
(ବେତାର ବ୍ୟୁରୋ) ଆଜିକାଲି ୟୁଟ୍ୟୁବରେ ପ୍ରସାରିତ ଓ୍ବେବ ସିରିଜରେ ଚାହିଦା ବଢିବାରେ ଲାଗିଛି। ରିଲେସନସିପ, କମେଡି, ରୋମାନ୍ସ, ସଫଳତା, ସଂଘର୍ଷ, ସାମାଜିକବାର୍ତ୍ତା ଆଦି ବିଭିନ୍ନ ପ୍ରକାରର କାହାଣୀକୁ ନେଇ ଏହି ଓ୍ବେବସିରିଜ ପର୍ଯ୍ୟବେସିତ। ଏହାକୁ ଦେଖିବାକୁ ମଧ୍ୟ ଏବେ ଯୁବପିଢିଙ୍କ ମଧ୍ୟରେ ବେଶ କ୍ରେଜ ଦେଖିବାକୁ ମିଳୁଛି।
ଏବେ ୟୁଟ୍ୟୁବରେ ପ୍ରସାରିତ ୩ ଓ୍ବେବ ସିରିଜର କାହାଣୀ ବହୁ ଦର୍ଶକଙ୍କ ପସନ୍ଦ ହୋଇପାରିଛି।
ୟୁଟ୍ୟୁବରେ ଆସୁଥିବା ଏହି ୱେବ ସିରିଏଲ ଗୁଡିକ ଦେଖିବା ପାଇଁ କୌଣସି ଦେୟ ଦେବାକୁ ହେଇ ନ ଥାଏ। ଏହାଛଡା ୟୁଟ୍ୟୁବ ବ୍ୟବହାର କଲେ ଇଣ୍ଟରନେଟ ଖର୍ଚ୍ଚ ମଧ୍ୟ କମ ହୋଇଥାଏ।
ଏବେ ଆସନ୍ତୁ ଜାଣିବା ତିନିଟି ମଜାଦାର ଓ୍ବେବ ସିରିଜ ବିଷୟରେ।
ୟେ ମେରି ଫ୍ୟାମିଲି
୨୦୧୮ ଜୁଲାଇ ୧୨ରେ ଏହି ଭାରତୀୟ ଓ୍ବେବ ସିରିଜ ଟିଭିଏଫ ପ୍ଲେ ଏବଂ ୟୁ ଟ୍ୟୁବରେ ପ୍ରିମିୟର ହୋଇଥିଲା। ସମୀର ସକ୍ସସେନା ଏହାର ନିର୍ଦ୍ଦେଶନା ଦେଇଥିବାବେଳେ ସୌରଭ ଖାନ୍ନା ଏହାର କାହାଣୀ ଲେଖିଛନ୍ତି। ଜଣେ ୧୨ ବର୍ଷର ବାଳକଙ୍କ ଦୃଷ୍ଟିକୋଣକୁ ନେଇ ଏହି ସିରିଜ ଗତିଶୀଳ ହୋଇଛି। କିପରି ତାଙ୍କ ପରିବାର ଦୈନନ୍ଦିନ ଜୀବନରେ ସମସ୍ୟାରେ ପଡୁଛନ୍ତି ଏବଂ ତାହା ମଧ୍ୟରେ ଜୀବନ ବିତୁଛି ତାହା ସିରିଜର କାହାଣୀ ରହିଛି। ଏହାର ଲୋକପ୍ରିୟତାକୁ ଦେଖି ଖୁବଶୀଘ୍ର ସିରିଜର ସେକେଣ୍ଡ ସିଜନ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି।

ବେକ୍ଡ ସିରିଜ
ସ୍କୁପହୁପ ପକ୍ଷରୁ ନିର୍ମିତ ବେକ୍ଡ ଓ୍ବେବ ସିରିଜ ୩ ସାଙ୍ଗ ଓନି, ବଡି ଓ ହ୍ୟାରିଙ୍କ ଉପରେ ପର୍ଯ୍ୟବେସିତ। ସେମାନଙ୍କ ମଧ୍ୟରେ ହ୍ୟାରି ଜଣେ ବହୁତ ଭଲ ରୋଷେଇ ଜାଣିଥିବାରୁ ସେମାନେ ରାତିରେ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଡେଲିଭରି ସର୍ଭିସ ଖୋଲନ୍ତି। ତେବେ ଏକ ରାତିରେ ଖାଦ୍ୟ ଡେଲିଭରି କରିବାକୁ ନେଇଥିବାବେଳେ ଜଣେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ହ୍ୟାରି ଦେଖିବାକୁ ପାଆନ୍ତି। କିପରି ହ୍ୟାରି ତାଙ୍କୁ ବଞ୍ଚାଇବା ସହ ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି ତାହା ସିରିଜରେ ଦେଖିବାକୁ ମିଳିଛି। ଏଥିସହ ସିରିଜରେ ପ୍ରେମ କାହାଣୀ ମଧ୍ୟ ରହିଛି। ବିଶ୍ୱଜୟ ମୁଖାର୍ଜୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

ଗର୍ଲ ଇନ୍ ଦି ସିଟି
ବିନ୍ଦାସ ପକ୍ଷରୁ ନିର୍ମିତ ଓ୍ବେବ ସିରିଜ ଗର୍ଲ ଇନ ଦି ସିଟିରେ ଜଣେ ଯୁବତୀ କିପରି ଛୋଟ ସହରରୁ ମୁମ୍ବାଇ ଆସି ନିଜ ସ୍ବପ୍ନ ସାକାର କରିବାକୁ ସଂଘର୍ଷ କରୁଛନ୍ତି ତାହା ଦେଖିବାକୁ ମିଳିଛି। ଭଲ ସଂଳାପ, ଷ୍ଟୋରିଲାଇନ, ସୁନ୍ଦର ଅଭିନୟ ଯୋଗୁ ଏହି ସିରିଜ ବେଶ ଲୋକପ୍ରିୟତା ଲାଭ କରିଛି। ସିରିଜ ପ୍ରଥମ ଦୁଇ ସିଜିନରେ ଯୁବତୀ ଜଣକ କିପରି ମୁମ୍ବାଇରେ ଜୀବନ କାଟୁଛନ୍ତି ତାହା ଦେଖାଯାଇଛି। ଏହାର ତୃତୀୟ ସିଜିରେ ଯୁବତୀ ଜଣକ ପ୍ରାରମ୍ଭିକ ଚ୍ୟାଲେଞ୍ଜଗୁଡିକୁ ଅତିକ୍ରମ କରି କିପରି ସେହି ସହରରେ କ୍ୟାରିୟର ଗଢୁଛନ୍ତି ତାହା ଦେଖିବାକୁ ମିଳିଛି।