ଆଯୋଧ୍ୟା ନିଷ୍ପତ୍ତି : ପାଞ୍ଚଟି ପାରାଗ୍ରାଫରେ ଜାଣନ୍ତୁ ସୁପ୍ରିମ କୋର୍ଟଙ୍କ ରାୟର ବିଶ୍ଳେଷଣ

Saturday, November 9, 2019

(ବେତାର ବ୍ୟୁରୋ) ଶନିବାର ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଅଯୋଧ୍ୟାର ବିବାଦୀୟ ଜମି ସ୍ଥଳରେ ରାମମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବାବରୀ ମସଜିଦ ଭଙ୍ଗକୁ ବେଆଇନ ଦର୍ଶାଇବା ସହିତ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥଳରେ ମୁସଲିମ ଉପାସନାସ୍ଥଳୀ ପାଇଁ  ଜାଗା ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

ତେବେ ମୂଳକଥା ହେଉଛି ଏହି ବିଚାରରେ ସୁପ୍ରିମକୋର୍ଟ ସମସ୍ତ ହିନ୍ଦୁ ଅନୁଷ୍ଠାନ/ପକ୍ଷଙ୍କ ତରଫରୁ ଜମିପାଇଁ ହୋଇଥିବା ଦାବିକୁ ଖାରଜ କରିଦେଇଛନ୍ତି । ତେବେ ମନ୍ଦିର କିପରି ନିର୍ମାଣ ହେବ ? ସେହିପରି ବାବରୀ ମସଜିଦ ମୁସଲିମଙ୍କ ଉପାସନା ସ୍ଥଳୀଥିବା ସତ୍ତ୍ୱେ ଉକ୍ତ ସ୍ଥାନରେ କିପରି ରାମମନ୍ଦିର ନିର୍ମାଣ ହୋଇପାରିବ ? ଏହି ସବୁ ପ୍ରଶ୍ନର ବିଶ୍ଳେଷଣ ପାଇଁ  ପଢନ୍ତୁ ସୁପ୍ରିମକୋର୍ଟଙ୍କ ରାୟର ସଂକ୍ଷିପ୍ତ ବିଶ୍ଳେଷଣ ।

 

ବିବାଦୀୟ ଜମି କାହାର ନୁହେଁ : ବାବରୀ ମନ୍ଦିର ଧ୍ଵଂସ ପାଇଥିବା ସ୍ଥଳେ ଏହାର ମାଲିକାନା ପାଇଁ ଉଭୟ ରାମ ଜନ୍ମଭୂମି ନ୍ୟାସ ସମିତି ଏବଂ ସୁନ୍ନୀ ୱାକଫ ବୋର୍ଡ ଲଢାଇ କରୁଥିଲେ । ସେମାନଙ୍କ ସହିତ ବିଶ୍ଵ ହିନ୍ଦୁ ପରିଷଦ, ରାମ ଲାଲ୍ଲା ବିରାଜମାନ (ପ୍ରଭୁ ଶ୍ରୀରାମ) ଏବଂ ଅନେକ ସଂଗଠନ ମଧ୍ୟ ଦାବି କରିଆସୁଥିଲେ । ମାତ୍ର ସୁପ୍ରିମକୋର୍ଟ ରାୟରେ ଶୁଣାଇଛନ୍ତି ଯେ କୌଣସି ପକ୍ଷ ଜମି ସେମାନଙ୍କର ବୋଲି ନିର୍ଦ୍ଦିଷ୍ଟ ପ୍ରମାଣ ଦେଇପାରି ନ ଥିବାରୁ ଏହି ଜମି କାହାର ନୁହେଁ ।

 

ବିଶ୍ଵାସ ଅନୁସାରେ ଜମି ପ୍ରଭୁ ଶ୍ରୀରାମଙ୍କ : ନିଷ୍ପତ୍ତି ଶୁଣାଇବା ଅବସରରେ ସୁପ୍ରିମକୋର୍ଟ କହିଛନ୍ତି ଯେ ମୁସଲିମଙ୍କ ଯୁକ୍ତି ଯେ 1857 ପୂର୍ବରୁ ବାବରୀ ମସଜିଦ  ତାଙ୍କର ଥିଲା –ଏକଥା ଭୁଲ , କାରଣ ବ୍ରିଟିଶମାନେ 1801 ମସିହାରେ ଅବଧ/ଅଯୋଧ୍ୟାକୁ ଅକ୍ତିଆର କରି ନେଇଥିଲେ । ସେହିପରି ହିନ୍ଦୁପକ୍ଷ ମଧ୍ୟ ଜମି ନେଇ କୌଣସି କାଗଜପତ୍ର ଉପସ୍ଥାପନ କରିପାରିନାହାନ୍ତି । ତେବେ ଅନେକଲୋକଙ୍କ ବିଶ୍ଵାସ ଓ ମତ ଅନୁସାରେ ତଥା ବ୍ରିଟିଶ ସରକାର ଅମଲାରେ ଆସିଥିବା କାଗଜପତ୍ର ଅନୁଧ୍ୟାନ କ୍ରମେ ଆମେ ଏହା ଅନୁଭବ  କଲୁ ଯେ ଉକ୍ତ ସ୍ଥାନ ପ୍ରଭୁ ଶ୍ରୀରାମଙ୍କ ଅଟେ ।  

 

ମସଜିଦ ତଳେ ମନ୍ଦିର  ଥିଲା : ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ଏହା ପ୍ରମାଣିତ ହୋଇସାରିଛି ଯେ ମସଜିଦ ତଳେ ଏପରି କିଛି ଭଗ୍ନ ଅବଶେଷ ମିଳିଛି ଯାହା ଅଣ ଇସଲାମିକ ସଂସ୍କୃତିର । ଏଣୁ ଏହି ପ୍ରମାଣକୁ ଅଣଦେଖା କରାଯାଇପାରିବ ନାହିଁ । ଅବଶ୍ୟ ଏକଥା ପ୍ରମାଣିତ ହୋଇ ନାହିଁ ଯେ ମସଜିଦ ତିଆରି ହେବା ପାଇଁ ଏହାକୁ ଭଙ୍ଗା ଯାଇଥିଲା ନା ଏହା ଅନେକ ବର୍ଷ ଆଗରୁ ଭାଙ୍ଗିଥିଲା । ତେବେ ଭଗ୍ନ ମନ୍ଦିରର କିଛି ଅଂଶ ଧ୍ଵଂସ ପାଇଥିବା ବାବରୀ ମସଜିଦ ନିର୍ମାଣରେ ବ୍ୟବହ୍ରୁତ ହୋଇଥିବାର ପ୍ରମାଣ ରହିଛି  ।

 

ବାବରୀ ମସଜିଦ ଧ୍ଵଂସ ବେଆଇନ : ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ମୁସଲିମଙ୍କ ଉପାସନାସ୍ଥଳୀ ବାବରୀ ମସଜିଦ ଧ୍ଵଂସ ହେବା ବେଆଇନ । ତେବେ ମୁସଲମାନଙ୍କୁ ଏହି ବିବାଦୀୟ ଜମିରୁ କିଛି ବାଣ୍ଟି ମସଜିଦ ପାଇଁ ପ୍ରଦାନ କରିବା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିପାରେ । ତେଣୁ ମୁସଲିମଙ୍କ ଏହି କ୍ଷତି ଭରଣା କରିବାପାଇଁ ଉତ୍ତରପ୍ରଦେଶ ରାଜ୍ୟ ସରକାର ବା କେନ୍ଦ୍ର ସରକାର ଜମି ଅଧିଗ୍ରହଣ କରି ମୁସଲିମପକ୍ଷଙ୍କୁ ପାଞ୍ଚ ଏକର ଜମି ପ୍ରଦାନ କରିବା ଆବଶ୍ୟକ ।

 

ବିବାଦର ସମାଧାନ ପାଇଁ ଧାରା 142ର ପ୍ରୟୋଗ : ସମ୍ବିଧାନର ଧାରା 142 ଅନୁସାରେ ଭାରତବର୍ଷର ଯେ କୌଣସି ସ୍ଥାନରେ ଯଦି କୌଣସି କାରଣ ବଶତଃ ନ୍ୟାୟ ମିଳିବାରେ ଅସୁବିଧା ହେଉଛି ଓ ରାଜ୍ୟ ବା କେନ୍ଦ୍ର ସରକାରଙ୍କ ଆଇନ ସେଥିରେ ବାଧା  ସୃଷ୍ଟି କରୁଛି , ତେଣେ ସୁପ୍ରିମକୋର୍ଟ ନିଜ କ୍ଷମତାର ବ୍ୟବହାର କରି ଯେ କୌଣସି ରାୟ ଶୁଣାଇ ପାରିବେ । ଏହି ଧାରାର ପ୍ରୟୋଗ କରି ସୁପ୍ରିମକୋର୍ଟ  ଏହି ବିବାଦର ସମାଧାନ ପାଇଁ ଉକ୍ତ ଜମିର ସଂପୂର୍ଣ୍ଣ ଅଂଶକୁ ପ୍ରଭୁ ଶ୍ରୀରାମ ଓ ତାଙ୍କର ସଖା/ମାର୍ଫତଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।   

     

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon