୁ ବହିସ୍କୃତ କରାଯାଇଛି । ପୁରୀ ଜିଲାର ଜଣେ କର୍ମଚାରୀ ଓ ୨ ଜଣ ଲୋକ ପ୍ରତିନିଧି ଓ ଜଣେ କର୍ମଚାରୀ ଲାଞ୍ଚ ନେଇ ଧରାପଡିଛନ୍ତି । ସେମାନଙ୍କ ବିରୋଧରେ ୮ଟି ମାମଲା ରୁଜୁ କରାଯାଇଛି । ସେହିପରି ଦେବଗଡ ଜିଲାରେ ୨, ଅନୁଗୋଳର ଜଣେ ଓ ନବରଙ୍ଗପୁର ଜଣେ କର୍ମଚାରୀ ଏହି ମାମଲାରେ ଧରା ପଡିଛନ୍ତି । 
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon