ଓଡିଶାରେ 2 ମାସରେ ଛଅ ହଜାର ମଦୁଆ ଚାଳକ ଗିରଫ, ଏହି ଜିଲ୍ଲାରେ ସର୍ବାଧିକ

Friday, November 22, 2019

(ବେତାର ବ୍ୟୁରୋ) ଓଡିଶାରେ ନୂଆ ଟ୍ରାଫିକ ନିୟମ ଗତ ସେପ୍ଟେମ୍ବରରେ ଲାଗୁ ହେବା ପରଠାରୁ ଦୁଇମାସ ଭିତରେ  5,856 ଜଣ ମଦୁଆ ଚାଳକଙ୍କୁ ଗିରଫ କରି କେସ କରାଯାଇଛି ବୋଲି ରାଜ୍ୟ ପୁଲିସ ବିଭାଗ ତଥ୍ୟ ପ୍ରଦାନ କରିଛି ।

 

ରାଜ୍ୟରେ ଗାଡି କାଗଜପତ୍ର ନିୟମ ଏବେ କୋହଳ କରାଯାଇଥିବା ବେଳେ ମଦ୍ୟପ  ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କିନ୍ତୁ ଜୋରସୋରରେ ଚାଲିଛି ବୋଲି ବିଭାଗ କହିଛି । ଟ୍ରାଫିକ ପୁଲିସ ତରଫରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଓଡିଶାରେ ସେପ୍ଟେମ୍ବର ମାସରେ 2,394 ଜଣ ମଦ୍ୟପ ଚାଳକ ଗିରଫ ହୋଇଥିବା ସ୍ଥଳେ ଅକ୍ଟୋବର ମାସରେ 3,462 ଜଣ ଚାଳକଙ୍କୁ ନିଶାସକ୍ତ ଅବସ୍ଥାରେ ଗିରଫ କରଯାଇଥିଲା ।

 

ଗଞ୍ଜାମରେ ସର୍ବାଧିକ, ପୁରୀ ସର୍ବନିମ୍ନ

ଗତ ଦୁଇ ମାସରେ ଗିରଫ ହୋଇଥିବା ଚାଳକଙ୍କ ସଂଖ୍ୟା ଅନୁସାରେ ଗଞ୍ଜାମ ସର୍ବୋଚ୍ଚ ସ୍ଥାନରେ ରହିଛି । ପ୍ରାୟ ଛଅ ହଜାର ଗିରଫଦାରୀରୁ କେବଳ ଗଞ୍ଜାମରୁ 1,191 ଜଣ ଚାଳକ ଗିରଫ ହୋଇଛନ୍ତି । ଏହା ପଛକୁ ମୟୁରଭଞ୍ଜ (702 ), ଯାଜପୁର (635) ଅନଗୁଳ (395) ଓ ସୁନ୍ଦରଗଡ (250) ଆଦି ଜିଲ୍ଲା ରହିଛି ।

 

ସେହିପରି ଢେଙ୍କାନାଳ, ଗଜପତି ଓ କଳାହାଣ୍ଡି ପ୍ରଭୃତି ଜିଲ୍ଲାରେ 200ରୁ ଉର୍ଦ୍ଧ୍ଵ ଚାଳକଙ୍କୁ ଗିରଫ କରଯାଇଥିଲା ।

 

ଗତ ଦୁଇମାସ ଭିତରେ ରାଜଧାନୀ ଭୁବନେଶ୍ୱରରେ ମାତ୍ର ନିଶାସକ୍ତ ଚାଳନାର 18 ଟି କେସ ସାମନାକୁ ଆସିଥିବା ବେଳେ ପୁରୀରେ 11 ଜଣ ଚାଳକଙ୍କୁ ନିଶାସେବନ କରି ଗାଡି ଚଲାଉଥିବା ଅଭିଯୋଗରେ ଗିରଫ କରାଯାଇଥିଲା, ଯାହାକି ଗତ ଦୁଇମାସର ସର୍ବନିମ୍ନ ଗିରଫଦାରୀ  ।

 

ଦୁର୍ଘଟଣା କମିଛି

ରାଜ୍ୟ ପୁଲିସରେ ଏହି ପଦକ୍ଷେପ ଫଳରେ ଓଡିଶାରେ ଗତ ଦୁଇମାସରେ ମଧ୍ୟରେ ସଡକ ଦୁର୍ଘଟଣା ହାର କମିଛି ବୋଲି କୁହାଯାଇଛି । ଚଳିତ ସେପ୍ଟେମ୍ବର ମାସରେ 315 ଟି ସଡକ ଦୁର୍ଘଟଣା ରେକର୍ଡ କାରାଯାଇଥିଲା , ଯାହା ଗତବର୍ଷ ସେପ୍ଟେମ୍ବର ହେଇଥିବା 368 ଟି କେସ ତୁଳନାରେ କମ । ସେହିପରି ଚଳିତ ଅକ୍ଟୋବରରେ 365ଟି କେସ ସାମନାକୁ ଆସିଥିଲା ଯାହା ପୂର୍ବ ବର୍ଷ ଏହି ମାସରେ 444 ଥିଲା ।

 

ସେପ୍ଟେମ୍ବର ଓ ଅକ୍ଟୋବରକୁ ମିଶାଇ ସର୍ବମୋଟ 675 ଟି ସଡକ ଦୁର୍ଘଟଣା ଚଳିତ ବର୍ଷ ରେକର୍ଡ କରାଯାଇଛି ଯାହା ପୂର୍ବବର୍ଷର ଏହି ଦୁଇମାସର ରେକର୍ଡ (812) ଠାରୁ କମ ।

 

ଆସନ୍ତା ଡିସେମ୍ବରରୁ ରାଜ୍ୟରେ କୋହଳ ହୋଇଥିବା ଟ୍ରାଫିକ ନିୟମ ପୁଣିଥରେ ଲାଗୁହେବାକୁ  ଯାଉଛି  ।   

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon