ଏହି କାରଣ ପାଇଁ ଆଇଟି କ୍ଷେତ୍ରରେ ଆଗାମୀ ବର୍ଷ ମିଳିବ 2 ଲକ୍ଷ ନିଯୁକ୍ତି

Tuesday, December 17, 2019

(ବେତାର ବ୍ୟୁରୋ) ଭାରତୀୟ ଆଇଟି ଶିଳ୍ପ ଯେ ଶିକ୍ଷିତ ଯୁବକଙ୍କୁ ଚାକିରୀ ପ୍ରଦାନ କରିବାର ବୃହତ ସୁଯୋଗ ପ୍ରଦାନ କରିଥାଏ, ଏଥିରେ ସନ୍ଦେହ ନାହିଁ। ଏହି ଶତାବ୍ଦୀର ଆରମ୍ଭରୁ ଅର୍ଥାତ 2000 ମସିହା ଠାରୁ ଲଗାତାର ନିଯୁକ୍ତି ପ୍ରକ୍ରିୟା ବଢି ଚାଲିଥିବା ବେଳେ ଗତ କିଛି ବର୍ଷ ଧରି ଏଥିରେ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଥିଲା।

 

ତେବେ ନିକଟରେ ଏ କ୍ଷେତ୍ରରେ ଏପରି କିଛି ସୁଯୋଗ ଆସିଛି ଯେଉଁଥିପାଇଁ ନିଯୁକ୍ତି ପ୍ରକ୍ରିୟା ରେ 10% ଅଭିବୃଦ୍ଧି ହେବ ବୋଲି ବିଶେଷଜ୍ଞ ମାନେ ଆକଳନ କରିଛନ୍ତି।

 

ବିଦେଶୀ କମ୍ପାନୀ, ଭାରତରେ ଚାକିରୀ

ଭାରତୀୟ ଆଇଟି ସେବା ପ୍ରଦାନ କାରୀ କମ୍ପାନିମାନେ ବିଦେଶରେ ଥିବା କମ୍ପାନୀଙ୍କୁ ଆଇଟି ସେବା ପ୍ରଦାନ କରିଥାନ୍ତି।  ଫଳରେ ସେଠାକାର କମ୍ପାନୀମାନେ ନିଜେ ନିଯୁକ୍ତି ନ କର ଗୋଟିଏ ନିର୍ଦ୍ଦିଷ୍ଟ ସେବା ପାଇଁ କଣ୍ଟ୍ରାକ୍ଟ ବା ଚୁକ୍ତି ଭାରତୀୟ କମ୍ପାନୀଙ୍କୁ ଦେଇଥାନ୍ତି।

 

ତେବେ ନିକଟରେ କିଛି ବିଦେଶୀ କମ୍ପାନୀ ସେମାନଙ୍କର ଭାରତୀୟ ଶାଖାକୁ ମଧ୍ୟ ଏହି ଆଇଟି ସେବା କମ୍ପାନୀଙ୍କୁ ବିକ୍ରି କରିଦେବାକୁ ନିଷ୍ପତ୍ତି ନେଇଛନ୍ତି।

 

ବାଣିଜ୍ୟ-ଆର୍ଥିକ ଖବରକାଗଜ ଇକୋନୋମିକ ଟାଇମ୍ସରେ ବାହାରିଥିବା ଏକ ଖବର ମୁତାବକ ବିଗତ କିଛି ମାସରେ ଏହିପରି ପ୍ରାୟ 30ଟି ଶାଖାକୁ ଭାରତୀୟ ଆଇଟି କମ୍ପାନୀ ମାନେ ଅଧିଗ୍ରହଣ କରିଛନ୍ତି।

 

ଏହାର କାଗଜପତ୍ର ପ୍ରକ୍ରିୟା ସରିବା ପରେ ଏହିସବୁ କମ୍ପାନୀରେ ନିଯୁକ୍ତି ପ୍ରକ୍ରିୟା ଆଗାମୀ ଆର୍ଥିକ ବର୍ଷ ଅର୍ଥାତ 2020-21 ରୁ ଆରମ୍ଭ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

 

ଚଳିତ ଆର୍ଥିକ ବର୍ଷ ରେ ଭାରତୀୟ କମ୍ପାନୀମାନେ ପ୍ରାୟ 180,000 ଜଣକୁ ନିଯୁକ୍ତି ଦେବାର ଆକଳନ କରାଯାଉଥିବା ବେଳେ ଆଗାମୀ ବର୍ଷ ଏହା 200,000 କୁ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି।

 

ଏହି ପ୍ରକ୍ରିୟାରେ 5 ବର୍ଷରୁ କମ ଅଭିଜ୍ଞତା ଥିବା ଓ କିଛି ନୂତନ ଭାବେ ଚାକିରୀ ରେ ଯୋଗ ଦେବାକୁ ଇଛୁକ ଥିବା ଯୁବବର୍ଗ ନିଯୁକ୍ତି ପାଇବେ।

 

ସେହିପରି 15 ବର୍ଷରୁ ଉର୍ଦ୍ଧ୍ବ ଅଭିଜ୍ଞତା ଥିବା କିଛି ବ୍ୟକ୍ତି ଚାକିରିରୁ ବିଦା ହୋଇପାରନ୍ତି ବୋଲି ରିପୋର୍ଟରେ ଜଣେ ବିଶେଷଜ୍ଞ କହିଛନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon