
(ବେତାର ବ୍ୟୁରୋ) ବାସ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ମଣିଷ ଉପରେ ଅନେକ ପ୍ରଭାବ ରହିଥାଏ । ସେଥିପାଇଁ ସକାଳୁ ଉଠିବା ପରେ ପ୍ରଥମେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଜନ କରିବାକୁ ବିଧି ରହିଛି । ଏଥିସହ ଘରେ ଯେପରି ଭଲ ଭାବେ ସୂର୍ଯ୍ୟଙ୍କ କିରଣ ପଡିବ ସେହିପରି ଢଙ୍ଗରେ ଘର ନିର୍ମାଣ କରାଯିବାକୁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି ।
ଜାଣନ୍ତୁ ସୂର୍ଯ୍ୟକିରଣ କିପରି ପ୍ରଭାବିତ କରିଥାଏ ଆମ ଜୀବନକୁ ।
ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହୁଏ
ବାସ୍ତୁ ଅନୁସାରେ ସୂର୍ଯ୍ୟକିରଣ ଆମ ଘର ପାଇଁ ବହୁତ ଉପଯୋଗୀ । ଘରେ ସକାଳର ସୂର୍ଯ୍ୟକିରଣ ମନରେ ସକାରାତ୍ମକ ଶକ୍ତି ଉତ୍ପନ କରିଥାଏ । ଏହା ଦ୍ୱାରା ନୂଆ କିଛି କରିବାକୁ ମନରେ ଆଗ୍ରହ ସୃଷ୍ଟି ହୋଇଥାଏ ।
ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ
ଘରକୁ ସୂର୍ଯ୍ୟକିରଣ ପ୍ରବେଶ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଭଲ ପ୍ରଭାବ ପଡିଥାଏ । ଉଭୟ ମନ ଓ ଶରୀର ସୁସ୍ଥ ରହିବାରେ ସୂର୍ଯ୍ୟକିରଣ ବେଶ ଉପଯୋଗୀ ହୋଇଥାଏ । କୁହାଯାଏ ଯେଉଁ ଘରେ ସୂର୍ଯ୍ୟ କିରଣ ପ୍ରବେଶ କରିପାରି ନ ଥାଏ ସେଠାରେ ବାସ କରୁଥିବା ଲୋକେ ଶୀଘ୍ର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ଥାଏ । ସୂର୍ଯ୍ୟକିରଣ ପ୍ରଭାବରେ ପୋକଜୋକ ମଧ୍ୟ ଘରେ ପଶିବାର ସମ୍ଭାବନା କମ୍ ଥାଏ ।
ବାସ୍ତୁଦୋଷ ଦୂର ହୁଏ
ଘରେ ସୂର୍ଯ୍ୟକିରଣ ପ୍ରବେଶରେ ବାସ୍ତୁଦୋଷ ମଧ୍ୟ କଟିଥାଏ ବୋଲି କୁହାଯାଇଛି । ଘରର ସବୁ କୋଣରେ ସୂର୍ଯ୍ୟକିରଣ ପଡିବା ଲାଭଦାୟକ ହୋଇଥାଏ । ବାସ୍ତୁଦୋଷ ଦୂର ହେବା ଫଳରେ ଜୀବନରେ ସୁଖ ସମୃଦ୍ଧିର ବାଟ ଫିଟିଥାଏ । ଏହାଦ୍ୱାରା ଗ୍ରହଦୋଷ ମଧ୍ୟ କଟିଥାଏ । ଘରର ରୋଷେଇ ଏବଂ ବାଥରୁମରେ ଯେପରି ସୂର୍ଯ୍ୟକିରଣ ପଡେ ସେ ଦିଗରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।
କ୍ଷତିକାରକ ହୋଇପାରେ କୃତ୍ରିମ ଲାଇଟ୍
ଘରେ ସୂର୍ଯ୍ୟାଲୋକ ପ୍ରବେଶ ନ କରିପାରୁଥିଲେ ଆମେ କୃତ୍ରିମ ଳାଇଟର ବ୍ୟବସ୍ଥା କରିଥାଉ । ହେଲେ ଏହାର ଖରାପ ପ୍ରଭାବ ଆମ ଉପରେ ପଡିଥାଏ । ମନରେ ବେଳେବେଳ ଖରାପ ଚିନ୍ତାଧାରା ସୃଷ୍ଟି କରିବାରେ ଏହି କୃତ୍ରିମ ଳାଇଟର ଭୂମିକା ମଧ୍ୟ ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି ।