ସାଥୀଙ୍କ ଉପରେ ରାଗିଛନ୍ତି? ଜାଣନ୍ତୁ କିପରି କରିବେ ଅଭିଯୋଗ

Monday, September 9, 2019

(ବେତାର ବ୍ୟୁରୋ) ସାଥୀଙ୍କୁ ବାରମ୍ବାର କୌଣସି ବିଷୟରେ ପ୍ରଶ୍ନ କରିବା ଅନେକ ସମୟରେ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ଅନେକ ମହିଳାଙ୍କ ଅଭିଯୋଗ ଥାଏ ଯେ ସାଥୀ ତାଙ୍କୁ ଅଧିକ ସମୟ ଦେଉନାହାନ୍ତି । ସେହିପରି ମହିଳା ଅଧିକ ଖର୍ଚ୍ଚୀ ଏବଂ ଦାୟିତ୍ୱବାନ  ନୁହଁନ୍ତି ବୋଲି ଅଧିକାଂଶ ପୁରୁଷଙ୍କ ଅଭିଯୋଗ ଥାଏ ।

 

ଅନେକ କ୍ଷେତ୍ରରେ ଏ ସବୁ ଅଭିଯୋଗ ଭିତ୍ତିହୀନ ହୋଇ ନ ଥାଏ । ତେବେ ବାରମ୍ବାର ସାଥୀଙ୍କ ସହ ଏ ବାବଦରେ ପ୍ରଶ୍ନ କରିବା ମଧ୍ୟ ସମ୍ପର୍କ ପ୍ରତି ବିପଦ ସୃଷ୍ଟି କରିଥାଏ । ତେଣୁ ପ୍ରଶ୍ନ ବା ଅଭିଯୋଗ କରିବା ପୂର୍ବରୁ କେତେକ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଯାହା ଦ୍ୱାରା ସମସ୍ୟା ସମାଧାନ ହେବା ସହ ସମ୍ପର୍କ ମଧ୍ୟ ଦୃଢ ରହିଥାଏ ।

 

ଜାଣନ୍ତୁ କ’ଣ ସେହି ସବୁ ।

 

ଉପଯୋଗୀ ହୁଏ ଶାନ୍ତ ବାତାବରଣ

ଯଦି କୌଣସି କଥାକୁ ନେଇ ଆପଣ ଚିନ୍ତିତ ବା ମନରେ କିଛି ଅଭିଯୋଗ ରହିଛି ତେବେ ଏହା ସାଥୀଙ୍କୁ ନିଶ୍ଚିତ ଜଣାନ୍ତୁ । ହେଲେ ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ବାଛନ୍ତୁ । ଯେତେବେଳେ ଉଭୟଙ୍କ ମନ ଶାନ୍ତ ଥିବ ଏବଂ କଥାବାର୍ତ୍ତା ହେବା ପାଇଁ ଯଥେଷ୍ଟ ସମୟ ହାତରେ ଥିବା ସେହି ସମୟରେ ମନ କଥା ଖୋଲିକୁହନ୍ତୁ ।

 

ଆରମ୍ଭରୁ ପ୍ରଶ୍ନ କରନ୍ତୁ ନାହିଁ

ତେବେ କଥାବାର୍ତ୍ତା ଆରମ୍ଭରୁ ଅସୁବିଧା ସବୁକୁ ପ୍ରକାଶ କରନ୍ତୁ ନାହିଁ । ଏହା ପୂର୍ବରୁ କିଛି ସମୟ ଆପଣ ସକରାତ୍ମକ କଥାବାର୍ତ୍ତା କରନ୍ତୁ କିମ୍ବା  ସାଥୀଙ୍କୁ ରୋମାଣ୍ଟିକ କରିବାକୁ ଚେଷ୍ଟା କରନ୍ତୁ । ଏହାପରେ ଧୀରେଧୀରେ ନିଜ ସମସ୍ୟା କିମ୍ବା କିଛି ଅଭିଯୋଗ ଥିଲେ ଏହାକୁ ସାଥୀଙ୍କୁ ଜଣାନ୍ତୁ ।

 

କଥାରେ ଦ୍ୱନ୍ଦ୍ୱ ରଖନ୍ତୁ ନାହିଁ

ଯେଉଁସବୁ କଥା ମନରେ ଅଛି ସବୁକୁ ସ୍ପଷ୍ଟ ଭାବେ କୁହନ୍ତୁ । କୌଣସି ଦ୍ୱନ୍ଦ୍ୱ ନ ରଖି ଖୋଲାଖୋଲି ଭାବେ ନିଜ ଅସୁବିଧା, ସମସ୍ୟା କିମ୍ବା ଆପଣଙ୍କ ମନକୁ କଷ୍ଟ ଦେଉଥିବା କଥା ସବକୁ ପ୍ରକାଶ କରନ୍ତୁ । ଏହି ସମୟରେ ଧ୍ୟାନ ରଖନ୍ତୁ ଯେପରି ଆପଣ କେବଳ ନିଜ ସାଥୀଙ୍କୁ ସମ୍ପୂର୍ଣ୍ଣ ଦୋଷ ଦେଇ କଥା ନ କରନ୍ତି ।

 

ସାଥୀଙ୍କୁ ମନ କଥା ପଚାରନ୍ତୁ

କେବଳ ନିଜ ମନ କଥା, ଅସୁବିଧା ବିଷୟରେ ନ କହି ସାଥୀଙ୍କ ମନରେ କ’ଣ ଚାଲିଛି, ସେ କୌଣସି ଅସୁବିଧାଜନକ ପରିସ୍ଥିତିରେ ଅଛନ୍ତି କି ନା ତାହାକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ । ଏହାଦ୍ୱାରା ସାଥୀ ଆପଣଙ୍କ ଭଲପାଇବାକୁ ବୁଝିପାରିବେ ଏବଂ ନିଜ ସମସ୍ୟା ମଧ୍ୟ କହିପାରିବେ । ଯଦି ଆପଣଙ୍କ ବିରୋଧରେ ଅଧିକ ଅଭିଯୋଗ ଆସୁଛି ତେବେ ତାହାକୁ ପାଲଟା ପ୍ରଶ୍ନ ନ କରି ଭାବିଚିନ୍ତି ଏହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon