ୱେଷ୍ଟଇଣ୍ଡିଜରେ ବୁମରାଙ୍କ ବୋଲିଂର ଯାଦୁ; ଏମିତି କହିଲେ ପ୍ରତିପକ୍ଷ କ୍ୟାପଟେନ

Monday, August 26, 2019

(ବେତାର ବ୍ୟୁରୋ) ୱେଷ୍ଟଇଣ୍ଡିଜର ଆଣ୍ଟିଗୁଆଠାରେ ଅନୁଷ୍ଠିତ ଆଇସିସି ଟେଷ୍ଟ ଚାମ୍ପିୟନଶିପ୍ ରେ ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚକୁ ୩୧୮ ରନର ବଡ ବ୍ୟବଧାନରେ ଜିତିନେଇଛି ଭାରତ ।  ଘରୋଇ ଦଳ ସମ୍ମୁଖରେ ଭାରତୀୟ ବ୍ୟାଟ୍ସମ୍ୟାନ ୪୧୯ ରନର ଲକ୍ଷ୍ୟ ଦେଇଥିବାବେଳେ ବୁମରା ଘାତକ ବୋଲିଂ କରି ୱେଷ୍ଟଇଣ୍ଡିଜକୁ ଲକ୍ଷ୍ୟ ହାସଲ କରିବାକୁ ଆଗକୁ ବଢିବାରେ ରୋକ ଲଗାଇଦେଇଥିଲେ । ଏହାକୁ ନେଇ ଭାରତୀୟ କ୍ୟାପଟେନଙ୍କ ସମେତ ବିପକ୍ଷ ଦଳର କ୍ୟାପଟେନ ମଧ୍ୟ ବୁମରାଙ୍କ ପ୍ରଂଶସାରେ ଶତମୁଖ ।

 

୭ ରନ୍ , ୫ ୱିକେଟ

ମ୍ୟାଚରେ ଦ୍ୱିତୀୟ ପାଳି ଆରମ୍ଭରୁ ହିଁ ବୁମରା ଆକ୍ରମଣାତ୍ମକ ବୋଲିଂ କରିଥିଲେ । ବିପକ୍ଷ ଦଳର ପ୍ରାରମ୍ଭିକ ଯୋଡି କ୍ରେଗ ବ୍ରାଥୱେଟ, ଜନ୍ କ୍ୟାମ୍ପବେଲଙ୍କ ସମେତ ଡାରେନ ବ୍ରାଭୋ, ସାଏ ହୋପ, ଜାସନ ହୋଲ୍ଡରଙ୍କୁ ପ୍ୟାଭିଲିୟନ ସେ ଫେରାଇ ଦେଇଥିଲେ । ମାତ୍ର ୮ ଓଭର ବୋଲିଂ କରି ବୁମରା ୭ ରନ୍ ଦେଇଥିବାବେଳେ ୫ଟି ୱିକେଟ ଅକ୍ତିଆର କରିଥିଲେ । ସେଥିମଧ୍ୟରୁ ୪ଟି ମେଡେନ ଓଭର ରହିଥିଲା ।

 

ସାଥୀ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ ନେଇଥିଲେ । ଫଳରେ ୱେଷ୍ଟଇଣ୍ଡିଜ ମାତ୍ର ଶହେ ରନ୍ କରି ନିଜର ସମସ୍ତ ୱିକେଟ ହରାଇଥିଲା ।

 

‘ବୁମରାଙ୍କ ବଲରେ ଜାଦୁ ଥିଲା’

ପରାଜୟ ପରେ ୱେଷ୍ଟଇଣ୍ଡିଜ କ୍ୟାପଟେନ ଜେସନ ହୋଲ୍ଡର ବୁମରାଙ୍କ ଢେର ପ୍ରଂଶସା କରିଛନ୍ତି । ବୁମରାଙ୍କ କିଛି ବଲ ଚମକ୍ରାର ଥିଲା । ତାଙ୍କ ଜାଦୁଗରୀ ବୋଲିଂରେ ଦଳ ୱିକେଟ ହରାଇ ଚାଲିଥିଲା ବୋଲି ହୋଲ୍ଡର କହିଛନ୍ତି । ଆଗକୁ ଏପରି ବୋଲିଂର ସାମନା କରିବାକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି ହୋଲ୍ଡର କହିଛନ୍ତି । ଏଥିସହ ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମିଙ୍କୁ ମଧ୍ୟ ବେଶ ପ୍ରଭାବୀ ବୋଲର କହିଛନ୍ତି ହୋଲ୍ଡର ।

 

ସୂଚନାଯୋଗ୍ୟ, ବୁମରା ୱେଷ୍ଟଇଣ୍ଡିଜ ବିରୋଧରେ ତାଙ୍କ ଜୀବନର ଚତୁର୍ଥ ୫ ୱିକେଟ ସଫଳତା ହାସଲ କରିଛନ୍ତି । ସମସ୍ତ ୫ ୱିକେଟ ସଫଳତା ତାଙ୍କୁ ବିଦେଶ ମାଟିରେ ହିଁ ମିଳିଛି । ଉଭୟ ଦଳ ମଧ୍ୟରେ ଦ୍ୱିତୟ ଟେଷ୍ଟ ମ୍ୟାଚ ଅଗଷ୍ଟ ୩୦ ତାରିଖରେ ଖେଳାଯିବ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon