ବାସ୍ତୁଶାସ୍ତ୍ର ଟିପ୍: ଶୟନ କକ୍ଷରେ ରଖନ୍ତୁ ନାହିଁ ଏସବୁ ଜିନିଷ

Wednesday, August 28, 2019

(ବେତାର ବ୍ୟୁରୋ) ବାସ୍ତଶାସ୍ତ୍ର ଅନୁସାରେ ଦାମ୍ପତ୍ୟ ଜୀବନ ଉପରେ ଶୟନ କକ୍ଷର ସାଜସଜ୍ଜା ବେଶ ଗୁରୁତ୍ୱ ରଖିଥାଏ । ଶୋଇବା ଘରେ ରଖାଯାଇଥିବା ବିଭିନ୍ନ ସାମଗ୍ରୀ ପରିବାର ତଥା ବୈବାହିକ ଜୀବନରେ ପ୍ରଭାବ ପକାଇଥାଏ । ତେଣୁ କିଛି ଜିନିଷ ବେଡରୁମରେ ରଖିବା ଓ କିଛି ନ ରଖିବା ଉପରେ ବାସ୍ତୁଶାସ୍ତ୍ରରେ ବାରଣ କରାଯାଇଛି । ଏହା ଦ୍ୱାରା ଦାମ୍ପତ୍ୟ ଜୀବନ ସହ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ବୋଲି କୁହାଯାଏ ।

 

ବେଡରୁମରେ ରଖନ୍ତୁନି ଆକ୍ୱାରିୟମ

ବେଡରୁମରେ ଆକ୍ୱାରିୟମ ନ ରଖିବାକୁ ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଏହା ଦ୍ୱାରା ଦାମ୍ପତ୍ୟ ଜୀବନରେ ବିବାଦ ଉପୁଜିପାରେ । ଏଥିଯୋଗୁ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ । ଆକ୍ୱାରିୟମକୁ ଘରର ବୈଠକ ଖାନା ବା ଡାଇନିଂ ରୁମ୍ ପାଖରେ ରଖାଯିବାକୁ କୁହାଯାଇଛି । ଘରୁ ବାହାରି ପ୍ରବେଶ ଦ୍ୱାର ଆଡକୁ ଯିବାବେଳେ ଆକ୍ୱାରିୟମ ବାମ ପଟେ ରହିଥିବା ଉଚିତ । 

 

ରଖନ୍ତୁନି ଫ୍ଲାୱାର ପଟ୍

ବାସ୍ତୁ ଶାସ୍ତ୍ର ଅନୁସାରେ ଫ୍ଲାୱାର ପଟ୍ ବା ଫୁଲ ରଖିବା ପାତ୍ର ରଖିବା କିମ୍ବା ବିଭିନ୍ନ ଗଛ ଘରେ ଲଗାଇବା ଦ୍ୱାରା ଅନେକ ଭଲ ପ୍ରଭାବ ରହିଥାଏ । ହେଲେ ଏଥିପାଇଁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସ୍ଥାନ ନିର୍ଦ୍ଧାରଣ କରାଯାଇଛି । ଶୋଇବା ଘରେ ଫ୍ଲାୱାର ପଟ କିମ୍ବା କୌଣସି ପ୍ରକାର ଗଛ ରଖିବା ଉଚିତ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଏହା ଦ୍ୱାରା ବୈବାହିକ ଜୀବନ ଉପରେ କୁପ୍ରଭାବ ପଡିଥାଏ । ବିବାଦ ଦେଖାଯିବା ସହ ଉଭୟଙ୍କ ମଧ୍ୟରେ ବୁଝାମଣାରେ ସମସ୍ୟା ଉପୁଜିପାରେ ବୋଲି କୁହାଯାଇଛି । ଏଥିସହ ପରିବାରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପଡିପାରେ ।

 

ବେଡରୁମରେ ଲଗାନ୍ତୁନି ହନୁମାନଙ୍କ ଫଟୋ

ଘରେ ହନୁମାନଙ୍କ ଫଟୋ ଲଗାଇବା ତଥା ମୂର୍ତ୍ତି ରଖିବା ଶୁଭଙ୍କର ମନାଯାଏ । ହେଲେ ବେଡରୁମରେ ହନୁମାନଙ୍କ ଫଟୋ ଲଗାଇବା କିମ୍ବା ମୂର୍ତ୍ତି ରଖିବାକୁ ବାସ୍ତୁଶାସ୍ତ୍ରରେ ମନା କରାଯାଇଛି। ବାସ୍ତୁ ଅନୁସାରେ ଘରର ଦକ୍ଷିଣ ଦିଗରେ ହନୁମାନଙ୍କ ମୂର୍ତ୍ତି ରଖାଯିବା ଉଚିତ ।

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon