ଏହି କାରଣ ପାଇଁ ସୁନାଚେନ ଚୋରକୁ କଦଳୀ ଖୁଆଇଲା ପୋଲିସ

Saturday, August 24, 2019

(ବେତାର ବ୍ୟୁରୋ) ଜଣେ ସୁନା ଚେନ ଲୁଟେରାଠାରୁ ଚେନ ଆଦାୟ କରିବା ପାଇଁ ରାଜସ୍ଥାନ ପୋଲିସ ଆପଣାଇଛି ଅଭିନବ ଉପାୟ । ଜଣେ ମହିଳାଙ୍କଠାରୁ ଚେନ ଛିଣ୍ଡାଇ ନେଇ ଧରା ପଡିଥିବା ଜଣେ ଲୁଟେରାକୁ ପୋଲିସ ଡଜନେ କଦଳୀ ଓ ଅମୃତଭଣ୍ଡା ଖୁଆଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । 

 

ଏହିପରି ଥିଲା ପୂରା ଘଟଣାବଳୀ

ଅଗଷ୍ଟ ୨୦ ତାରିଖରେ ରାଜସ୍ଥାନର ବିକାନୀର ସ୍ଥିତ ଗଙ୍ଗାସହରଠାରେ ଜଣେ ମହିଳା ଜିନିଷ କିଣାକିଣି କରୁଥିବାବେଳେ ୨ ଟି ବାଇକ୍ରେ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ବେକରୁ ଚେନ୍ ଛିଣ୍ଡାଇ ନେଇଥିଲେ । ଚେନ ଲୁଟିବାର କିଛି ଘଣ୍ଟା ମଧ୍ୟରେ ପୋଲିସ ଦୁଇ ଜଣ ଚୋରଙ୍କୁ ଧରିଥିଲା । 

 

ପୋଲିସକୁ ଦେଖି ଚେନ୍ ଗିଳିଦେଲା
ସିସିଟିଭି କ୍ୟାମେରାରୁ ଦେଖି ପୋଲିସ ୨ ଲୁଟେରାଙ୍କୁ ଧରିବା ପରେ ଉଭୟଙ୍କ ମଧ୍ୟରୁ ଜଣେ ଚେନଟିକୁ ଗିଳି ଦେଇଥିଲା । ଲୁଟେରା ପେଟରୁ ଚେନ ବାହାର କରିବା ପାଇଁ ପୋଲିସ ସଙ୍ଗେ ସଙ୍ଗେ ତାକୁ ଡାକ୍ତରଖାନାକୁ ନେଇଥିଲା । ସେଠାରେ ସମ୍ପୃକ୍ତ ଲୁଟେରାର ଏକ୍ସ-ରେ କରାଯାଇଥିଲା । ଏକ୍ସ-ରେ ରିପୋର୍ଟରେ ପେଟରେ ଚେନ ଥିବା ଜଣାପଡିଥିଲା । 

 

ପୋଟାସିୟମ ଯୁକ୍ତ ଖାଦ୍ୟ ଖୁଆଇବାକୁ ପରାମର୍ଶ
ଲୁଟେରାର ପେଟରେ ଚେନ ଥିବା ଜଣାପଡିବା ପରେ ପୋଲିସ ଅପରେଶନ ପାଇଁ ପ୍ରସ୍ତୁତି କରିଥିଲା । ହେଲେ ଡାକ୍ତର ଏଣ୍ଡୋସ୍କୋପିକ ଅପରେଶନ କରାଇବାକୁ ନ କହି ପୋଟାସିୟମ ଓ କ୍ୟାଲସିୟମରେ ଭରପୁର ଖାଦ୍ୟ ଖୁଆଇବାକୁ  ପୋଲିସକୁ ପରାମର୍ଶ ଦେଇଥିଲେ ।


କଦଳୀ, ଅମୃତଭଣ୍ଡା ଖୁଆଇଲା ପୋଲିସ

ଡାକ୍ତରଙ୍କ ପରାମର୍ଶ କ୍ରମେ ପୋଲିସ ସମ୍ପୃକ୍ତ ଲୁଟେରାକୁ ଡଜନେ କଦଳୀ ଓ ଅମୃତଭଣ୍ଡା ଆଣି ଖୁଆଇଥିଲା । ଦୁଇ ଦିନ ପରେ ୨୨ ତାରିଖ ସକାଳେ ଲୁଟେରା ଶୌଚ ହେବାରେ ଗିଳିଥିବା ଚେନ ବାହାରକୁ ଆସିଥିଲା । 


ମୁମ୍ବାଇ ପୋଲିସ ଖୁଆଇଥିଲା ୯୬ କଦଳୀ
ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିଲା । ଲୁଟେରା ଜଣେ ମହିଳାଙ୍କ ମଙ୍ଗଳସୂତ୍ର ଛିଣ୍ଡାଇନେଇ ଗିଳି ଦେଇଥିଲା । ପୋଲିସ ଦୁଇ ଦିନ ଧରି ସମ୍ପୃକ୍ତ ଲୁଟେରାକୁ ୯୬ଟି କଦଳୀ ଖୁଆଇବା ପରେ ମଙ୍ଗଳସୂତ୍ର ବାହାରିଥିଲା ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon