ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ଚାପରେ ଧାୱନ

Wednesday, August 14, 2019

(ବେତାର ବ୍ୟୁରୋ) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ଖେଳାଯିବ । ଭାରତ ୧-୦ରେ ସିରିଜ ଅଗ୍ରଣୀ ଥିବାବେଳେ ଏହି ମ୍ୟାଚ ଜିତି ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛି । ୱେଷ୍ଟଇଣ୍ଡିଜ ଏହି ମ୍ୟାଚ ଜିତି ସିରିଜ ଟାଇ ରଖିବା ସହ ସମ୍ମାନ ରକ୍ଷା ଲକ୍ଷ୍ୟରେ ରହିଛି । 

 

ଅନ୍ୟପକ୍ଷରେ ଭାରତ ଭଲ ପ୍ରଦର୍ଶନ କରି ସିରିଜ ଅଗ୍ରଣୀ ଥିଲେ ମଧ୍ୟ ଓପନର ଶିଖର ଧାୱନ ଏହି ମ୍ୟାଚରେ ଭଲ ସ୍କୋର କରିବାକୁ ଚାପରେ ରହିଛନ୍ତି । ଉଭୟ ଟି-୨୦ ଓ ଦିନିକିଆରେ ଧାୱନଙ୍କ ପ୍ରଦର୍ଶନକୁ ନେଇ ଟିମ୍ ଚିନ୍ତାରେ ପଡିଛି । ତେଣୁ ଏହି ମ୍ୟାଚରେ ସମସ୍ତଙ୍କ ଦୃଷ୍ଟି ଧାୱନଙ୍କ ଉପରେ ରହିବ ।

 

୪ ମ୍ୟାଚରେ ୨୯ ରନ୍
ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟି-୨୦ ସିରିଜରେ ୩ଟି ମ୍ୟାଚ ଖେଳିଥିଲା । ଏଥିରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧୱନ ଦୁଇଟି ମ୍ୟାଚରେ ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନ ଥିଲେ । ସେ ଯଥାକ୍ରମେ ୧, ୨୩ ଓ ୩ ରନ୍ କରିବାରେ ସମର୍ଥ

 

ହୋଇଥିଲେ । ସେହିପରି ଦିନିକିଆର ସିରିଜର ପଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିବାବେଳେ ଦ୍ୱିତୀୟ ଦିନିକିଆରେ ଧାୱନ ମାତ୍ର ୨ ରନ୍ କରି ଆଉଟ ହୋଇଥିଲେ ।  

 

କଟ୍ରେଲଙ୍କ ବଲରେ ଦୁଇ ଥର ଶିକାର
ଧାୱନ ୱେଷ୍ଟଇଣ୍ଡିଜ ବୋଲର ସେଲଡନ କଟ୍ରେଲଙ୍କ ବଲକୁ ବୁଝିବାରେ ଅସମର୍ଥ ହୋଇଛନ୍ତି । କଟ୍ରେଲଙ୍କ ବଲରେ ସେ ଦୁଇଥର ନିଜର ୱିକେଟ ହରାଇଛନ୍ତି । ଧାୱନଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇ ନ ଥିବାରୁ ବୁଧବାର ମ୍ୟାଚରେ ଭଲ ପ୍ରଦର୍ଶନ କରି ଅଭିଯାନ ଶେଷ କରିବା ତାଙ୍କର ଲକ୍ଷ୍ୟ ରହିବ ।

 

ଶ୍ରେୟସଙ୍କ ଉପରେ ନଜର
ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଓ ଶ୍ରେୟସ ଆୟର ଅର୍ଦ୍ଧଶତକ କରି ଦଳକୁ ଏକ ବଡ ସ୍କୋର ଦେଇଥିଲେ । ତେଣୁ ସିିରିଜର ଶେଷ ମ୍ୟାଚରେ ମଧ୍ୟ ଦଳ ଶ୍ରେୟସଙ୍କଠାରୁ ଏକ ଭଲ ପାଳି ଆଶା ରଖିଛି । ଅନ୍ୟପକ୍ଷରେ ଆଖିଦୃଶିଆ ପ୍ରଦର୍ଶନରେ ଋଷଭ ପନ୍ତ ସଫଳ ହୋଇପାରିନାହାନ୍ତି । ତେଣୁ ୪ ନମ୍ବର ବ୍ୟାଟିଂରେ ପନ୍ତଙ୍କ ବଦଳରେ ଆୟରଙ୍କୁ ପଠାଯିବା ଉଚିତ ବୋଲି ପୂର୍ବତନ ଖେଳାଳିମାନେ ପରାମର୍ଶ ଦେଇଛନ୍ତି ।

 

ବିଶ୍ରାମ ନେଇପାରନ୍ତି ସାମି
ଭାରତୀୟ ବୋଲିଂ ବିଭାଗରେ ଭୁବନେଶ୍ୱର କୁମାର, ମହମ୍ମଦ ସାମି, ଖଲିଲ ଅହମ୍ମଦ ସେମାନଙ୍କ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । କୁଲଦୀପ ଯାଦବ ବ୍ୟୟବହୁଳ ହୋଇଥିଲେ ହେଁ ୱିକେଟ କାଢିପାରିଛନ୍ତି । ତେଣୁ ଦଳରେ କୌଣସି ପରିବର୍ତ୍ତନ କରିବାକୁ କୋହଲି ଚାହୁଁ ନ ଥିଲେ ହେଁ ଶେଷ ମ୍ୟାଚରେ ସାମିଙ୍କୁ ବିଶ୍ରାମ ଦିଆଯାଇ ନଭଦୀପ ସାଇନିଙ୍କୁ ଖେଳାଯାଇପାରେ ବୋଲି ସୂଚନା ମିଳିଛି।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon