ଛେଳି, ମଇଁଷି ଚୋରୀ ଅଭିଯୋଗରେ ବନ୍ଧାହେଲେ ଏହି ପୂର୍ବତନ ମନ୍ତ୍ରୀଙ୍କ ପରିବାର

Wednesday, February 26, 2020

(ବେତାର ବ୍ଯୁରୋ) ସମାଜବାଦୀ ପାର୍ଟି ନେତା ଆଜମ ଖାଁ, ତାଙ୍କ ବିଧାୟିକା ପତ୍ନୀ ତନଜିନ ଫାତିମା ଓ ବିଧାୟକ ପୁଅ ଅବଦୁଲ୍ଲା ଆଜମ ବୁଧବାର ଜେଲ ଯାଇଛନ୍ତି । ସେମାନେ ରାମପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ୭ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦେଇଛନ୍ତି ନ୍ୟାୟାଧୀଶ ।

 

ତେବେ ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଏ ପର୍ଯ୍ୟନ୍ତ ସାବ୍ୟସ୍ତ ହୋଇ ପାରି ନ ଥିବା ବେଳେ କୋର୍ଟଙ୍କ ସମନ ନିର୍ଦ୍ଦେଶ ନ ମାନିବାରୁ ତାଙ୍କୁ ଜେଲ ପଠାଯାଇଛି ବୋଲି ଜଣା ପଡିଛି ।

 

ଛେଳି , ମଇଁଷି ଚୋରୀ

ଆଜମ ଖାଁଙ୍କ ବିରୁଦ୍ଧରେ ଉତ୍ତରପ୍ରଦେଶର ବିଭିନ୍ନ କୋର୍ଟରେ ମାମଲା ଚାଲିଛି । ତେବେ ତାଙ୍କ ପୁଅଙ୍କ ଜାଲ ଜନ୍ମପ୍ରମାଣପତ୍ର ଦେଇ କମ ବୟସରେ ନିର୍ବାଚନ ଲଢାଇଥିବାରୁ ପୁଅଙ୍କ ନାମରେ ଅଭିଯୋଗ ଥିଲା । ସେହିପରି ତାଙ୍କ ପତ୍ନୀଙ୍କ ନାମରେ ବିଦ୍ୟୁତ ଚୋରୀ ଅଭିଯୋଗ ଓ ଖୋଦ ଆଜମ ଖାନଙ୍କ ନାମରେ ଅନେକ ଅଭିଯୋଗ ବିଗତ କିଛି ବର୍ଷ ଧରି ଦାଏର ହୋଇଛି ।

 

ତାଙ୍କ ବିରୁଦ୍ଧରେ ଜମି ଠକେଇ, ଜବରଦଖଲ, ଛେଳି ଚୋରି, ମଇଁଷି ଚୋରି, ମୂର୍ତ୍ତି ଚୋରୀ ଆଦି ମାମଲା ଚାଲିଛି ।

 

କୌଣସି ବି ମାମଲାରେ ତାଙ୍କ ପରିବାର ଲୋକେ ରାମପୁର ଜିଲ୍ଲା ଅଦାଲତରେ ହଜାର ନ ହେବାରୁ କୋର୍ଟ ତାଙ୍କ ପରିବାରକୁ ପଳାତକ ବୋଲି ଘୋଷଣା କରିବା ସହିତ ସମ୍ପତ୍ତି ବ୍ୟାଜ୍ୟାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

ଅମାନିଆ ପରିବାର

ଉତ୍ତରପ୍ରଦେଶରେ ମୁଲାୟମ ସିଂ ଯାଦବ ତଥା ଅଖିଳେଶ ଯାଦବଙ୍କ ସରକାରରେ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହିଥିବା ଏହି ମନ୍ତ୍ରୀ ଉକ୍ତ ରାଜ୍ୟର ରାମପୁର ଅଞ୍ଚଳରେ ଜଣେ  ବଡ ନେତା । ତାଙ୍କ ପତ୍ନୀ ଓ ପୁତ୍ର ମଧ୍ୟ ସେ ଅଞ୍ଚଳରେ ପ୍ରଭବଶାଳୀ ଅଟନ୍ତି ।

 

ବିଭିନ୍ନ ମାମଲାରେ ଏହି ତିନି ଜଣଙ୍କୁ ବାରମ୍ବାର ସମନ ପଠାଯାଉଥିବାବେଳେ ସେମାନେ ତାହାକୁ ଏଡ଼ାଇଯାଉଥିଲେ । ସେପ୍ଟେମ୍ବର ମାସରୁ ସେମାନେ କୋର୍ଟଙ୍କ ନିର୍ଦ୍ଦେଶକୁ ବିଭିନ୍ନ ଆଳ ଦେଖାଇ ସମନକୁ ଏଡାଇ ଆସୁଥିଲେ ।

 

ଏହା ପରେ ସେମାନଙ୍କୁ ଗିରଫ କରିବାକୁ କୋର୍ଟ ଜାମିନ ବିହୀନ ପରଓ୍ଵାନା ଜାରି ଓ୍ଵାରେଣ୍ଟ ଜାରି କରିଥିଲେ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon